ଭାରତୀୟ ଔଷଧ ଗୋଦାମ ଉପରେ ମିସାଇଲ୍ ମାଡ଼ କଲା ଋଷ !

Published By : Prameya-News7 Bureau | April 12, 2025 IST

indiatoday

କିଭ୍‌: ଭାରତୀୟ ଔଷଧ ଗୋଦାମ ଘର ଉପରେ ମିସାଇଲ ମାଡ଼ କଲା ଋଷ। ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଥିବା ଭାରତୀୟ ଔଷଧ କମ୍ପାନୀର ଏକ ଗୋଦାମ ଉପରେ ଋଷ ରକେଟ୍ ମାଡ଼ କରିଛି। ଶନିବାର ଭାରତରେ ଥିବା ୟୁକ୍ରେନ୍ ଦୂତାବାସ ପକ୍ଷରୁ ଏହି ଦାବି କରାଯାଇଛି। ଭାରତ ସହିତ ଭଲ ବନ୍ଧୁତା ଥାଇବି ମସ୍କୋ ଜାଣିଶୁଣି ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରିଛି ବୋଲି ୟୁକ୍ରେନ୍ କହିଛି। ତେବେ ଏନେଇ ଉଭୟ ଭାରତ ଓ ଋଷ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସି ନାହିଁ। 

ରୁଷ ଆକ୍ରମଣରେ ଯେଉଁ ଗୋଦାମକୁ ଟାର୍ଗେଟ କରାଯାଇଛି ତାହା ଭାରତର ଏକ ପ୍ରମୁଖ ଔଷଧ କମ୍ପାନୀ କୁସୁମର ବୋଲି ୟୁକ୍ରେନ୍ କହିଛି। ଏନେଇ ଭାରତରେ ଥିବା ୟୁକ୍ରେନ୍ ଦୂତାବାସ ଟ୍ୱିଟ୍ କରି କହିଛି “ଆଜି, ୟୁକ୍ରେନରେ ଥିବା ଭାରତୀୟ ଔଷଧ କମ୍ପାନୀ କୁସୁମର ଗୋଦାମ ଉପରେ ଏକ ଋଷିଆ ମିସାଇଲ ମାଡ଼ ହୋଇଛି। ଭାରତ ସହିତ 'ସ୍ୱତନ୍ତ୍ର ବନ୍ଧୁତା' ଅଛି ବୋଲି କହୁଥିବା ବେଳେମସ୍କୋ ଜାଣିଶୁଣି ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି। ପିଲା ଏବଂ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ନଷ୍ଟ କରୁଛି।”

ପଢନ୍ତୁ- ପୁଣି ବଦଳିଲା ଟ୍ରମ୍ପଙ୍କ ନିଷ୍ପତ୍ତି: ସ୍ମାର୍ଟଫୋନ୍, ଲାପଟପ୍ ଆଦି ଇଲେକ୍ଟ୍ରିକ ଉପକରଣରେ ଲାଗୁ ହେବନି ପାଲଟା ଶୁଳ୍କ

ୟୁକ୍ରେନରେ ଥିବା ୟୁକେର ରାଷ୍ଟ୍ରଦୂତ ମାର୍ଟିନ୍ ହାରିସ୍ ମଧ୍ୟ ଏଭଳି କିଛି ଦାବି କରିଛନ୍ତି। ରୁଷିଆ ଆକ୍ରମଣରେ କିଭ୍‌ରେ ଥିବା ଏକ "ପ୍ରମୁଖ ଔଷଧ ଗୋଦାମ" ନଷ୍ଟ ହୋଇଯାଇଛି ବୋଲି ସେ ପୋଷ୍ଟ କରିଛନ୍ତି। ହେଲେ ତାଙ୍କ ପୋଷ୍ଟରେ ଗୋଦାମଟି ଭାରତୀୟ କମ୍ପାନୀ କୁସୁମର କି ନାହିଁ ତାହା ଉଲ୍ଲେଖ କରାଯାଇ ନାହିଁ। ତେବେ ଏହି ଆକ୍ରମଣ ମିସାଇଲ ନୁହେଁ ରୁଷିଆ ଡ୍ରୋନ୍ ଦ୍ୱାରା କରାଯାଇଥିଲା ବୋଲି କୁହାଯାଇଛି। ୟୁକ୍ରେନୀୟ ନାଗରିକଙ୍କ ବିରୁଦ୍ଧରେ ରୁଷର ଆତଙ୍କ ଅଭିଯାନ ଜାରି ରହିଛି ବୋଲି ହ୍ୟାରିସ ପୋଷ୍ଟ କରିଛନ୍ତି। 

ଏନେଇ ରାଷ୍ଟ୍ରଦୂତଙ୍କ ପକ୍ଷରୁ ଏକ ଫଟୋ ପୋଷ୍ଟ କରାଯାଇଥିଲା।  ଯେଉଁଥିରେ ଏକ ଗୋଦାମ ପରି ଦେଖାଯାଉଥିବା ସ୍ଥାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ବି ରହିଥିଲା। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.