ୟୁକ୍ରେନରେ ଋଷ ନିୟନ୍ତ୍ରିତ ଅଞ୍ଚଳ ରହିବ ଋଷିଆର, NATOର ହେବନି ସମ୍ପ୍ରସାରଣ

Published By : Prameya-News7 Bureau | August 08, 2025 IST

ନୂଆଦିଲ୍ଲୀ ୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଖୁବ୍ ଶୀଘ୍ର ୟୁଏଇ ରେ ବୈଠକ କରିବେ। ହୁଏତ ଏହି ବୈଠକ ଆଗାମୀ ସପ୍ତାହରେ ମଧ୍ୟ ହୋଇପାରେ। ଏଥି ମଧ୍ୟରେ ଏହି ବୈଠକକୁ ନେଇ କିଛି କଥା ଏବେ ସାମ୍ନାକୁ ଆସୁଛି। ଯାହା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମୀର ଜେଲନସ୍କିଙ୍କ ହୃତ ସ୍ପନ୍ଦନ ବଢାଇ ଦେଇଛି। କୁହାଯାଉଛି ପୁଟିନକୁ ଆଲୋଚନା ନିମନ୍ତେ ଟେବୁଲକୁ ଆଣିବା ପାଇଁ ଟ୍ରମ୍ପ ଏପରି ସବୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏହି ସବୁ ପ୍ରତିଶ୍ରୁତି ପାଳନ ହୁଏ ତେବେ ୟୁକ୍ରେନର କେତେକ ଅଞ୍ଚଳ ଋଷିଆର ହୋଇଯିବ।  

ୟୁକ୍ରେନକୁ ନେଇ ଗତ କିଛି ମାସ ହେଲା ଟ୍ରମ୍ପ ଓ ପୁଟିନ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ନିକଟରେ ଟ୍ରମ୍ପ ଋଷିଆକୁ ଯୁଦ୍ଧ ବନ୍ଦ କରିବା ଲାଗି ୫୦ ଦିନିଆ ଅଲ୍ଟିମେଟମ ଦେଇଥିଲେ। ଏହାକୁ ସେତେବେଳେ ଋଷିଆ ବିରୋଧ କରିଥିଲା। ହେଲେ ଏବେ ଅଚାନକ ଖବର ଆସୁଛି ଯୁଦ୍ଧ ସମାପ୍ତ କରିବା ପାଇଁ ଦୁଇ ନେତା ବୈଠକ କରିବେ। ଏଥି ପାଇଁ ଋଷିଆକୁ ଟ୍ରମ୍ପ କେତେକ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରୁ ପୁଟିନ ଓ ଟ୍ରମ୍ପ ମିଳିତ ୟୁକ୍ରେନ ସହିତ କିଛି ଖେଳ ଖେଳି ପାରନ୍ତି ବୋଲି ଆଶଙ୍କା କରାଯାଉଛି। 

ବିଶ୍ୱର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଉତ୍ତେଜନା ଏବେ ହ୍ରାସ ହୋଇଛି। ଖାସ କରି ଯେତେବେଳେ ଟ୍ରମ୍ପଙ୍କ ବିଶେଷ ଦୂତ ଭିଟକଫ ଋଷିଆ ଗସ୍ତ କଲେ। ଏହି ଗସ୍ତକାଳରେ ଭିଟକଫ ପୁଟିନଙ୍କୁ ଏପରି କେତେକ ପ୍ରସ୍ତାବ ଦେଇଛନ୍ତି ଯାହା ଦ୍ୱାରା ଋଷିଆ ଓ ୟୁକ୍ରେନ ମଧ୍ୟରେ ବୁଝାମଣାର ସମ୍ଭାବନା ବଢି ଯାଇଛି। ଏଥିରେ ନାଟୋର ସମ୍ପ୍ରସାରଣ  ରୋକିବା ପ୍ରତିଶ୍ରୁତି ମଧ୍ୟ ସାମିଲ। ଏଣୁ ଟ୍ରମ୍ପଙ୍କ ସହ ବୈଠକ ପାଇଁ ପୁଟିନ ଉତ୍ସାହିତ ହୋଇଉଠିଛନ୍ତି ଓ ଏହି ବୈଠକ ୟୁଏଇରେ କରିବା କଥା କହୁଛନ୍ତି।    

ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପ କେତେକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ୟୁକ୍ରେନରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାନରେ ଉଭୟ ପକ୍ଷ ସିଜଫାୟାର କରିବାକୁ ସହମତ ହେବେ। ସେହିପରି ୟୁକ୍ରେନର ଭୂମି ଉପରେ ଋଷିଆର ନିୟନ୍ତ୍ରଣକୁ କାୟମ ରଖାଯିବ। ତେବେ ଏହାକୁ ଆଇନତଃ ମାନ୍ୟତା ଦିଆଯିବ ନାହିଁ। ଏହା ସତ୍ତ୍ୱେ ଋଷିଆର ଏହି ଦଖଲ ୪୯ ଅଥବା ୯୯ ବର୍ଷ ପର୍ଯ୍ୟନ୍ତ କାୟମ ରହିବ। ଏହା ସହିତ ଋଷିଆରୁ ତୈଳ ଓ ଗ୍ୟାସ୍ ରପ୍ତାନୀକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁମତି ଦିଆଯିବ। ଏଥିରେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ପୁଟିନଙ୍କୁ ଟ୍ରମ୍ପ ଗ୍ୟାରେଣ୍ଟି ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ ନାଟୋର ସମ୍ପ୍ରସାରଣ ହେବ ନାହିଁ। 

ସୂଚନା ଅନୁସାରେ ଟ୍ରମ୍ପଙ୍କ ସହିତ ହେବାକୁ ଥିବା ବୈଠକକୁ ନେଇ ପୁଟିନ ବେଶ୍ ଉତ୍ସାହିତ ଥିବା କୁହାଯାଉଛି। ପୁଟିନ ଏହାକୁ ତାଙ୍କର ଏକ ବଡ ବିଜୟ ଭଳି ଦେଖୁଛନ୍ତି। ଯଦି ୟୁକ୍ରେନ ସହିତ ଋଷିଆର ଏହି ବୁଝାମଣା ହୋଇଯାଏ ଏହା ଯୋଗୁ ୟୁକ୍ରେନକୁ ବଡ଼ ଝଟକା ଲାଗିବାର ସମ୍ଭାବନା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.