ଟ୍ରମ୍ପଙ୍କ ଅଲିମେଟମ୍‌ ଚେତାବନୀକୁ ମାନିଲାନି ପୁଟିନ ସେନା, ୟୁକ୍ରେନ୍‌ ଉପରେ ମିଶାଇଲ ଏବଂ ଡ୍ରୋନ୍‌ ମାଡ଼ କଲା ଋଷ୍

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ: କାମ ଦେଲାନି ଟ୍ରମ୍ପଙ୍କ ଚେତାବନୀ। ଅଲିମେଟମ୍‌କୁ ଗୋଡରେ ଆଡେଇ ଦେଲା ପୁଟିନ ସେନା। ୟୁକ୍ରେନର ରାଜଧାନୀ କିଭ୍‌ରେ ମିଶାଇଲ ଏବଂ ଡ୍ରୋନ୍ ହମ୍‌ଲା କରିଛି ଋଷ। ଏହି ଆକ୍ରମଣରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଛଅ ବର୍ଷର ଶିଶୁ ମଧ୍ୟ ରହିଛି। ଏହା ବ୍ୟତୀତ ୫୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀ ମାନେ କହିଛନ୍ତି।

କିଭର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି ଯେ ମିଶାଇଲ ଆକ୍ରମଣ ଯୋଗୁଁ ଏକ ନଅ ମହଲା ବିଶିଷ୍ଟ ଆବାସିକ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଘଟଣାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦୁଃଖ ପ୍ରକାଶ କରିଛନ୍ତି।  

କହିଛନ୍ତି- ‘ରୁଷ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି। ଏହି ଆକ୍ରମଣ ସିଧାସଳଖ ଏକ ଆବାସିକ କୋଠା ଉପରେ ହୋଇଥିଲା। ଲୋକମାନେ ଭଗ୍ନାବଶେଷ ତଳେ ଅଛନ୍ତି। ସମସ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଛନ୍ତି। କିଭ୍‌ର ୨୭ଟି ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ସୋଲୋମିନସ୍କି ଏବଂ ସ୍ୱିଆଟୋସିନସ୍କି ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି।‘

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଅଗଷ୍ଟ ୮ ସୁଦ୍ଧା ଶାନ୍ତି ଦିଗରେ କୌଣସି ଅଗ୍ରଗତି ନହୁଏ, ତେବେ ଆମେରିକା ରୁଷ ଉପରେ କଠୋର କଟକଣା ଏବଂ ଶୁଳ୍କ ଲାଗୁ କରିବ। ଏହା ସହିତ, ପାଶ୍ଚାତ୍ୟ ଦେଶମାନେ ପୁଟିନଙ୍କୁ ୟୁକ୍ରେନର ଅଧିକ ଅଞ୍ଚଳ କବଜା କରିବା ପାଇଁ ଜାଣିଶୁଣି ଶାନ୍ତି ଆଲୋଚନାକୁ ମନ୍ଥର କରୁଥିବା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.