ଋଷିଆ ଏବେ ନିଜେ ତିଆରି କଲାଣି ‘ସାହେଦ-136’ ଡ୍ରୋନ, ଚିନ୍ତାରେ ଇରାନ

Published By : Prameya-News7 Bureau | August 09, 2025 IST

ମସ୍କୋ ୯।୮: ଋଷିଆର ଅଲାବୁଗା ଫ୍ୟାକ୍ଟ୍ରିରେ ଏବେ ସ୍ୱତନ୍ତ୍ର ରୂପେ ସାହେଦ-୧୩୬ ଡ୍ରୋନର ଉତ୍ପାଦନ କରାଯାଉଛି। ଏହାକୁ ନେଇ ଏବେ ଇରାନର ଚିନ୍ତା ବଢି ଯାଇଛି। ଏହା ଋଷିଆର ସବୁଠୁ ବଡ଼ ଡ୍ରୋନ ନିର୍ମାଣ କେନ୍ଦ୍ର, ଯାହା ଇରାନ ଡିଜାଇନର ସାହେଦ-୧୩୬ ଆକ୍ରମକ ଡ୍ରୋନକୁ ସ୍ଥାନୀୟ ରୂପେ ତିଆରି କରୁଛି। ସୂତ୍ର ଅନୁସାରେ ଏହି ନିର୍ମାଣ ଏବେ ମସ୍କୋ ଓ ତେହେରାନ ସମ୍ପର୍କରେ ଉତ୍ତେଜନାର କାରଣ ପାଲଟିଛି। 

ଅଲାବୁଗା ଫ୍ୟାକ୍ଟ୍ରି ରାଜଧାନୀ ମସ୍କୋରୁ ୯୬୫ କିଲୋମିଟର ଦୂର ତାତାରସ୍ତାନରେ ରହିଛି। ଏଠାରେ ଡ୍ରୋନର ପାଖାପାଖି ସମସ୍ତ ଅଂଶ ସ୍ଥାନୀୟ ସ୍ତରରେ ତିଆରି ହେଉଛି। ଫ୍ୟାକ୍ଟ୍ରିର ସିଇଓ ତିମୁର ସାଗିଭାଲେଭ କହିଛନ୍ତି ଯେ ଆଲୁମିନିୟମ ବାର ଅଣାଯାଉଛି, ସେଥିରୁ ଇଞ୍ଜିନ ତିଆରି ହେଉଛି। ଇଲେକ୍ଟ୍ରୋନିକ୍ ଚିପ୍ ରୁ ମାଇକ୍ରୋଇଲେକ୍ଟ୍ରୋନିକ୍ସ ତିଆରି ହେଉଛି। ସେହିପରି କାର୍ବନ ଫାଇବର ଓ ଫାଇବର ଗ୍ଲାସ୍ ରୁ ଫ୍ୟୁଜଲେଜ୍ ତିଆରି ହେଉଛି। ସାହିଦ-୧୩୬କୁ ଋଷିଆରେ ‘ଗିରାନ’ କୁହାଯାଉଛି। 

ୟୁକ୍ରେନର ଭିତର ପର୍ଯ୍ୟନ୍ତ ଆକ୍ରମଣ ନିମନ୍ତେ ଋଷିଆ ଏବେ ଏହି ଡ୍ରୋନକୁ ବ୍ୟବହାର କରୁଛି। ଫେବୃଆରୀ ୨୦୨୨ ଆକ୍ରମଣ ପରେ ପ୍ରଥମେ ଏହି ଡ୍ରୋନକୁ ଇରାନରୁ ମଗା ଯାଇଥିଲା, ହେଲେ ଏବେ ଏହାକୁ ଋଷିଆରେ ସମ୍ପୂର୍ଣ୍ଣ ନିର୍ମାଣ କରାଯାଉଛି। ସାଟେଲାଇଟ ଛବିରୁ ଜଣାପଡୁଛି ଏହି ଫ୍ୟାକ୍ଟ୍ରିର ଏବେ ସମ୍ପ୍ରସାରଣ କରାଯାଉଛି। ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦା ସୂଚନା ଅନୁସାରେ ଏହି କାରଖାନା ସବୁ ମାସରେ ୫,୫୦୦ରୁ ଅଧିକ ଡ୍ରୋନ ତିଆରି କରୁଛି। 

ଏହି ତଥ୍ୟ ପୂର୍ବାପେକ୍ଷା ବେଶ୍ ଅଧିକ ଓ ଏଥି ପାଇଁ ଋଷିଆର ଖର୍ଚ୍ଚ ମଧ୍ୟ କମୁଛି। ୨୦୨୨ ମସିହାରେ ଗୋଟିଏ ଡ୍ରୋନ ତିଆରି ପାଇଁ ୨ଲକ୍ଷ ଡଲାର ଅର୍ଥାତ ୧କୋଟି ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ୨୦୨୫ରେ ଏହା ହ୍ରାସ ହୋଇ ୭୦ହଜାର ଡଲାର ବା ୬୧ଲକ୍ଷ ୩୬ ହଜାର ଟଙ୍କା ବ୍ୟୟ ହେଉଛି। ୟୁକ୍ରେନୀ ଅଧିକାରୀଙ୍କ ଅନୁସାରେ ଋଷିଆ ଏହି ଡ୍ରୋନରେ ଉନ୍ନତ ସଞ୍ଚାର ଉପକରଣ, ବିସ୍ଫୋରକ ୱାରହେଡ ଓ ଦୀର୍ଘ ଦୂରଯାତ୍ରା ପାଇଁ ବ୍ୟାଟେରୀ ବ୍ୟବହାର କରୁଛି। ଏଣୁ ଏହାକୁ ଖସାଇବା ସହଜ ହେଉ ନାହିଁ। ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ଆରମ୍ଭରେ ଋଷିଆର ସ୍ଥାନୀୟ ଉତ୍ପାଦନକୁ ନେଇ ଇରାନ ବେଶ୍ ଖୁସି ଥିଲା। ହେଲେ ଏବେ ଏହାର ଡିଜାଇ ଓ ଉତ୍ପାଦନ ଉପରୁ ହୁଏତ ନିୟନ୍ତ୍ରଣ ହରାଇପାରେ ସେଥି ପାଇଁ ଚିନ୍ତିତ ହୋଇପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.