ନୂଆଦିଲ୍ଲୀ: ରୁଷକୁ କ୍ରିମିୟା ସହ ଯୋଡ଼ୁଥିବା କେର୍ଚ ସେତୁ ଉପରେ ତୃତୀୟ ବଡ଼ ଆକ୍ରମଣ କରିଛି ୟୁକ୍ରେନ । ଯେଉଁ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି, ସେଥିରେ ପାଣି ତଳେ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳୁଛି । ୟୁକ୍ରେନ ସୁରକ୍ଷା ସେବା ଅନୁଯାୟୀ, ସକାଳ ୪:୪୫ରେ ବିସ୍ଫୋରଣ ଘଟିଥିଲା । ଆକ୍ରମଣ ପାଇଁ ୟୁକ୍ରେନ ସୁରକ୍ଷା ସେବା ଅଣ୍ଡରୱାଟର୍ ସପୋର୍ଟ୍ସରେ ବିସ୍ଫୋରକ ରଖି ବିସ୍ଫୋରଣ କରିଛି । ଏହି ବିସ୍ଫୋରଣରେ ବ୍ରିଜକୁ ବଡ଼ ଧରଣର କ୍ଷତି ପହଞ୍ଚିଥିବା ଦାବି କରାଯାଉଛି ।
ୟୁକ୍ରେନ ସୁରକ୍ଷା ସେବା ମୁଖ୍ୟ ଭାସିଲ ମାଲିୟୁକଙ୍କ ଦ୍ୱାରା ତଦାରଖ କରାଯାଉଥିବା ଏହି ମିଶନ ଉପରେ ଦୀର୍ଘ ଦିନରୁ କାମ କରାଯାଉଥିଲା । ଏହି ଅପରେସନରେ କେର୍ଚ ସେତୁ ତଳେ ପାଣି ଭିତରେ ୧୧୦୦ କିଲୋଗ୍ରାମ ଟିଏନଟି ବିସ୍ଫୋରକ ରଖାଯାଇଥିଲା । ପରେ ମଙ୍ଗଳବାର ସକାଳେ ଅପରେସନକୁ ଚୂଡ଼ାନ୍ତ ରୂପ ଦିଆଯାଇ ବିସ୍ଫୋରଣ କରାଯାଇଥିଲା । ରିପୋର୍ଟ ଅନୁସାରେ ବ୍ରିଜକୁ ସାହାରା ଦେଉଥିବା ସ୍ତମ୍ଭଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।
ରୁଷ ଓ କ୍ରିମିୟାକୁ ଯୋଡ଼ୁଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ରୋଡ୍ ଓ ରେଲ୍ ମାର୍ଗ ହେଉଛି କ୍ରିମିୟନ ବ୍ରିଜ୍ । ୨୦୧୪ରେ ରୁଷ ଦ୍ୱାରା କ୍ରିମିୟା ଉପରେ କବଜା କରାଯିବା ପରେ ଏହାକୁ ନିର୍ମାଣ କରାଯାଇଥିଲା । ଏହି ସେତୁକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଭାବେ ଗଣାଯାଏ । ଏହି ବ୍ରିଜ୍ ରୁଷ ପାଇଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଯୁଦ୍ଧ ବେଳେ ଏହି ବ୍ରିଜ୍ ଜରିଆରେ ରୁଷ ହତିଆର ଓ ସେନା ୟୁକ୍ରେନକୁ ପଠାଇଥିଲା ।
ଏହା ପୂର୍ବରୁ ୨୦୨୨ ଅକ୍ଟୋବର ୮ରେ ଏହି ପୋଲ ଉପରେ ଟ୍ରକରେ ବିସ୍ଫୋରଣ ହୋଇଥିଲା । ଏହା ପରେ ୨୦୨୩ ଜୁଲାଇରେ ବି ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ବ୍ରିଜର କିଛି ଭାଗ ନଷ୍ଟ ହୋଇଥିଲା । ଏହି ଅପରେସନ ପାଇଁ ସାମୁଦ୍ରିକ ଡ୍ରୋନ୍ ସି ବେବିକୁ ବ୍ୟବହାର କରାଯାଇଥିବା ସେତେବେଳେ ଭାସିଲ ମାଲିୟୁକ ଦାବି କରିଥିଲେ । ରୁଷ ବର୍ତ୍ତମାନ ସୁଦ୍ଧା ଏହି ଦାବି ଉପରେ କୌଣସି ଆନୁଷ୍ଠାନିକ ବୟାନ ଦେଇନାହିଁ । ଏହି ବିସ୍ଫୋରଣ ପରେ ବ୍ରିଜ୍ ପରିଚାଳକ ସେତୁ ଉପରେ ପରିବହନ ସେବାକୁ ବନ୍ଦ କରିଛନ୍ତି ।