ମସ୍କୋ ୪।୭: ଆଫଗାନିସ୍ତାନର ତାଲିବାନ ସରକାରକୁ ମାନ୍ୟତା ଦେବାରେ ଋଷିଆ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ତାଲିବାନ ୨୦୨୧ ମସିହାରୁ ଆଫଗାନିସ୍ତାନରେ ସରକାର ଚଳାଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସମୂଦାୟ ତାଲିବାନ ସରକାରକୁ ମାନ୍ୟତା ଦେଉ ନାହିଁ। ତେବେ ଋଷିଆ ଏକ ବଡ଼ ପଦକ୍ଷେପ ନେଇ ତାଲିବାନକୁ ଔପଚାରିକ ରୂପେ ମାନ୍ୟତା ଦେଇଛି। ଫଳରେ ବୈଶ୍ୱିକ କୁଟନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।
ଋଷିଆ ନା କେବଳ ତାଲିବାନ ସରକାରକୁ ମାନ୍ୟତା ଦେଇଛି ବରଂ ନିଜ ବେଆଇନ ସଙ୍ଗଠନ ସୂଚୀରୁ ମଧ୍ୟ ବାଦ ଦେଇଛି। ଋଷିଆ ବିଦେଶ ମନ୍ତ୍ରାଳୟ ଏ ନେଇ ସୂଚନା ଦେଇ କହିଛି ଯେ ଆଫଗାନିସ୍ତାନର ନବ ନିଯୁକ୍ତ ରାଜଦୂତ ଗୁଲ ହସନ ହସନଙ୍କଠାରୁ କ୍ରିଡେନସିଆଲ ସ୍ୱୀକାର କରିଛି, ଯାହା କୂଟନୈତିକ ମାନ୍ୟତାର ପ୍ରତୀକ। ଋଷୀୟ ମନ୍ତ୍ରାଳୟ ଅନୁସାରେ ଏହି ମାନ୍ୟତା ଦୁଇ ଦେଶଙ୍କ ମଧ୍ୟରେ ଦ୍ୱୀପାକ୍ଷୀୟ ସହଯୋଗକୁ ପ୍ରୋତ୍ସାହିତ କରିବ ଓ କ୍ଷେତ୍ରୀୟ ସ୍ଥିରତାରେ ଯୋଗଦାନ ଦେବ।
ଅପରପଟେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟ ଋଷିଆର ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛି। ତାଲିବାନ ବିଦେଶ ମନ୍ତ୍ରୀ ଆମୀର ଖାନ ମୁତ୍ତାକୀ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ ଏହି ନିଷ୍ପତ୍ତି ଅନ୍ୟ ଦେଶଙ୍କ ଲାଗି ଏକ ଭଲ ଉଦାହରଣ ଓ ଏହା ଦ୍ୱାରା ଆଫଗାନିସ୍ତାନକୁ ବୈଶ୍ୱିକ ମଞ୍ଚରେ ମାନ୍ୟତା ମିଳିବା ଦିଗରେ ପ୍ରଗତି ମିଳିବ। ଏପର୍ଯ୍ୟନ୍ତ ଆମେରିକା, ୟୁରୋପୀୟ ସଂଘ ଓ ଅଧିକାଂଶ ଦେଶ ତାଲିବାନ ସରକାରଙ୍କୁ ମାନ୍ୟତା ଦେବା ଲାଗି ଆଗପଛ ହେଉଛନ୍ତି। ଏହି ଦେଶମାନଙ୍କ ମୁଖ୍ୟ ଚିନ୍ତା ହେଉଛି ମହିଳାଙ୍କ ଅଧିକାର, ମାନୂାଧିକାର ଉଲ୍ଲଂଘନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ଅନୁପସ୍ଥିତିକୁ ନେଇ ରହିଛି। ଏଥିରେ ଋଷିଆର ଏହି ପଦକ୍ଷେପ ନା କେବଳ ତାଲିବାନ ଲାଗି କୂଟନୈତିକ ସମର୍ଥନ ବରଂ ପାଶ୍ଚାତ୍ୟ ଦେଶଙ୍କୁ ସ୍ପଷ୍ଟ ବାର୍ତ୍ତା ଯେ ଏବେ ବିଶ୍ୱର କୂଟନୈତିକ ସମୀକରଣ ବଦଳୁଛି।