ବରିଷ୍ଠ ରାଜନେତା ଅରୁଣ ସାହୁଙ୍କ ମନରେ ପୀଡ଼ା, ବିରୋଧୀ-ଶାସକ-ପ୍ରଶାସକ ସଭିଙ୍କୁ ମାରିଲେ ତେରଚ୍ଛା ବାଣ

NEWS7
rss-opens-up-on-aurangzeb-controversy-know-what-said

ଭୁବନେଶ୍ଵର: ବରିଷ୍ଠ ରାଜନେତା ଅରୁଣ ସାହୁଙ୍କ ମନରେ ପୀଡା । ପୀଡା ବ୍ୟବସ୍ଥାକୁ ନେଇ । ପୀଡା ଭାଷାକୁ ନେଇ । ପୀଡା ଗରିବୀକୁ ନେଇ । ଆଉ ନିଜ ମନର ଏହି ପୀଡାକୁ ପୁସ୍ତକରେ ଲିପିବଦ୍ଧ କରିଛନ୍ତି ଅରୁଣ ସାହୁ । କିଭଳି ନୋଚା ଲାଖି ନାମକ ଏକ ଗରିବ ଲୋକ ଏହି ଚକ୍ରବ୍ୟୁହରେ ପଡି ପୀଡା ପାଉଛି ଆଉ ଏଥିପାଇଁ କିଭଳି ନେତାଠୁ ବ୍ୟବସ୍ଥା ଦାୟୀ ତାକୁ ଏହି ପୀଡା ପୁସ୍ତକରେ ନିଖୁଣ ଭାବେ ଦର୍ଶାଇଛନ୍ତି ଅରୁଣ । କିନ୍ତୁ ତାଙ୍କର ଏହି ଲେଖା ମାଧ୍ୟମରେ ବ୍ୟବସ୍ଥା ଏବଂ ବ୍ୟକ୍ତିଙ୍କ ଆଡକୁ ଅଙ୍ଗୁଳିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅରୁଣଙ୍କ 'ପୀଡା' | ବରିଷ୍ଠ ବିଜେଡ଼ି ନେତା ତଥା ବିଧାୟକ ଅରୁଣ ସାହୁଙ୍କ ପୁସ୍ତକ 'ପୀଡା'କୁ ନେଇ ଚର୍ଚ୍ଚା | ଯଦିବା ପୀଡା ନିଜ ମନର ନା ପୀଡା ପୁସ୍ତକର ହିରୋ ନୋଚା ଲାଖିର ତାହା ଏକ ବିତର୍କିତ ବିଷୟ । କିନ୍ତୁ ନୂଆପଡା ଉପନିର୍ବାଚନ ବେଳେ ରାଜ୍ୟର ଉପାନ୍ତର ଅଞ୍ଚଳର କରୁଣ ଚିତ୍ରକୁ ପୁସ୍ତକରେ ବର୍ଣ୍ଣନା କରି ଚର୍ଚ୍ଚାକୁ ଆସିଛନ୍ତି ଅରୁଣ | ନୂଆପଡା ଉପନିର୍ବାଚନ ସମୟରେ ଅରୁଣଙ୍କ ଭେଟ ହୁଏ ନୋଚା ଲାଖି ନାମକ ଜଣେ ବ୍ୟକ୍ତି ସହ | ଯାହାଙ୍କ ଠାରେ ସେ ଅପପୃଷ୍ଟି ଓ ଦାରିଦ୍ର୍ୟତାର ନଗ୍ନ ଚିତ୍ର ଦେଖିଥିଲେ |

ନୋଚା ଲାଖି ପରିବାର ଜରିଆରେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ବିକାଶ, ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି, ସାମାଜିକ ସ୍ଥିତିରେ ଉନ୍ନତି ଏବଂ ସର୍ବୋପରି ନିର୍ବାଚନ ପରିଚାଳନାକୁ ଦେଖି ଆମ ବିଧି ବ୍ୟବସ୍ଥା କିଭଳି ସ୍ଥାଣୁ ଏବଂ ଦୁର୍ନୀତିଗ୍ରସ୍ତ ତାହା ପୁସ୍ତକରେ ବର୍ଣ୍ଣନା କରିଛନ୍ତି ବରିଷ୍ଠ ନେତା ଅରୁଣ ସାହୁ | ଗରିବୀ ଉପରେ ଅରୁଣ ପ୍ରଶ୍ନ କରି ଲେଖିଛନ୍ତି, ଏଠି ୧ ପ୍ରତିଶତଙ୍କ ପାଖରେ ୫୦ ପ୍ରତିଶତ ଧନ ଥିବାବେଳେ ୭୦ ପ୍ରତିଶତଙ୍କ ପାଖରେ ୧୦ ପ୍ରତିଶତ ଧନ ଅଛି | ତେଣୁ କେଉଁ ମାପ କାଠିରେ ବିପିଏଲ ନିର୍ଧାରଣ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ |

“ପୀଡ଼ା” ବହିରେ ଅରୁଣ ଉଲ୍ଲେଖ କରିଛନ୍ତି, ସହରୀ ସଭ୍ୟତାରେ କଥା କଥାରେ କହନ୍ତି ମୋତେ ଭଲରେ ଓଡିଆ ପଢ଼ି ଆସେନି, ଲେଖି ଆସେନି | ଏହାଠାରୁ ବଳି ଆଉ ଅଧିକା କ'ଣ ଅପମାନଜନକ କଥା ହୋଇପାରେ ? ତଥାପି ସେମାନଙ୍କୁ ଦୋଷ ଦିଆଯାଇ ପାରେନା କାରଣ, ସେମାନେ ଉଚ୍ଚ ସୋପାନର ମଣିଷ । ଏକଥା ଲେଖିବା ବେଳେ ସେ ଯେଉଁମାନେ ଓଡିଆ ହୋଇ ଶାସନ ଗାଦିରେ ରହି ବି ଓଡିଆତ୍ବକୁ ଆପଣେଇ ପାରିନାହାଁନ୍ତି ସେମାନଙ୍କ ଆଡକୁ ତେରେଛା ବାଣ ମାରିଛନ୍ତି ।

ଭୋଟରଙ୍କୁ ରାଜନୈତିକ ଦଳମାନେ ଯେଉଁ ଭଳି ବ୍ୟବହାର କରୁଛନ୍ତି ତା ଉପରେ ନିୟନ୍ତ୍ରଣ ଅଛି କି ବୋଲି ପ୍ରଶ୍ନ ପଚାରିଛନ୍ତି ଅରୁଣ | ୧୯୫୦ ରୁ ୧୯୭୫ ପର୍ଯ୍ୟନ୍ତ ନୂଆ ଶାସନ ଧିରେ ଧିରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିଲା | ୧୯୭୫ ରୁ ୨୦୦୦ମସିହା ପର୍ଯ୍ୟନ୍ତ ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ବ୍ୟାପିଲା | ଆଉ ୨୦୦୦ରୁ ୨୦୨୫ ମଧ୍ୟରେ ଦୁର୍ନୀତି ଅସ୍ଥିମଜ୍ଜାଗତ ହୋଇଯାଇଥିଲା ବୋଲି ଲେଖିଛନ୍ତି ଅରୁଣ | ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ୨୦୦୦ରୁ ୨୦୨୫ ଭିତରେ ଯେଉଁମାନେ ଶାସନରେ ଥିଲେ ସେମାନେ କିଭଳି ଦୁର୍ନୀତିକୁ ଅସ୍ଥି ମଜ୍ଜାଗତ କରିବାକୁ ସୁଯୋଗ ଦେଲେ ତାକୁ ନେଇ ଅରୁଣଙ୍କ ମନ ଆନ୍ଦୋଳିତ ହୋଇଛି ।

ଅରୁଣ ଲେଖିଛନ୍ତି ନିର୍ବାଚନ ଜିତିବା ପରେ ନେତାଙ୍କୁ ଦୁର୍ନୀତି ପାଇଁ ଯେମିତି ସ୍ବୀକୃତି ମିଳିଯାଇଥାଏ | ଆଉ ଜନତାଙ୍କ ସ୍ୱୀକୃତି ମିଳିବା ପରେ ଦୁର୍ନୀତି ନୀତିରେ ପାଲଟିଯାଏ | ସେ ନିଜେ ଜଣେ ନେତା ହିସାବରେ ଦୁର୍ନୀତି କିଭଳି ସମାଜର ସବୁ ସ୍ତରକୁ କବଳିତ କରିଛି ତାକୁ ଅନୁଭବ କରିଛନ୍ତି । ହେଲେ ସାଧାରଣ ଲୋକଟି ଏହା ବିରୋଦ୍ଧରେ ପ୍ରତିବାଦର ସ୍ବର ଉଠାଇ ପାରୁନାହାଁନ୍ତି କହି ଅରୁଣଙ୍କ ମନ ପୀଡାରେ ଭରିଯାଇଛି ।

ଅନ୍ତରାତ୍ମାକୁ ମାରି ଦେଇ ଆନ୍ତର୍ଜାତିକ ସ୍ତରକୁ ଯିବାର ମାନେ କ'ଣ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ? ମାଟି ମା' ପ୍ରତି ମମତା, ଭାଷା ପ୍ରତି ସମ୍ମାନ ଦେଖେଇବାଟା ହୃଦନଳୀରେ ରକ୍ତପ୍ରବାହ ଭଳି ହେବା ଦରକାର ବୋଲି ବହିରେ ଲେଖିଛନ୍ତି | ତେବେ ଅରୁଣଙ୍କ ଏହି ପୁସ୍ତକକୁ ନେଇ ଚର୍ଚ୍ଚା ଯେ ସେ ନିଜ ଭାବନାକୁ ନୋଚା ଲାଖି ମାଧ୍ୟମରେ ବଖାଣିବାକୁ ଚେଷ୍ଟା କରିଛନ୍ତି ।