Live Live
LIVE

ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିବୃତ୍ତି

NEWS7
rss-opens-up-on-aurangzeb-controversy-know-what-said

ଭୁବନେଶ୍ବର ୯।୩: ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ବିବୃତି ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧିନସ୍ଥ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର ହିତାକାରୀଙ୍କୁ ମାସିକ ନିୟମିତ ଚାଉଳ କୋଟା ସହ, ପର୍ବପର୍ବାଣି ତଥା ଅନ୍ୟାନ୍ୟ ସମୟରେ ଆବଶ୍ୟକ ହେଉଥିବା ଚାଉଳର ଚାହିଦାକୁ ଦୃଷ୍ଟିରେ ରଖି, ଅତିରିକ୍ତ ଚାଉଳ କୋଟା ଯୋଗାଇ ଦେଉଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୧୨ ଲକ୍ଷ ୩୬ ହଜାର ୩୯୯ ପରିବାରର ୩୪ ଲକ୍ଷ ୭୭ ହଜାର ୫୫୦ ସଦସ୍ୟ ଅନ୍ତୋଦୟ ଅନ୍ନ ଯୋଜନା ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଛନ୍ତି । ୮୬ ଲକ୍ଷ ୬୨୫ ପରିବାରର ୨ କୋଟି ୯୧ ଲକ୍ଷ ୧୮ ହଜାର ୫୭୬ ସଦସ୍ୟ ଅଗ୍ରାଧିକାର ପରିବାର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଦୁଇ ଶ୍ରେଣୀର ହିତାଧିକାରୀଙ୍କୁ ମିଶାଇ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସମୁଦାୟ ୯୮ ଲକ୍ଷ ୩୭ ହଜାର ୨୪ ପରିବାରର ୩ କୋଟି ୨୫ ଲକ୍ଷ ୯୬ ହଜାର ୧୨୬ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି । ସେହିଭଳି ବର୍ଭମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅର୍ଧନରେ ୨ ଲକ୍ଷ ୯୮ ହଜାର ୭୨୭ ପରିବାରର ୫ ଲକ୍ଷ ୬୨ ହଜାର ୭୪୧ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।

ପୂର୍ବ ସରକାର ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଖାଉଟୀଙ୍କୁ କେବଳ ଭୁଆଁ ବୁଲାଇବା ଛଡା କିଛି କରିନାହାନ୍ତି I ବିଶେଷ କରି, ଗ୍ରାମାଞ୍ଚଳରେ ରହୁଥିବା ଖାଉଟୀଙ୍କ ପାଇଁ ଚାଉଳର ପ୍ରକୃତ ଆବଶ୍ୟକତା ହୃଦୟଙ୍ଗମ କରିନାହାନ୍ତି । ତାଙ୍କ ଶାସନ ସମୟରେ ଖାଉଟୀଙ୍କୁ ନିୟମିତ ମାସିକ କୋଟା ବ୍ୟତୀତ, ଅତିରିକ୍ତ ଚାଉଳ କୋଟା ଯୋଗାଇନାହାନ୍ତି । ଏପରିକି କେନ୍ଦ୍ର ସରକାରଙ୍କ ଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନସ୍ଥ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ଯୋଗାଇଦିଆ ଯାଉଥିବା ଚାଉଳକୁ ସାମାନ୍ୟ ରିହାତି ଦେଇ ୧ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବାଣ୍ଟି, ଗରିବ ଖାଉଟୀଙ୍କୁ ମିଛ କହିବାର ପାପ କରିଛନ୍ତି ।

ସେହିପରି, ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିବାରୁ ବଞ୍ଚିତ କରିବା ପାଇଁ, ପୂର୍ବ ସରକାର ବର୍ଷ ବର୍ଷ ଧରି ବିଭାଗୀୟ ପୋର୍ଟାଲକୁ ବନ୍ଦ କରି ରଖୁବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ ଯାହା ଏକ ନିନ୍ଦନୀୟ ବିଷୟ । ଏପରିକି ୨୦୨୪ ପୂର୍ବରୁ ହସ୍ତଗତ ହୋଇଥିବା ଲକ୍ଷ ଲକ୍ଷ ଆବେଦନ ଗୁଡ଼ିକ ଉପରେ କୌଣସି ପଦକ୍ଷେପ ନେଇନଥିଲେ ।

ପୂର୍ବ ସରକାରଙ୍କ ଅମଳରେ, ବିଭିନ୍ନ ସର୍ଭେର ଆଳ ଦେଖାଇ ଓ ରାଜନୈତିକ ଉଦ୍ଦେଶ୍ୟ ରଖି, ଲୋକଙ୍କ ରାସନ କାର୍ଡ ମଧ୍ୟ କଟାଯାଉଥିଲା । ପ୍ରାୟ ୧୦ ଲକ୍ଷ ୫୪ ହଜାର ପରିବାରର ୩୦ ଲକ୍ଷ ୬୯ ହଜାର ସଦସ୍ୟଙ୍କୁ, ପୂର୍ବ ସରକାର ସେମାନଙ୍କ ରାସନ କାର୍ଡ଼ କାଟିଥିଲେ । ଏପରିକି, ଗରିବ ହିତାକାରୀଙ୍କ ଠାରୁ, ଉଠାଣ କରିଥିବା ରାସନ ସାମଗ୍ରୀର ୪୨ କୋଟି ଆର୍ଥିକ ମୂଲ୍ୟ ମଧ୍ୟ ପୂର୍ବ ସରକାର ଆଦାୟ କରିବାକୁ ପଛାଇନଥିଲେ ।

ନୂତନ ସରକାର ଆସିଲା ପରେ, ବର୍ଷ ବର୍ଷ ଧରି ବନ୍ଦ ଥିବା ରାସନ କାର୍ଡ ପୋର୍ଟାଲ ଚାଲୁ କରାଯାଇଅଛି । ପୂର୍ବ ସରକାର ଅମଳରେ ଯେଉଁମାନେ ଅନ୍ୟାୟ ଭାବରେ ବାଦ ପଡ଼ିଥିଲେ, ସେମାନଙ୍କ ପୁନଃ କ୍ଷେତ୍ର ତର୍ଜମା କରି, ଯୋଗ୍ୟ ପରିବାର ମାନଙ୍କୁ ପୁଣି ଥରେ ଖାଦ୍ୟ ସୁରକ୍ଷାଭୁକ୍ତ କରି, ସେହି ଗରିବ ପରିବାର ମାନଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ।

ନୂତନ ସରକାର ଆସିଲା ପରଠାରୁ, ରାସନ କାର୍ଡ ପାଇଁ ହସ୍ତଗତ ହୋଇଥିବା ସମସ୍ତ ୧୭ ଲକ୍ଷ ୩୮ ହଜାର ୯୪୬ ଗୋଟି ଆବେଦନ ଗୁଡ଼ିକର ତ୍ବରିତ କ୍ଷେତ୍ର ତର୍ଜମା କରାଯାଉଅଛି । ତନ୍ମଧ୍ୟରୁ, ୪ ଲକ୍ଷ ୯୬ ହଜାର ୯୧୯ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୯ ଲକ୍ଷ ୮୩ ହଜାର ୯୦୦, କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ, ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେହିପରି, ୮ ଲକ୍ଷ ୫୮ ହଜାର ୬୫୪ ଗୋଟି ଅଯୋଗ୍ୟ ଆବେଦନ ଗୁଡ଼ିକୁ ବାଦ ଦେବାପରେ ବଳକା ଥିବା ୩ ଲକ୍ଷ ୮୩ ହଜାର ୩୭୩ ଗୋଟି ଏବଂ ସଦ୍ୟ ହସ୍ତଗତ ହେଉଥିବା ଆବେଦନ ଗୁଡ଼ିକର, ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଚାଲିଛି । କ୍ଷେତ୍ର ତର୍ଜମାରେ ଯୋଗ୍ୟ ବିବେଚିତ ହେଉଥିବା ଆବେଦନକାରୀଙ୍କୁ, ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯାଉଅଛି ।

ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସମୟରେ, ଅଦ୍ୟାବଧି ୭ ଲକ୍ଷ ୭୨ ହଜାର ୯୬୫ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନିତ କରାଯାଇ, ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ ଦିଆ ଯାଇଛି । ସେହିଭଳି ୧ ଲକ୍ଷ ୨୫ ହଜାର ୮୪୦ ଅଯୋଗ୍ୟ ହିତାଧିକାରୀଙ୍କୁ (ସରକାରୀ ଚାକିରି, ଆୟକରଦାତା) ଚିହ୍ନଟ କରାଯାଇ ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ ଦିଆ ଯାଇଅଛି। ଖାଲି ହେଉଥିବା ସ୍ଥାନରେ, ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଅଛି । ଏହାଦ୍ବାରା ବର୍ଷିକ ହାରାହାରି ୨୧୫ କୋଟି ଟଙ୍କାର ରାଜସ୍ବ ଅପବ୍ୟୟ ରୋକାଯାଇଛି ।

ପର୍ବପର୍ବାଣି ତଥା ଅନ୍ୟାନ୍ୟ ସମୟରେ ଆବଶ୍ୟକ ହେଉଥିବା ଚାଉଳର ଚାହିଦାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ସମୟ ସମୟରେ ଅତିରିକ୍ତ ଚାଉଳ କୋଟା ଯୋଗାଇ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧ ଗୋଟି ଜିଲ୍ଲା ଯଥା ବଲାଙ୍ଗିର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା ଏବଂ ସୁବର୍ଣପୁରରେ ଥିବା ମୋଟ ୨୭ ଲକ୍ଷ ୩୮ ହଜାର ୮ ଶହ ୨୯ ହିତାଧିକାରୀ ପରିବାରଙ୍କୁ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫, ତିନି ମାସର ଅତିରିକ୍ତ ଚାଉଳ, କାର୍ଡ଼ ପିଛା, ମାସିକ ୫ କିଲୋଗ୍ରାମ ଲେଖାଏଁ, ୪୧ ହଜାର ୮୨.୪୪ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଚାଉଳର, ମାଗଣାରେ ବଣ୍ଟନ କରାଯାଇଅଛି ।

ସେହିପରି, ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ଅବଶିଷ୍ଟ ୧୯ ଗୋଟି ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ଵର, ବରଗଡ଼, ଭଦ୍ରକ, କଟକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ରେ ଥିବା ମୋଟ ୭୦,୪୭,୪୧୮ ହିତାଧିକାରୀ ପରିବାରଙ୍କୁ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫, ତିନି ମାସର ଅତିରିକ୍ତ ଚାଉଳ କୋଟା, କାର୍ଡ଼ ପିଛା, ମାସିକ ୫ କିଲୋଗ୍ରାମ ଲେଖାଏଁ ମାଗଣାରେ ବଣ୍ଟନ କରାଯାଇଛି ।

ତୃତୀୟ ପର୍ଯ୍ୟାୟରେ, ରାଜ୍ୟର ୧୪ ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯଥା କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର, ବାଲେଶ୍ବର, ଦେବଗଡ, ଗଜପତି, ଝାରସୁଗୁଡା ଓ ସୁନ୍ଦରଗଡ।

ଅନ୍ତର୍ଗତ ୧୨୧ ଗୋଟି ଆଦିବାସୀ ବହୁଳ ବ୍ଲକ ଅଧୀନରେ ଥିବା ୨୭ ଲକ୍ଷ ୩୪ ହଜାର ୪୯୭ ପରିବାରର ୯୦ ଲକ୍ଷ ୧୩ ହଜାର ୨୭୭ ସଦସ୍ୟଙ୍କ ନିମନ୍ତେ, ସମୁଦାୟ ୧ ଲକ୍ଷ ୦୯ ହଜାର ୩୭୯ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଚାଉଳର ଅତିରିକ୍ତ କୋଟା, ପରିବାର ପିଛା ମାସିକ ୧୦ କିଲୋଗ୍ରାମ ବିନା ମୂଲ୍ୟରେ, ଡିସେମ୍ବର ୨୦୨୫ ଓ ଜାନୁଆରୀ-ଫେବୃୟାରୀ-ମାର୍ଚ୍ଚ ୨୦୨୬ (୪ ମାସ) ପାଇଁ, ବଣ୍ଟନ କରାଯାଉଅଛି ।

ଏହି ବାବଦକୁ ହୋଇଥିବା ସମୁଦାୟ ୧୧ ଶହ ୧୫ କୋଟି ୬୮ ଲକ୍ଷ ୭୨ ହଜାର ୧୯୨ ର ବ୍ୟୟ ବରାଦ ରାଜ୍ୟ ସରକାର ବହନ କରିଛନ୍ତି ।

ସମଗ୍ର ରାଜ୍ୟରେ ନୂତନ ରାସନ କାର୍ଡ଼ ପାଇଁ ତଥା ଯୋଗ୍ୟ କାର୍ଡରେ ଯୋଗହେବା ପାଇଁ ହସ୍ତଗତ ହୋଇଥିବା ଆବେଦନ ଗୁଡ଼ିକୁ ନଜରରେ ରଖି, ରାଜ୍ୟ ସରକାର, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ, ଗ୍ରାମାଞ୍ଚଳ ପାଇଁ ୧୩,୫୦,୦୦୦ ହିତାଧିକାରୀ ଟାର୍ଗେଟ ତଥା ସହରାଞ୍ଚଳ ପାଇଁ ୧,୫୦,୦୦୦ ହିତାଧିକାରୀ ଟାର୍ଗେଟ ପ୍ରଦାନ କରିଛନ୍ତି ।

ଅପରପକ୍ଷରେ, ରାଜ୍ୟ ଶ୍ରମ ବିଭାଗ ଦ୍ବାରା ଦୈନିକ ମଜୁରୀରେ କରାଯାଇଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି, ଓଡ଼ିଶା ଖାଦ୍ୟ ସୁରକ୍ଷା (ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା) ନିୟମ ୨୦୨୦ରେ, ଗ୍ରାମାଞ୍ଚଳରେ ରହିଥିବା ଯୋଗ୍ୟ ପରିବାରର ମାସିକ ଆୟ ୧୦,୦୦୦/- ରୁ ବୃଦ୍ଧି କରି, ୧୫,୦୦୦/- ଏବଂ ସହରାଞ୍ଚଳରେ ରହୁଥିବା ଯୋଗ୍ୟ ପରିବାରର ମାସିକ ଆୟ, ୧୫,୦୦୦/- ରୁ ବୃଦ୍ଧି କରି ୨୦,୦୦୦/- କରାଯାଉଅଛି । ଏହି ପଦକ୍ଷେପଟି ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ, ଖାଦ୍ୟ ସୁରକ୍ଷାର ପରିଧିକୁ ଆଣିବାର ସତତ ପ୍ରୟାସକୁ ସୂଚାଏ ।

ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ଉପରୋକ୍ତ ପଦକ୍ଷେପ ଗୁଡ଼ିକ, ରାଜ୍ୟରେ ଥିବା ପ୍ରତ୍ୟେକ ଖାଦ୍ୟ ସୁରକ୍ଷା ଲୋଡୁଥିବା ହିତାଧିକାରୀଙ୍କ ପ୍ରତି ସମ୍ବେଦନଶୀଳତାକୁ ଦର୍ଶାଏ । ନିରପେକ୍ଷ ଭାବରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ହିଁ ନୂତନ ସରକାରଙ୍କ ସଂକଳ୍ପ । କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ରାସନ କାର୍ଡ ପାଇବାରୁ ବଞ୍ଚିତ ନହେବେ ସେଥିପାଇଁ ମୋହନ ସରକାର ସଂକଳ୍ପବଦ୍ଧ ।