ଜମ୍ମୁ-କାଶ୍ମୀରର ବନ୍ଦେ ଭାରତରେ କଡ଼ା ସୁରକ୍ଷା : ୨ଟି ଟ୍ରେନ୍‌ରେ ନିୟୋଜିତ ହେବେ କମାଣ୍ଡୋ ଓ ସୁପରଭାଇଜର

Published By : Prameya-News7 Bureau | June 06, 2025 IST

ନୂଆଦିଲ୍ଲୀ : କଟରାରୁ କାଶ୍ମୀର ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନର ସୁରକ୍ଷାର ଦାୟିତ୍ୱ ଆରପିଏଫ୍‌ର କମାଣ୍ଡୋଙ୍କୁ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜମ୍ମୁ-କାଶ୍ମୀରରେ କଟରା ଓ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍‌ ସେବାକୁ ସବୁଜ ସଙ୍କେତ  ଦେଖାଇଛନ୍ତି। ଏହା କାଶ୍ମୀର ଘାଟୀ ଓ ଜମ୍ମୁ କ୍ଷେତ୍ର ମଧ୍ୟରେ ପ୍ରଥମ ସିଧା ରେଳ ସେବା, ଯାହା ଉଧମପୁର – ଶ୍ରୀନଗର-ବାରାମୂଳା ରେଳ ସେକ୍ସନରେ ମାତା ବୈଷ୍ଣବ ଦେବୀ ମନ୍ଦିରର ଆଧାର ସ୍ଥଳ କଟରା ଯାଏ ଚାଲିବ। ବରିଷ୍ଠ ଅଧିକାରୀ କହିଛନ୍ତି, ରେଲୱେ ସୁରକ୍ଷା ପାଇଁ ଆରପିଏଫ୍‌ର କମାଣ୍ଡୋଙ୍କୁ କଟରା ଓ କଶ୍ମୀର ମଧ୍ୟରେ ୟୁଏସବିଆରଏଲ (ଉଧମପୁର-ଶ୍ରୀନଗର –ବାରାମୂଳା ରେଳ ଲିଙ୍କ)ରେ ବନ୍ଦେ ଭାରତ ଟ୍ରେନ୍‌ରେ ନିୟୋଜିତ କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଯେଉଁ ୨ଟି ବନ୍ଦେ ଭାରତ ଟ୍ରେନ୍‌କୁ ସବୁଜ ସଙ୍କେତ ଦେଖାଇଛନ୍ତି, ଏଥିରେ ମଧ୍ୟ ଆରପିଏଫ୍‌ର କମାଣ୍ଡୋ ଉପସ୍ଥିତ ଥିଲେ। ଅଧିକାରୀମାନେ କହିଛନ୍ତି ଯେ, ଟ୍ରେନ୍‌ ଓ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୁଇ ବନ୍ଦେ ଭାରତ ଟ୍ରେନ୍‌ରେ ୧୫-୧୫ କମାଣ୍ଡୋ ଓ ୧-୧ ସୁପରଭାଇଜର ମୁତୟନ ରହିବେ। ସେ କହିଛନ୍ତି ଯେ , କମାଣ୍ଡୋଙ୍କର ଏହି ୟୁନିଟ୍‌କୁ ନିକଟରେ ବାହାରୁ ଅଣାଯାଇଛି। ଏମାନେ କାଶ୍ମୀର ଘାଟୀର ବଡଗାମ ଅଞ୍ଚଳ ଓ ରିୟାସି ଜିଲ୍ଲାର କଟରା କ୍ଷେତ୍ରରେ ମୁତୟନ ହେବେ। ଅଧିକାରୀମାନେ କହିଛନ୍ତି ଯେ, ଖୁବ୍‌ ଚ୍ୟାଲେଞ୍ଜ ପୂର୍ଣ୍ଣ ସୁରକ୍ଷା ଅଭିଯାନ, ବିଶେଷକରି ନକ୍ସଲ ଉପଦ୍ରବ ଭଳି ବିପଦପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଧ୍ୟାନ କେନ୍ଦ୍ରିତ କରିବା ପରେ , ଏହା ପ୍ରଥମ ଥର ଯେବେ ସିଓଆରଏଏସ୍‌କୁ ଜମ୍ମୁ-କାଶ୍ମୀରରେ ମୁତୟନ କରାଯାଇଛି।

ରେଲୱେ ଅଧିକାରୀମାନେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସବୁଜ ସଙ୍କେତ ପରେ ୭ଜୁନରୁ ଦୁଇଟି ନୂଆ ବନ୍ଦେ ଭାରତ ଟ୍ରେନର ନିୟମିତ ଯାତାୟାତ ଆରମ୍ଭ ହେବ। ଏହି ଟ୍ରେନ୍‌ ସପ୍ତାହରେ ୬ଦିନ ଚାଲିବ। ମଙ୍ଗଳବାର ରକ୍ଷଣାବେକ୍ଷଣ ପାଇଁ ସଂରକ୍ଷିତ ରଖାଯିବ। ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର କହିଛନ୍ତି ଯେ, ପିଏମ୍‌ ମୋଦିଙ୍କ ଦୃଢ ସଂକଳ୍ପ କାରଣରୁ କାଶ୍ମୀରକୁ ରେଳ ମାର୍ଗ ଜରିଆରେ ଦେଶର ଅବଶିଷ୍ଟ ଭାଗ ସହ ଯୋଡ଼ିବାର ସ୍ୱପ୍ନ ସାକାର ହୋଇ ପାରିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.