ବିରାଟ ଓ ପାଡିକଲଙ୍କ ବିସ୍ଫୋରକ ଇନିଂସ; ରାଜସ୍ଥାନ ସାମ୍ନାରେ ୨୦୬ ରନ୍ ଟାର୍ଗେଟ୍

Published By : Prameya-News7 Bureau | April 24, 2025 IST

ବେଙ୍ଗାଲୁରୁ: ଆଇପିଏଲରେ ବିରାଟ୍ କୋହଲିଙ୍କ ବ୍ୟାକ୍ ଟୁ ବ୍ୟାକ୍ ଫିଫ୍ଟି । ରାଜସ୍ଥାନ ରୟାଲ୍ସ ବିରୋଧରେ ବିସ୍ଫୋରକ ଇନିଂସ ଖେଳିଛନ୍ତି କିଙ୍ଗ୍ କୋହଲି । ସେ ମାତ୍ର ୪୨ଟି ବଲରୁ ୭୦ ରନ୍ କରିଛନ୍ତି । ଅନ୍ୟପଟେ ବିରାଟଙ୍କୁ ସାଥ୍ ଦେଇଥିଲେ ଦେବଦତ୍ତ ପାଡିକଲ୍ । ସେ  ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଡିଏ ଓଭରରେ ୨୦୫ ରନ୍ ସଂଗ୍ରହ କରିଛି । ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୦୬ କରିବାକୁ ପଡ଼ିବ ।  

ଆଇପିଏଲ ମହାସମରରେ ୪୨ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ରାଜସ୍ଥାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ଆରସିବି । ଫିଲ୍ ସଲ୍ଟ ଓ ବିରାଟ କୋହଲି ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ବେଙ୍ଗାଲୁରୁର ପ୍ରଥମ ବିପର୍ଯ୍ୟୟ ସପ୍ତମ ଓଭରରେ ଘଟିଥିଲା । ସଲ୍ଟ ୨୩ଟି ବଲ୍ ଖେଳି ୨୬ ରନ୍ କରି ହସରଙ୍ଗାଙ୍କ ଶିକାର ହୋଇଥିଲେ ।  ଏହାପରେ ବିରାଟ କୋହଲି ଏବଂ ଦେବଦତ୍ତ ପାଡିକ୍କଲଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟରେ ୫୧ ବଲରେ ୯୫ ରନ୍‌ର ଭାଗିଦାରୀ ହୋଇଥିଲା । କୋହଲି ୪୨ ବଲ୍‌ରେ ୭୦ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଏଥିରେ ୮ଟି ଚୌକା ଓ ୨ଟି ଛକା ରହିଛି ।

ସେହିପରି ଦେବଦତ୍ତ ପାଡିକ୍କାଲ ୨୭ ବଲ୍‌ରେ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୫୦ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ତାଙ୍କୁ ସନ୍ଦୀପ ଶର୍ମା ଆଉଟ୍ କରିଥିଲେ। ଅଧିନାୟକ ରଜତ ପାଟିଦାର ତିନି ବଲରେ କେବଳ ଗୋଟିଏ ରନ୍ କରିପାରିଥିଲେ। ସେହିପରି ଟିମ୍ ଡେଭିଡ୍ ୧୫ବଲରେ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଶେଷରେ ଜିତେଶ ଶର୍ମା ୧୦ ବଲରେ ବିସ୍ଫୋରକ ୨୯ରନ୍ ସଂଗ୍ରହ କରିଥିଲେ । ଯାହାଫଳରେ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ରାଜସ୍ଥାନକୁ ୨୦୬ ରନ୍‌ର ଟାର୍ଗେଟ୍ ଦେଇଛି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ସନ୍ଦୀପ ଶର୍ମା ଦୁଇଟି ୱିକେଟ୍ ନେଇଥିବା ବେଳେ ୱାନିନ୍ଦୁ ହସରଙ୍ଗା ଏବଂ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.