ଦିଲ୍ଲୀ: ହୁମାୟୁନଙ୍କ କବର ନିକଟ ଦରଘାର ଭୁଶୁଡିଲା ଛାତ, ୫ ମୃତ ଅନେକ ଦବି ରହିଥିବା ଆଶଙ୍କା

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ ୧୫।୮:   ଦେଶରେ ଶୁକ୍ରବାର ସ୍ୱାଧୀନତା ଦିବସ ପାଳନ ବେଳେ ରାଜଧାନୀ ଦିଲ୍ଲୀରୁ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ମିଳୁଥିବା ସୂଚନା ଅନୁସାରେ ଦିଲ୍ଲୀର ହୁମାୟୁନ କବର ପରିସରରେ ଥିବା ଏକ ଦରଘାର ଛାତ ଭୁଶୁଡି ପଡିଛି। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛାତ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। 

ଏମାନଙ୍କୁ ଉଦ୍ଧାର କରି ଟ୍ରମା ସେଣ୍ଟର ଅଣାଯାଇଥିଲା, ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି। ଦୁର୍ଘଟଣା ଖବର ମିଳିବାମାତ୍ରେ ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି। ସୂଚନା ଅନୁସାରେ ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳରେ ଥିବା ହୁମାୟୁନଙ୍କ କବର ପଛପାଖରେ ଥିବା ପତ୍ତେଶାହ ଦରଘାର ଦୁଇ ବଖରା ଘର ଭୁଶୁଡିପଡିଛି। ଏବେ ଘଟଣା ସ୍ଥଳରେ ଏନଡିଆରଏଫ ଓ ଫାୟାର ବ୍ରିଗେଡ ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। 


ଡିସିପି ହେମନ୍ତ ତିୱାରୀ କହିଛନ୍ତି ଯେ କିଛି ଲୋକଙ୍କୁ ବାହାର କରାଯାଇଛି ଓ ଆଉ କିଛି ଲୋକେ ଭଙ୍ଗା ଘର ତଳେ ଦବି ରହିଛନ୍ତି। ଏମାନଙ୍କ ସଂଖ୍ୟା ୧୦ରୁ ୧୨ ଜଣ ହୋଇପାରେ। ତେବେ ଉଦ୍ଧାର ଅଭିଯାନ ଚଳାଯାଇଛି।  ଦିଲ୍ଲୀ ଅଗ୍ନିସମ ସେବାର ଜନୈକ ଅଧିକାରୀ କହିଛନ୍ତି ଯେ ଅପରାହ୍ନ ପାଖାପାଖି ସାଢେ ୪ଟା ବେଳେ ଗମ୍ବୁଜର ଗୋଟିଏ ଭାଗ ଭାଙ୍ଗି ପଡିଥିବା ଖବର ମିଳିଥିଲା। ଏଣୁ ତୁରନ୍ତ ଘଟଣାସ୍ଥଳକୁ ଅଗ୍ନିସମ କର୍ମଚାରୀଙ୍କୁ ପଠାଯାଇଥିଲା। 


ଉଲ୍ଲେଖ ଯୋଗ୍ୟ ଯେ ରାଜଧାନୀ ଦିଲ୍ଲୀରେ ଗତ ୨ ଦିନ ହେଲା ମୁଶଳଧାରା ବର୍ଷା ଲାଗି ରହିଛି। ଏଣୁ ଆଶଙ୍କା କରାଯାଉଛି ବର୍ଷା ଯୋଗୁ ଏହି ପୁରୁଣା ନିର୍ମାଣର ଅଂଶ ଭାଙ୍ଗି ପଡିଛି। ଏହି ସ୍ମାରକଟି ଷୋଡ଼ଶ ଶତାବ୍ଦୀର ହୋଇଥିବା ବେଳେ ଏଠାକୁ ପ୍ରାୟତଃ ପର୍ଯ୍ୟଟକ ଆସିଥାନ୍ତି। ଏଣୁ ଏଠାରେ ଗହଳଚହଳ ଲାଗି ରହିଥାଏ। ଦିଲ୍ଲୀ କାଲକାଜୀରେ ଗୁରୁବାର ବର୍ଷା ବେଳେ ରାସ୍ତାଉପରେ ଗଛପଡିଯାଇଥିଲା। ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଥିବା ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ। ସେହିପରି ଦକ୍ଷିଣ ଦିଲ୍ଲୀରେ କାନ୍ଥ ଭୁଶୁଡିବାରୁ ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.