ଦିନିକିଆ ସିରିଜ୍ ପାଇଁ ଟ୍ରେନିଂ ଆରମ୍ଭ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ୍

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବ୍ୟାଟର ରୋହିତ ଶର୍ମା ଆଗାମୀ ଦିନିକିଆ ସିରିଜ୍ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତାଙ୍କୁ ଅଭିଷେକ ନାୟରଙ୍କ ସହ ଜିମ୍‌ରେ ଟ୍ରେନିଂ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଦିନିକିଆ ଦଳର ଅଧିନାୟକ ରୋହିତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରୋହିତଙ୍କୁ ପଡ଼ିଆରେ ଓ୍ଵାର୍କ ଆଉଟ୍ କରୁଥିବା ଦେଖିବାକୁ ମିଳିଛି। ରୋହିତ ଦୁଇ ମାସରୁ ଅଧିକ ସମୟ ହେବ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି ନାହାନ୍ତି। ସେ ଶେଷ ଥର ଆଇପିଏଲ୍ ୨୦୨୫ର ଦ୍ଵିତୀୟ କ୍ଵାଲିଫାଏରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ରୋହିତ ଶର୍ମା ଟି-୨୦ ଏବଂ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଛନ୍ତି ଏବଂ ଏବେ କେବଳ ଦିନିକିଆ ଖେଳୁଥିବା ଦେଖିବାକୁ ମିଳିବ।

ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଆଗାମୀ ଅଷ୍ଟ୍ରେଲିଆ ସିରିଜ୍‌ ପରେ ରୋହିତ ଦିନିକିଆ ଫର୍ମାଟ୍‌ରୁ ହଟି ପାରନ୍ତି। ଏହି ସବୁ ଗୁଜବ ମଧ୍ୟରେ ରୋହିତ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି ଏବଂ ସିରିଜ୍‌ର ପ୍ରସ୍ତୁତି ଉପରେ ଧ୍ୟାନ ଦେଇଛନ୍ତି। ସେ ଅଭିଷେକ ନାୟରଙ୍କ ସହିତ ଟ୍ରେନିଂ କରୁଛନ୍ତି, ଯିଏ ତାଙ୍କର ପୁରୁଣା ବନ୍ଧୁ ସହ କୋଚ୍ ମଧ୍ୟ। ରୋହିତଙ୍କୁ ପଡ଼ିଆରେ ବୁଲୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।




ରୋହିତ ଓ କୋହଲି ଉଭୟ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟ ଫର୍ମାଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ମାତ୍ର  ଦିନିକିଆ ଫର୍ମାଟ୍‌ରେ ଖେଳିବା ଜାରି ରଖିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜର ଭବିଷ୍ୟତକୁ ନେଇ ଚାଲୁଥିବା ଆଲୋଚନା ମଧ୍ୟରେ ଭାରତର ଏହି ବରିଷ୍ଠ ବ୍ୟାଟର ଦିନିକିଆର ସଦ୍ୟତମ ମାନ୍ୟତାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ୩୮ ବର୍ଷୀୟ ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠି ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.