'ସାବାସ୍ ଡିକେ...ଓ୍ବାର୍ଲ୍ଡକପ୍ ଖେଲନା ହୈ'; ରୋହିତ୍‌ଙ୍କ ଇସାରା, କାର୍ତ୍ତିକ୍‌ଙ୍କୁ ମିଳିବ ଟି-୨୦ ବିଶ୍ବକପ୍ ଟିକେଟ୍

Published By : Prameya-News7 Bureau | April 12, 2024 IST

ମୁମ୍ବାଇ: ରୋହିତ୍ ଶର୍ମା ଓ ଷ୍ଟମ୍ପ୍ ମାଇକ୍ । ପୁଣି ଭାଇରାଲ୍ ହିଟମ୍ୟାନ୍ । ଷ୍ଟାଡିୟମରେ ଶୁଭିଲା ଭଏସ୍ । ସାବାସ୍ ଡିକେ...ଓ୍ବାର୍ଲ୍ଡକପ୍ ଖେଲନା ହୈ । ଦିନେଶ କାର୍ତ୍ତିକଙ୍କ ତୁଫାନି ବ୍ୟାଟିଂକୁ ପ୍ରଶଂସା । ହିଟମ୍ୟାନ୍ ଓ ପୁଲ୍ ସଟ୍ ଭଳି ରୋହିତ୍ ଶର୍ମା ଓ ଷ୍ଟମ୍ପ୍ ମାଇକ୍ ଏକ ଭିନ୍ନ କାହାଣୀ । ପୁଲ୍ ସଟ୍ ଭଳି ରୋହିତଙ୍କୁ ପସନ୍ଦ ଓ୍ବିକେଟ୍ ମାଇକ୍ । ପୁଣି ଥରେ ଷ୍ଟମ୍ପ୍ ମାଇକରେ ହିଟ୍‌ମ୍ୟାନଙ୍କ ଭଏସ୍ ଧରାପଡ଼ିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ତାଙ୍କ ମାଜାଳିଆ ଅନ୍ଦାଜ୍ । ଭାରତୀୟ ଟିମର ନେତୃତ୍ବ ନେଉଥିବାବେଳେ ଯେଉଁଭଳି ଭାବେ ଖେଳାଳିଙ୍କ ମନୋବଳ ବଢ଼ାଉଥିଲେ ଠିକ୍ ସେଭଳି କିଛି ଅନ୍ଦାଜ୍ ଆଇପିଏଲରେ ଦେଖିବାକୁ ମିଳିଛି । ଓ୍ବାଙ୍ଖଡେରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୨୬ତମ ଲିଗ୍ ମୁକାବିଲା ଚାଲୁଥିବା ବେଳେ ରୋହିତ୍ ଶର୍ମା, ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂଙ୍କୁ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି, ସାବାସ୍ ଡିକେ... ଅଭି ଓ୍ବାର୍ଲ୍ଡକପ୍ ଖେଲନା ହୈ...। ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । 


୩୮ ବର୍ଷିୟ ଅନୁଭବୀ ଓ୍ବିକେଟ୍ କିପର ବ୍ୟାଟର୍ ଦିନେଶ କାର୍ତ୍ତିକ୍ ଆରସିବି ପାଇଁ ବେଷ୍ଟ୍ ଫିନିସର ସାଜିଛନ୍ତି । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସଙ୍କ ବିରୋଧରେ ବିସ୍ଫୋରକ ଇନିଂଶ ଖେଳିଥିଲେ ଡିକେ । ୨୩୦.୪୩ ଷ୍ଟ୍ରାଇଟ୍ ରେଟ୍‌ରେ ପ୍ରଚଣ୍ଡ ପ୍ରହାର କରି ଛକା-ଚୌକା ବର୍ଷା କରିଥିଲେ । ମାତ୍ର ୨୩ଟି ବଲ୍ ଖେଳି ୫୩ ରନର ସଂଗ୍ରହ କରି ଦଳକୁ ମଜବୁତ୍ ସ୍ଥିତିରେ ପହଞ୍ଚାଇଥିଲେ । ଏହି ମ୍ୟାଚରେ ଦିନେଶ କାର୍ତ୍ତିକ୍, ଆକାଶ ମଢ଼ଓ୍ବାଲଙ୍କ ଏକ ଓଭରରେ ଥାର୍ଡ ମ୍ୟାନ୍ ଅଞ୍ଚଳରେ ୪ଟି ଅଜବ ସଟ୍ ଖେଳି ୪ଟି ଚୌକା ସଂଗ୍ରହ କରିଥିଲେ । ଯାହାକୁ ଦେଖି ପ୍ରଶଂସା କରିବାକୁ ପଛାଇ ନଥିଲେ ରୋହିତ୍ ଶର୍ମା । ଆଉ କହିଥିଲେ, ଓ୍ବାର୍ଲ୍ଡକପ୍ ସିଲେକ୍ସନ ପାଇଁ ତାଙ୍କୁ ପୁସ୍ କରିବାର ଅଛି । ସାବାସ୍ ଡିକେ... ଅଭି ଓ୍ବାର୍ଲ୍ଡକପ୍ ଖେଲନା ହୈ  । ରୋହିତ୍ ଏଭଳି ଅନ୍ଦାଜ୍ ଦେଖି ହସିବାକୁ ଲାଗିଥିଲେ ଇଶାନ କିଷାନ । ଗତ ଟି-୨୦ ବିଶ୍ବକପ୍ ପୂର୍ବରୁ ଆଇପିଏଲ୍ ଏଭଳି ବିସ୍ଫୋରଣ ବ୍ୟାଟିଂ କରିଥିଲେ ଦିନେଶ କାର୍ତ୍ତିକ୍। ଆଉ ତାଙ୍କୁ ବିଶ୍ବକପ୍ ଟିମରେ ସାମିଲ୍ କରାଯାଇଥିଲା । ଏଥିର ବି ତାଙ୍କୁ ଧରଣ ବ୍ୟାଟିଂ କରି ଚୟନ କମିଟିର ଫୋସକ୍ ନିଜ ଆଡ଼ ଟାଣିବାକୁ ଚେଷ୍ଟା କରୁଛନ୍ତି ଡିକେ । 

ଦିନେଶ କାର୍ତ୍ତିକଙ୍କ ଦମଦାର୍ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଆରସିବି ୧୯୬ ରନର ଟାର୍ଗେଟ୍ ଦେଇଥିଲା । ଏହି ୫୩ ରନ ଇନିଂଶରେ ୫ଟି ଚୌକା ଓ ୪ଟି ଛକା ମାରିଥିଲେ ଡିକେ । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ବିରୋଧରେ ମଧ୍ୟ ଧୁଆଁଦାର ପାଳି ଖେଳିଥିଲେ । ସେହିପରି ପଞ୍ଜାବ କିଙ୍ଗସ୍ ବିରୋଧରେ ମାତ୍ର ୧୦ଟି ବଲ୍ ଖେଳି ୨୮ ରନ ସଂଗ୍ରହ କରିଥିଲେ ଏବଂ ଆରସିବିକୁ ବିଜୟ ଦେଇଥିଲେ । ମାତ୍ର ଗୁରୁବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରାସ୍ତ ହୋଇଛି । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.