ଦୁର୍ବୃତ୍ତଙ୍କ ଆତଙ୍କରାଜ, ଅଳଙ୍କାର ଦୋକାନ ମାଲିକଙ୍କୁ ମାଡ଼ ମାରି ଲୁଟ୍

Published By : Prameya-News7 Bureau | August 04, 2025 IST

ନିଶ୍ଚିନ୍ତକୋଇଲି: ମାତିଲେ ଲୁଟେରା। ସିରିଜ ବୋମାମାଡ଼ କରିବା ସହ ଅଳଙ୍କାର ଦୋକାନ ମାଲିକଙ୍କୁ ମାଡ଼ ମାରି ଲୁଟ୍ କଲେ । ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାର ରାସ୍ତାରେ। ଦୁଇ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ବୋମାମାଡ଼ କରିବା ସହ ଏକ ଜୁଏଲାରୀ ମାଲିକଙ୍କୁ ଆକ୍ରମଣ କରି ଲୁଟ କରିଛନ୍ତି। 

ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ମହାବୀର ଜୁଏଲର୍ସର ମାଲିକ ନିରଞ୍ଜନ ସାହୁ ନିଜ ଅଳଙ୍କାର ଦୋକାନ ବନ୍ଦ କରି ଫେରୁଥିଲେ। ତାଙ୍କ ପାଖରେ ଗୋଟିଏ ବ୍ୟାଗରେ କିଛି ସୁନା ଅଳଙ୍କାର ଓ ଦୋକାନ ଚାବି ରହିଥିଲା। ହେଲେ ଅସୁରେଶ୍ବର ବଜାର ନିକଟରେ ୨ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ବ୍ୟାଗ୍‌କୁ ଛଡ଼ାଇନେଇ ଫେରାର ମାରିଥିଲେ। 

ଦୁର୍ବୃତ୍ତଙ୍କ ଆକ୍ରମଣରେ ନିରଞ୍ଜନ ଆହତ ହୋଇଥିବାବେଳେ ବ୍ୟାଗରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଥିବା ସୂଚନା ଦେଇଛନ୍ତି ଦୋକାନ ମାଲିକ । ସେପଟେ ବାରମ୍ବାର ଏହି ଅସୁରେଶ୍ବର ବଜାରରେ ସୁନା ଦୋକାନ ମାଲିକଙ୍କୁ ଲୁଟ୍ କରାଯାଉଛି, ଫଳରେ ଅନେକ ଦିନରୁ ଅସୁରେଶ୍ବର ଅଂଚଳରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ବ୍ୟବସାୟୀ ସଂଘ ଏବଂ ଅଂଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ଏଯାବତ୍ ତାହା ହୋଇ ପାରିନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ଅସୁରେଶ୍ବର ପଞ୍ଚାୟତ ଠାରୁ ନିଶ୍ଚିନ୍ତକୋଇଲି ଥାନା ପ୍ରାୟ ୧୨ରୁ ୧୫ କିଲୋମିଟର ଦୂର ହୋଇଥିବାରୁ ଦୁର୍ବୁତ୍ତମାନେ ଏଠାରେ ଅପରାଧ ଘଟାଇ ସହଜରେ ଖସି ଯାଉଛନ୍ତି। ତେବେ ଘଟଣା ପରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.