ଆରମ୍ଭ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଉଦଘାଟନ କରିଲେ ରାଜ୍ୟପାଳ, ସମୁଦ୍ର ଆଳତୀ କରିଲେ ରାଜ୍ୟପାଳ

NEWS7
road-accident-in-bhubneswar-nalco-area

ବ୍ରହ୍ମପୁର: ଆରମ୍ଭ ହେଲା ଚଳିତ ବର୍ଷର ଗୋପାଳପୁର ବେଳାଭୂମି ମହୋତ୍ସବ। ରାଜ୍ୟପାଳ ହରି ବାବୁ କମ୍ଭହାମପାତି ଯୋଗ ଦେଇ ମହୋତ୍ସବକୁ କରିଛନ୍ତି ଉଦଘାଟନ। ପ୍ରଥମେ ବେଳାଭୂମିରେ ପହଞ୍ଚି ସମୁଦ୍ର ଆଳତୀ କରିଥିଲେ ରାଜ୍ୟପାଳ। ପ୍ରଥମ ଥର ପାଇଁ ବନାରସ ସାଧୁ ସନ୍ଥ ଦ୍ୱାରା ଅନନ୍ୟ ସମୁଦ୍ର ଆଳତି ଦେଖିବାକୁ ମିଳିଥିଲା। ପରେ ଗୋପାଳପୁର ବେଳାଭୂମି ମହୋତ୍ସବରେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ସମେତ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରି ଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଲିକୋଟ, ସୋରଡ଼ା, କବିସୂର୍ଯ୍ୟନଗର ବିଧାୟକ, ଦକ୍ଷିଣାଞ୍ଚଳ ଆଇ. ଜି ନୀତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଗୋପାଳପୁରରେ ଇତିହାସ ବର୍ତ୍ତମାନ ସହିତ ଏବଂ ପରମ୍ପରା ପ୍ରଗତି ସହିତ ହାତ ମିଳାଇଛି ବୋଲି ନିଜ ଅଭିଭାଷଣରେ କହିଛନ୍ତିରାଜ୍ୟପାଳ ଡ. ହରି ବାବୁ କମ୍ଭମପାତି। ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ । ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି ।

ଭାରତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଥିବାବେଳେ ଗୋପାଳପୁର ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଏକ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଉତ୍ସବ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବବ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି। ବେଳାଭୂମି ମହୋତ୍ସବ ଓଡ଼ିଶାର ଶ୍ରେଷ୍ଠ ମହୋତ୍ସବ ମଧ୍ୟରୁ ଅନ୍ୟତମ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି. ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ସୌନ୍ଦର୍ଯ୍ୟ ର ସୁନାମିରେ ପରିଣତ ହୋଇଛି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।

ଗୋପାଳପୁର ବେଳାଭୂମି ମହୋତ୍ସବକୁ କେବଳ ଓଡିଶା ନୁହଁ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏଥିପାଇଁ ଏ ବର୍ଷ ଭାରତବର୍ଷର ସର୍ବୋତ୍ତମ କଳା, ସଂସ୍କୃତି, ଅନନ୍ୟ ସମୁଦ୍ର ଆଳତି, ବେଳାଭୂମି କ୍ରୀଡା, ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳାର ଆୟୋଜନ କରାଯାଇଛି ।ଏହା ଗୋପାଳପୁରକୁ ବିଶ୍ଵସ୍ତରରେ ଏକ ଆକର୍ଷଣୀୟ ସମୁଦ୍ରତଟୀୟ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଚିତ କରିବ। ସେ ମଧ୍ୟ ଗୋପାଳପୁର ବେଳାଭୂମି ଆଜି ସୌନ୍ଦର୍ଯ୍ୟର ସୁନାମିର ପରିଣତ ହୋଇଛି ବୋଲି କହିଛନ୍ତି।

ସାଂସ୍କୃତିକ ମଞ୍ଚ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାମରେ ସମର୍ପିତ ହେଇଥିଲା। ଷ୍ଟାର ନାଇଟ୍ସ କାର୍ଯ୍ୟକ୍ରମରେ ବଲିଉଡ ଗାୟକ ବି ପ୍ରାକ, ଓଲିଉଡ଼ ଗାୟକ କୁଲଦୀପ ପଟ୍ଟନାୟକ, ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଶାଶ୍ୱତ ଯୋଶୀ, କଣ୍ଠଶିଳ୍ପୀ ଅନନ୍ୟା ଦାସ ସହିତ ସ୍ଥାନୀୟ କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଜନସାଧାରଣଙ୍କ ମନମୋହିଥିଲେ । ଗୋପାଳପୁର ବେଳାଭୂମି ମଞ୍ଚ ବହୁତ ଭଲ ଲାଗୁଛି ଏବଂ ଏହା ବେଶ ଅନୁପ୍ରାଣିତ କରିଛି ବୋଲି କହିଛନ୍ତି କଳାକାର। ପଲ୍ଲିଶ୍ରୀ ମେଳାରେ ୨୫୦ ଷ୍ଟଲ, ଖାଦ୍ୟ ମେଳାରେ ୫୦ ଟି ଷ୍ଟଲର ବନ୍ଦବୋସ୍ତ କରା ଯାଇଛି।