ନୂଆଦିଲ୍ଲୀ: ଚାକିରି ପାଇଁ ଜମି ମାମଲାରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବ। ବର୍ତ୍ତମାନ ବିହାରରେ ନିର୍ବାଚନ ମାହୋଲ ରହିଥିବା ବେଳେ ଲାଲୁ ନିଜ ରାଜନୈତିକ ଛବି କଳଙ୍କହୀନ କରିବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି।
ମେ ୨୯ ତାରିଖରେ ଲାଲୁଙ୍କ ଆବଦେନରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ପ୍ରୋସିଡିଂ ସ୍ଥଗିତ ରଖିବାର କୌଣସି ବାଧ୍ୟତାମୂଳକ କାରଣ ନାହିଁ। ଏହାସହିତ କୋର୍ଟ ଏଫଆଇଆର ରଦ୍ଦ କରିବା ପାଇଁ ଲାଲୁଙ୍କ ଆବେଦନ ଉପରେ ସିବିଆଇକୁ ଏକ ନୋଟିସ ମଧ୍ୟ ଜାରି କରିଛି। ତେବେ ହାଇକୋର୍ଟରେ କିଛି ନହେବାରୁ ଲାଲୁ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଗଷ୍ଟ ୧୨ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।
ଲୁଲାଙ୍କ ବିରୁଦ୍ଧରେ ହୋଇଥିବା ଏହି ମାମଲା ୨୦୦୪ ରୁ ୨୦୦୯ ମଧ୍ୟରେ ସେ ରେଳମନ୍ତ୍ରୀ ଥିବା ସମୟରୁ ଆରମ୍ଭ ହୋଇଛି। ଲାଲୁ ରେଳମନ୍ତ୍ରୀ ଥିବା ସମୟରେ ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ ଗ୍ରୁପ୍ ଡି ନିଯୁକ୍ତି ପାଇଁ ଦୁର୍ନୀତି କରିଥିଲେ ବୋଲି ଅଭିଯୋଗ ହୋଇଛି। ସେତେବେଳେ ସେ ପ୍ରାର୍ଥୀଙ୍କୁ ରେଳବାଇରେ ଚାକିରି ଦେଇ ବଦଳରେ ପ୍ରାର୍ଥୀଙ୍କ ପାଖରୁ ଦାମି ଦାମି ଜମି ସବୁ ହଡ଼ପ କରିଥିଲେ ବୋଲି ଅଭିଯୋଗ ରହିଛି। ଏହି ମାମଲାରେ ଲାଲୁଙ୍କ ବ୍ୟତୀତ ତାଙ୍କ ପତ୍ନୀ, ଦୁଇ ଝିଅ ଏବଂ ଅଜଣା ଅଧିକାରୀ ଅଛନ୍ତି ଅଭିଯୁକ୍ତ ଅଛନ୍ତି।
ସୁପ୍ରିମକୋର୍ଟରେ କରିଥିବା ତାଙ୍କ ଆବେଦନରେ ଲାଲୁ କହିଛନ୍ତି ଯେ ଏଫଆଇଆର ୨୦୨୨, ୨୦୨୩ ଏବଂ ୨୦୨୪ ରେ ଦାୟର କରାଯାଇଥିଲା, ଯାହା ଅଭିଯୋଗ ହୋଇଥିବା ଦୁର୍ନୀତିର ୧୪ ବର୍ଷ ପରେ କରାଯାଇଥିଲା। ଏ ମାମଲାରେ ସିବିଆଇର ପ୍ରାରମ୍ଭିକ ଯାଞ୍ଚ ଏବଂ ତଦନ୍ତ ବନ୍ଦ କରାଯାଇଥିଲା, ଏବଂ କ୍ଲୋଜର ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା। ତେଣୁ ବର୍ତ୍ତମାନର ତଦନ୍ତ ସମ୍ପୂର୍ଣ୍ଣ ବେଆଇନ ଭାବରେ ପ୍ରେରିତ ଏବଂ ରାଜନୈତିକ ପ୍ରତିଶୋଧ ପାଇଁ ହୋଇଛି ବୋଲି ଲାଲୁ ଆବେଦନରେ ଦର୍ଶାଇଛନ୍ତି।
ଲାଲୁ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଏହି ମାମଲାରେ ପୁଣିଥରେ ପଚରାଉଚରା ଏବଂ ତଦନ୍ତ କରିବା ଉଭୟ ଅନୁଚିତ। କାରଣ ଉଭୟ ପିସି ଆଇନର ଧାରା ୧୭ଏ ଅନୁଯାୟୀ ବାଧ୍ୟତାମୂଳକ ଅନୁମୋଦନ ବିନା ଆରମ୍ଭ କରାଯାଇଛି। ଏପରି ଅନୁମୋଦନ ବିନା, କରାଯାଉଥିବା ଯେକୌଣସି ତଦନ୍ତ/ଅନୁସନ୍ଧାନ/ ପ୍ରାରମ୍ଭରୁ ହିଁ ଅକାମୀ ହୋଇଯ।ଏ ବୋଲି ଲାଲୁ ଆବେଦନରେ ଦର୍ଶାଇଛନ୍ତି। ଲାଲୁଙ୍କର ଏହି ଆବେଦନର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଏମ୍ ଏମ୍ ସୁନ୍ଦରେଶ ଏବଂ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଜୁଲାଇ ୧୮ ଜୁଲାଇ ତାରିଖରେ କରିବେ।