ଡାଳେ ଡାଳେ ଆମେରିକା ତ ପତ୍ରେ ପତ୍ରେ ଭାରତ: ୟୁରୋପିୟନ ୟୁନିୟନ, ଜର୍ମାନୀ, ବେଲଜିୟମ ଏବଂ ପୋଲାଣ୍ଡ ଏବେ ସବୁ ଭାରତ ଠାରୁ କିଣୁଛନ୍ତି ସାମଗ୍ରୀ

NEWS7
rjd-president-lalu-yadav-fiercely-attacked-pm-modi

ନୂଆଦିଲ୍ଲୀଆମେରିକା ଭାରତର ବାଣିଜ୍ୟକୁ ପ୍ରଭାବିତ କରିବା ପାଇଁ ବହୁ ମାତ୍ରାରେ ଟାରିଫ ଲଗାଉଛି। ଏବଂ ଅନ୍ୟାନ୍ୟ କଟକଣା ଲଗାଇ ଆର୍ଥିକ ଜଟିଳତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ତେବେ ଭାରତ ଆମେରିକାକୁ ଚେକ୍ ଦେବାକୁ ନିଜର ବ୍ୟବସାୟ ରଣନୀତି ପରିବର୍ତ୍ତନ କରି ୟୁରୋପିୟନ ୟୁନିୟନ(ଇୟୁ), ଜର୍ମାନୀ, ବେଲଜିୟମ ଏବଂ ପୋଲାଣ୍ଡ ଭଳି ରାଷ୍ଟ୍ରକୁ ରପ୍ତାନୀ ବଢ଼ାଇଛି।

ଇୟୁର ୨୭ଟି ଦେଶ, ଜର୍ମାନୀ, ବେଲଜିୟମ ଓ ପୋଲାଣ୍ଡ ବର୍ତ୍ତମାନ ଭାରତର ସ୍ଥିର ଏବଂ ମୁଖ୍ୟ ରପ୍ତାନୀ କେନ୍ଦ୍ର ପାଲଟିଛି ବୋଲି କେନ୍ଦ୍ର ବାଣିଜ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ତଥ୍ୟରୁ ଏହା ଜଣାପଡ଼ିଛି ଯେ ଇୟୁର ରାଷ୍ଟ୍ର ମଧ୍ୟରେ ସ୍ପେନ୍ ଭାରତୀୟ ରପ୍ତାନୀ ପାଇଁ ଏକ ଉଚ୍ଚ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଉବା ହୋଇଛି।

ଡାଟା ଦେଖିଲେ ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ନଭେମ୍ବର ମଧ୍ୟରେ ସ୍ପେନକୁ ଭାରତର ରପ୍ତାନୀ ୫୬ ପ୍ରତିଶତ ବୃଦ୍ଧି ପାଇ ୪.୭ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୩ ବିଲିୟନ ଆମେରିକୀୟ ଡଲାର ଥିଲା। ସେହିଭଳି ସ୍ପେନ୍କୁ ଭାରତର ମୋଟ ରପ୍ତାନୀ ୨.୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ୦.୫ ପ୍ରତିଶତ ପଏଣ୍ଟର ଏକ ଉଲ୍ଲେଖନୀୟ ବୃଦ୍ଧି। ଏହି ସମୟ ମଧ୍ୟରେ ୟୁରୋପୀୟ ଅଂଶୀଦାରମାନଙ୍କ ମଧ୍ୟରେ ସ୍ପେନ୍ର ଅଂଶ ସର୍ବାଧିକ ବୃଦ୍ଧି ହୋଇଛି।

ସେହିପରି, ଏହି ଆର୍ଥିକ ବର୍ଷର ଆଠ ମାସ ମଧ୍ୟରେ ଜର୍ମାନୀକୁ ଭାରତର ରପ୍ତାନି ୯.୩ ପ୍ରତିଶତ ବୃଦ୍ଧି ପାଇ ୬.୮ ବିଲିୟନ ଆମେରିକୀୟ ଡଲାରରୁ ୭.୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଏନେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଭାରତର ମୋଟ ରପ୍ତାନିରେ ୨.୬ ପ୍ରତିଶତ ଜର୍ମାନୀକୁ ଯାଉଛି। ୦.୨ ପରସେଣ୍ଟେଡ୍ ପଏଣ୍ଟର ପଜିଟିଭ ଗେନ୍ ସହ ଭାରତୀୟ ଉତ୍ପାଦରେ ଜର୍ମାନୀରେ ଏକ ସ୍ଥାୟୀ ଚାହିଦା ରହୁଛି।

୨୦୨୫-୨୬ ଆର୍ଥିକ ବର୍ଷରେ ଏପ୍ରିଲ-ନଭେମ୍ବର ମଧ୍ୟରେ ବେଲଜିୟମକୁ ଭାରତର ରପ୍ତାନି ୪.୨ ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୪.୪ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ୨୦୨୪ ଏପ୍ରିଲ-ନଭେମ୍ବର ମଧ୍ୟରେ ପୋଲାଣ୍ଡକୁ ଭାରତର ରପ୍ତାନି ୧.୬୯ ବିଲିୟନ ଆମେରିକୀୟ ଡଲାରରୁ ୭.୬ ପ୍ରତିଶତ ବୃଦ୍ଧି ପାଇ ୧.୮୨ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି।

ଏନେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏସବୁକୁ ଦେଖିଲେ ଭାରତର ସୁଖ୍ମ ୟୁରୋପୀୟ ରଣନୀତି ସ୍ପଷ୍ଟ ଝଲସୁଛି। ସ୍ପେନ୍ରେ ଦ୍ରୁତ ଅଭିବୃଦ୍ଧି, ଜର୍ମାନୀରେ ଧୀରେ ଧୀରେ ରପ୍ତାନୀ ବଢ଼ିବା, ଏବଂ ବେଲଜିୟମରେ ଭାରତୀୟ ସାମଗ୍ରୀ ପାଇଁ ଡିମାଣ୍ଡର କ୍ରମବର୍ଦ୍ଧିଷ୍ଣୁ ସ୍ଥିରତା ଭାରତର ବିଜନେଶ ରଣନୀତିକୁ ଦର୍ଶାଉଛି। ଆମେରିକା ଭଳି ପାରମ୍ପରିକ ବଜାର ଉପରେ ନିର୍ଭର ନ ରହି ବିଭିନ୍ନ ବଜାରକୁ ରପ୍ତାନୀ କରି ବଜାରର ବିବିଧତା ଆଣିବା ଏବଂ ପରିପକ୍ୱ ଅର୍ଥନୀତିରେ ଏକ ସନ୍ତୁଳିତ ରପ୍ତାନି ପ୍ରୋଫାଇଲକୁ ପ୍ରତିଫଳିତ କରୁଛି।

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରୁଥିବାରୁ, ବିଶ୍ୱ ଆର୍ଥିକ ଅନିଶ୍ଚିତତା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସୁସ୍ଥ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ୨୦୨୪-୨୫ ମସିହାରେ ଇୟୁ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ୧୩୬.୫୩ ବିଲିୟନ ଆମେରିକୀୟ ଡଲାର (୭୫.୮୫ ବିଲିୟନ ଆମେରିକୀୟ ଡଲାର ରପ୍ତାନି ଏବଂ ୬୦.୬୮ ବିଲିୟନ ଆମେରିକୀୟ ଡଲାର ଆମଦାନୀ) ଥିଲା। ଫଳରେ ସାମଗ୍ରୀ ରପ୍ତାନୀରେ ଇୟୁ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଥିଲା।

ଭାରତର ମୋଟ ରପ୍ତାନିର ପ୍ରାୟ ୧୭ ପ୍ରତିଶତ ଇୟୁ ବଜାରକୁ ଯାଉଛି। ସେହିପରି ଇୟୁର ମୋଟ ରପ୍ତାନୀର ମାତ୍ର ୯ ପ୍ରତିଶତ ଭାରତକୁ ଆସୁଛି। ଭାରତ ଇୟୁକୁ ରେଡି ମେଡ୍ ଗାର୍ମେଣ୍ଟ, ଔଷଧ, ଇସ୍ପାତ, ପେଟ୍ରୋଲିୟମ୍ ଉତ୍ପାଦ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ଆଧି ରପ୍ତାନୀ କରୁଛି। ଯଦି ଭାରତ ଓ ଇୟୁ ମଧ୍ୟରେ ଫ୍ରି ଟ୍ରେଡ୍ ଏଗ୍ରୀମେଣ୍ଟ ଚୁକ୍ତି ସଫଳ ହୁଏ, ତେବେ ୟୁରୋପୀୟ ସଂଘକୁ ଏହିସବୁ ଭାରତୀୟ ସାମଗ୍ରୀର ରପ୍ତାନି ଅଧିକ ମାତ୍ରାରେ ହୋଇପାରିବ।