ଭୁବନେଶ୍ବର ୦୨/୦୫ : ରାଜଧାନୀର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ସମାଜ ପାଇଁ ଶୁଭଙ୍କର ନୁହେଁ ।ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଘଟଣା ସଂପର୍କରେ ନେଇ ରାଜ୍ୟ ସରକାର ଅଧ୍ୟୟନ କରୁଛନ୍ତି । ଆତ୍ମହତ୍ୟା ଆଡ଼କୁ ଯାଉଛନ୍ତି ଯୁବ ପୀଢ଼ି । ଆତ୍ମହତ୍ୟା ଆଡ଼କୁ କାହିଁକି ଯୁବ ପୀଢ଼ି ମୁହାଁଉଛନ୍ତି ତାହା ଚିନ୍ତାର ବିଷୟ । ଜାଣିବା ପାଇଁ ଚେଷ୍ଟା କରିବୁ ସେଠାରେ ପଢ଼ୁଥିବା ପିଲାଙ୍କ ଉପରେ କଣ ଚାପ ରହୁଛି ? ଘଟଣାର କାରଣ ଖୋଜିକି ବାହାର କରାଯିବା କଥା ।
ଗୁରୁବାର ଇନଫୋସିଟି ଅଧୀନରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । ମୃତ ଛାତ୍ରୀ ଜଣକ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚରେ ପଢୁଥିଲେ । ତେବେ ଗୁରୁବାର ହଷ୍ଟେଲରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଏ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବାବେଳେ ଇନଫୋସିଟି ପୋଲିସ ଛାନ୍ଭିନ୍ ଜାରି ରଖିଛି । ଘଟଣାଦିନ ଡିସିପି,ସିପି ଓ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ତଥ୍ୟ ମୁତାବକ ଗତ ଫେବ୍ରୁଆରୀ ମାସରେ ସେହି ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ତଦନ୍ତର ଜଣାପଡିଥିଲା ଛାତ୍ରୀ ଜଣକ ଜଣେ ସହପାଠୀଙ୍କ ଦ୍ବାରା ଉତ୍ପୀଡନର ଶିକାର ହୋଇଥିଲେ । ଛାତ୍ରୀ ଜଣକ ପୂର୍ବରୁ ଏ ସଂପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଗୁରୁତର ଅବହେଳା କହିଥିଲେ ।