ଛାତେନ ୭।୬: ଉତ୍ତର ସିକ୍କିମି ଛାତେନରୁ ସମସ୍ତ ସାମରିକ କର୍ମଚାରୀଙ୍କୁ ଶନିବାର ସକୁଶଳେ ଉଦ୍ଧାର କରାଯାଇଛି। ଏହା ସହିତ ସିକ୍କିମ ଭୂ-ସ୍ଖଳନ ପରେ ଆରମ୍ଭ ହୋଇଥିବା ଉଦ୍ଧାର ଅଭିଯାନ ଶେଷ ହୋଇଛି। ଭୀଷଣ ବର୍ଷା ଯୋଗୁ ଉତ୍ତର ସିକ୍କିମରେ ଭୂ-ସ୍କଳନ ହୋଇଥିଲା। ଫଳରେ ଅନେକ ରାସ୍ତା ଧସି ଯାଇଥିବା ବେଳେ ସଡ଼କ ମାର୍ଗରେ ସମ୍ପର୍କ ବିଛିନ୍ନ ହୋଇଛି। ଏଣୁ ଫଶି ରହିଥିବା ପର୍ଯ୍ୟଟକ ଓ ସେନା ଜବାନମାନଙ୍କ ଉଦ୍ଧାର ନିମନ୍ତେ ସମନ୍ୱିତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।
ଜନୈକ ଅଧିକାରୀଙ୍କ ସୂଚନା ଅନୁସାରେ ୭୬ ଜଣ ସେନା କର୍ମଚାରୀଙ୍କୁ ଏମଆଇ-୧୭ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି। ସାମରିକ କର୍ମଚାରୀଙ୍କୁ ଛାତେନରୁ ପାକୟୋଙ୍ଗ ଗ୍ରୀନଫିଲ୍ଡ ଏୟାରପୋର୍ଟକୁ ଅଣାଯାଇଛି। ଏହା ସହିତ ଛାତେନରୁ ଉଦ୍ଧାର ଅଭିଯାନ ଶେଷ ହୋଇଛି। ନିକଟରେ ହୋଇଥିବା ବର୍ଷାରେ ଉତ୍ତର ସିକ୍କିମର ଅନେକ ସ୍ଥାନରେ ଭୂ-ସ୍ଖଳନ ହୋଇଥିଲା। ଏଣୁ ଉତ୍ତର ସିକ୍କିମକୁ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବାହ୍ୟ ଜଗତରୁ ପୃଥକ ହୋଇପଡିଥିଲା।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲାଚେନ, ଲାଚୁଙ୍ଗ ଓ ଚୁଙ୍ଗଥାଙ୍ଗରେ ୧୬୦୦ ପର୍ଯ୍ୟଟକ ଅଟକି ରହିଥିଲେ। ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷିତ ନିଷ୍କାସନ ନିମନ୍ତେ ହେଲିକପ୍ଟର ସହାୟତା ନିଆଯାଇଥିଲା। ଏହି ଉଦ୍ଧାର ଅଭିଯାନରେ ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ, ବର୍ଡର ରୋଡ ଅର୍ଗାନାଇଜେସନ ଏବଂ ମଙ୍ଗନ ଜିଲ୍ଲା ପ୍ରଶାସନ ଦୀର୍ଘ ସମୟ ଧରି ଉଦ୍ଧାର ଓ ତଲାସୀ ଅଭିଯାନ ଚଳାଇଥିଲେ। ଏଥିରେ ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା।
ଛାତେନରେ ପ୍ରବଳ ବର୍ଷା ଯୋଗୁ ଜୁନ ୧ ତାରିଖରେ ହୋଇଥିବା ଭୂ-ସ୍ଖଳନରେ ୩ ଜଣ ସେନା ଜବାନ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଜବାନ ଆହତ ହୋଇଥିବା ବେଳେ ୬ ଜଣ ଏବେବି ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନ ନିମନ୍ତେ ଅଭିଯାନ ଜାରି ରହିଛି।