ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ, ଶୀଘ୍ର ହେବ ଗଣତି ମଣତି

Published By : Prameya-News7 Bureau | July 07, 2025 IST

ପୁରୀ: ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରାୟ ୧ ବର୍ଷ ପୂରିବାକୁ ଯାଉଥିବାବେଳେ, ଏହାର କିଛି ପୂର୍ବରୁ ଆସିଛି ଏକ ଭଲ ଖବର। ସୁରୁଖୁରୁରେ ସରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ସୋମବାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦର ମୁଖ୍ୟ ପ୍ରଶାସକ କହିଛନ୍ତି, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା, ଏହା ପରେ ରତ୍ନଭଣ୍ଡାରେ ଥିବା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯିବା ପରେ ୨୦୨୪ ଡିସେମ୍ବର ୧୭ ମରାମତି କାମ ଆରମ୍ଭ ହୋଇଥିଲା। ଶେଷରେ ପ୍ରାୟ ୬ ମାସ ପରେ ସୋମବାର ମରାମତି କାମ ସରିଛି। 

ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ପ୍ରାୟ ୩୩୩ ଘଣ୍ଟା କାମ ହୋଇଛି। ଭିତରେ ୯ଟି ବକ୍ସ ବିମ୍ ଓ ବାହାରେ ୬ଟି ବକ୍ସ ବିମ୍ ଲାଗିଛି। ୫୨୦ଟି ପଥର ବଦଳାଯାଇଛି। ଭିତର କବାଟ ମରାମତି ହୋଇଛି। ବାହାର ଗେଟକୁ ଷ୍ଟେନଲେସ୍ ଷ୍ଟିଲ୍ କରାଯାଇଛି। ଗେଟ୍‌ ସିଲ୍‌ କରାଯାଇ ୬ ଚାବି ପକାଯାଇଛି। ଭିତରେ ଯେଉଁ ଗେଟ୍‌ ଅଛି ତାହା ଠିକ୍ ଅଛି। 

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି। ଚାବି ଗୁଡ଼ିକ ଭଣ୍ଡାର ମେକାପ, ଗଜପତିଙ୍କ ପ୍ରତିନିଧି, ଭଣ୍ଡାର ମେକାପଙ୍କ ପାଖରେ ରଖାଯାଇଛି। ପ୍ରାୟ ଦୁଇ ଶହ କିମ୍ବା ତିନି ଶହ ବର୍ଷ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ଗୁଡ଼ିକ ମୂଳ ଭଣ୍ଡାରକୁ ଆଣିବା ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ତଥା ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.