ଜାପାନରେ ତାକାଇଚୀ ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ, ଏଗଜିଟ୍ ପୋଲରେ ମିଳୁଛି ୨ ତୃତୀୟାଂଶ ବହୁମତ

NEWS7
rename-rajasthan-as-kartavyasthan-shashi-tharoor-takes-jibe-at-pm-modi

ଟୋକିଓ ୮।୨: ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚୀଙ୍କ ନେତୃତ୍ୱାଧୀନ କ୍ଷମତାସୀନ ମେଣ୍ଟ ସରକାର ନିମ୍ନ ସଦନ ନିର୍ବାଚନରେ ବିଜୟ ଆଡକୁ ଅଗ୍ରସର ହେଉଥିବା ଦେଖା ଯାଉଛି। ଏଗଜିଟ୍ ପୋଲ ଅନୁସାରେ ତାକାଇଚୀଙ୍କ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ଓ ସହଯୋଗୀ ଜାପାନ ଇନୋଭେସନ ପାର୍ଟି ମିଳିତ ୪୬୫ରୁ ୩୬୦ ସିଟ୍ ଦଖଲ କରିନେଇ ପାରନ୍ତି। ଏହି ବିଜୟ ମେଣ୍ଟକୁ ସୁପର ମେଜରିଟି ଦେଇପାରେ। ଫଳରେ ସରକାର ନିମନ୍ତେ ନୀତିଗତ ନିଷ୍ପତ୍ତି ନେବାକୁ ଓ ବିଧାୟୀ ଏଜଣ୍ଡା ଆଗକୁ ବଢାଇବା ସହଜ ହେବ।

୬୪ ବର୍ଷ ବୟଷ୍କ ତାକାଇଚୀ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଯିଏ ଦ୍ୱିତୀୟବାର ସରକାର ଗଢିବାକୁ ଯାଉଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର କଠୋର ଛବି ଓ ସ୍ପଷ୍ଟ ବକ୍ତବ୍ୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ବଢୁଥିବା ଲୋକପ୍ରିୟତାର ଲାଭ ଉଠାଇବାକୁ ସେ ବିରଳ ଶୀତକାଳୀନ ନିର୍ବାଚନର ବାଜି ଖେଳିଥିଲେ, ଯାହା ଏବେ ସଫଳ ହେଉଥିବା ଦେଖା ଯାଉଛି।

ବିଶ୍ଲେଷକଙ୍କ ଅନୁସାରେ ତାକାଇଚୀଙ୍କ ବିଜୟ ଜାପାନ ପ୍ରତିରକ୍ଷା ନୀତିକୁ ଦୃଢ କରିବ। ତାକାଇଚୀ ପ୍ରତିରକ୍ଷା ବଜେଟ ବଢାଇବା, ଅସ୍ତ୍ରଶସ୍ତ୍ର ରପ୍ତାନୀ ଉପରେ ଥିବା କଟକଣା କୋହଳ କରିବା ଓ ଇମିଗ୍ରେସନ ନିୟମ କଡ଼ାକଡି କରିବାର ପକ୍ଷଧର ଅଟନ୍ତି। ତାକାଇଚୀଙ୍କ ଜାତୀୟତାବାଦୀ ନୀତି ଓ ତାଇୱାନ ପ୍ରସଙ୍ଗରେ ଦେଇଥିବା ବୟାନ ଚୀନ୍ ସମ୍ପର୍କକୁ ବିଗାଡିଛି, ତେବେ ଆମେରିକା ସହିତ ସମ୍ପର୍କ ମଜଭୁତ କରିବା ତାଙ୍କର ପ୍ରାଥମିକତା ମଧ୍ୟରେ ରହିଛି।

ତାକାଇଚୀଙ୍କ ‘କାମ, କାମ ଓ କାମ’ର ସ୍ଲୋଗାନ ଯୁବବର୍ଗ ମଧ୍ୟରେ ଖାସ ଲୋକପ୍ରିୟ ହୋଇଛି। ତେବେ ସମାଲୋଚକଙ୍କ କହିବା କଥା ହେଉଛି ତାକାଇଚୀଙ୍କ ନୀତି ନାଗରିକ ଅଧିକାରକୁ ପ୍ରଭାବିତ କରିପାରେ। ଯାହାଦ୍ୱାରା ଆଞ୍ଚଳିକ କୂଟନୀତି ଜଟିଳ ହେବ। ତେବେ ନିର୍ବାଚନରେ ଗ୍ରାମୀଣ ଭୋଟରଙ୍କ ଠାରୁ ଆରମ୍ଭ କରି ସହରି ଭୋଟରଙ୍କ ରାୟ ମିଶ୍ରିତ ରହିଛି। ବୟଷ୍କ ବର୍ଗ ଆର୍ଥିକ ବୋଝ ବଢିବାର ଆଶଙ୍କା କରୁଥିବା ବେଳେ ଯୁବ ଭୋଟରଙ୍କ ଏକ ବିଶାଳ ଅଂଶ ଖୋଲାଖୋଲି ତାକାଇଚୀଙ୍କ ସମର୍ଥନରେ ଆସିଛନ୍ତି।