ଜିଓକୁ ଆଉ ଏକ ସଫଳତା, ସିଆଚିନ୍ ଗ୍ଲେସିୟରରେ ସେବା ପ୍ରଦାନ କରିବାରେ ହେଲା ଦେଶର ପ୍ରଥମ ଅପରେଟର

Published By : Prameya-News7 Bureau | January 13, 2025 IST

ଲଦାଖ: ରିଲାଏନ୍ସ ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଏହାର ୫ଜି ସେବା ଆରମ୍ଭ କରିଛି । ଜାନୁୟାରୀ ୧୫ରେ ସେନା ଦିବସ ଅବ୍ୟବହିତ ପୂର୍ବରୁ ସିଆଚିନ୍ ଗ୍ଲେସିୟରରେ ୪ଜି ଏବଂ ୫ଜି ସେବା ଆରମ୍ଭ କରି ଜିଓ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି । ଆଉ ଏହା ସହ ସିଆଚିନ୍ ଗ୍ଲେସିୟରରେ ସେବା ଆରମ୍ଭ କରିବାରେ ଜିଓ ଦେଶର ପ୍ରଥମ ଅପରେଟର ହୋଇଛି। ଭାରତୀୟ ସେନାର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛି । ଦିଆଯାଇଥିବା ସୂଚନା ଅନୁଯାୟୀ, ଜିଓ ଏବଂ ଭାରତୀୟ ସେନା ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ୍ ଗ୍ଲେସିୟର ଉପରେ ପ୍ରଥମ ୫ଜି ମୋବାଇଲ୍ ଟାୱାର ସ୍ଥାପନ କରିଛନ୍ତି। ସିଆଚିନ୍‌ର ଏକ ଫରୱାର୍ଡ ପୋଷ୍ଟରେ ଏହା ନିୟୋଜିତ କରାଯାଇଛି। 

ଏହାକୁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଅଭିହିତ କରି ସେନା ପକ୍ଷରୁ କୁହାଯାଇଛି ଯେ, “ଏହି ଅଦମ୍ୟ ସଫଳତା ଆମର ସାହସୀ ସୈନିକମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ଆହ୍ୱାନମୂଳକ କଠିନ ପରିସ୍ଥିତିରେ ନିୟୋଜିତ ଥାଇ ଏହି ଆହ୍ୱାନକୁ ସମ୍ପୂର୍ଣ୍ଣ କରିଥିଲେ।” 

ଏଭଳି ଉଚ୍ଚତାରେ ଟାୱାର ନିର୍ମାଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା । ସେନା ପକ୍ଷରୁ ସାମଗ୍ରୀ ସହିତ କାର୍ଯ୍ୟ  କରୁଥିବା ସଦସ୍ୟମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇଥିଲା। ଏଥିସହିତ ଜିଓ ଏହାର ସ୍ୱଦେଶୀ ଫୁଲ-ଷ୍ଟାକ ୫ଜି ଜ୍ଞାନକୌଶଳ ବ୍ୟବହାର କରିଥିଲା । ଆଉ ଜିଓ ସେନା ସହ ମିଳିତ ଭାବରେ ଫାୟାର ଏଣ୍ଡ ଫ୍ୟୁରି ସିଗନାଲର୍ ଏବଂ ସିଆଚେନ୍ ୱାରିୟର୍ସ ଉତ୍ତର ଗ୍ଲାସିଅରରେ ୫ଜି ଟାୱାର ସ୍ଥାପନ କରିବାରେ ସଫଳ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳର ତାପମାତ୍ରା ମାଇନସ ୫୦ ଡିଗ୍ରୀରୁ ତଳକୁ ଖସିଯାଏ । ଶୀତଳ ପବନ ଏବଂ ତୁଷାର ଝଡ଼ ଏଠାରେ ବାରମ୍ବାର ଘଟିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.