ନୂଆଦିଲ୍ଲୀ: ବିବାହ ପାଇଁ ମନା କରି ଦେବା ଆତ୍ମହତ୍ୟା କରିବାକୁ ଉସୁକାଇବା କୁହାଯାଇ ପାରିବ ନାହିଁ। ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ବିଚାରପତି ବିଭି ନାଗରତ୍ନା ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ପୀଠ ଚାର୍ଜସିଟ୍ ରଦ୍ଦ କରି କହିଛନ୍ତି ଯେ, ମାମଲାରେ ଧାରା ୩୦୬ ଆଧାରରେ କେସ୍ ରୁଜୁ କରାଯାଇ ପାରିବ ନାହିଁ। ଜଣେ ମହିଳାଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ, ସେ ନିଜ ପୁଅଙ୍କ ବିବାହ ତାଙ୍କ ପ୍ରେମିକା ସହ କରାଇବାକୁ ମନା କରାଇ ଦେଇଥିଲେ। ଏପରିକି ଅଭିଯୋଗ ହୋଇଥିଲା ଯେ, ପୁଅର ମାଆ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ବିବାହ କରିବାକୁ ମନା କରି ଦେଇଥିଲେ। ଏହା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ।
କୋର୍ଟ କହିଛନ୍ତି, ଚାର୍ଜସିଟ୍ର ସାକ୍ଷ୍ୟ ପ୍ରମାଣରୁ ଘଟଣା ବିଷୟରେ ସ୍ପଷ୍ଟ ଜଣା ପଡ଼ୁଛି, ମାତ୍ର ଏହାର କୌଣସି ପ୍ରମାଣ ନାହିଁ ଯେ, ମହିଳା ଜଣକ ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଛନ୍ତି। ପୀଠ ଏହା ମଧ୍ୟ କହିଛନ୍ତି, ଅଭିଯୁକ୍ତ ମହିଳା ଆଇପିସିର ଧାରା ୩୦୬ ଆଧାରରେ ଅପରାଧ କରି ନାହାନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏମିତି ମଧ୍ୟ ଅଭିଯୋଗ ନାହିଁ ଯେ, ସେ ଯୁବତୀଙ୍କ ପାଇଁ କୌଣସି ବିକଳ୍ପ ଛାଡ଼ି ନ ଥିଲେ, ଯଦ୍ଵାରା ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଲା।
Also read: କେବଳ ଏହି ୨ ଦେଶଙ୍କୁ ଛାଡି ବନ୍ଦ ହେଲା ଅନ୍ୟ ସବୁ ଦେଶଙ୍କୁ ଆମେରିକାର ଆର୍ଥିକ ସହାୟତା
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି, ଏହାର ମଧ୍ୟ ପ୍ରମାଣ ନାହିଁ ଯେ ଆବେଦନକାରୀ କିମ୍ବା ତାଙ୍କ ପରିବାର ମୃତକ ଯୁବତୀଙ୍କ ଉପରେ ସଂପର୍କ ସମାପ୍ତ କରିବାକୁ କୌଣସି ଚାପ ପକାଉଥିଲେ। ଏପରିକି ମୃତକ ଯୁବତୀଙ୍କ ପରିବାର ମଧ୍ୟ ଏହି ସମ୍ବନ୍ଧ ବିରୋଧରେ ଥିଲେ। ତେଣୁ ମହିଳାଙ୍କ ଉପରେ ଲାଗିଥିବା ଧାରାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।