ଜନଗହଳି ପୂର୍ଣ୍ଣ ଟ୍ରାଫିକ୍‌ରୁ ହଟିବ ରେଡ୍ ଲାଇଟ୍, ଜନଗହଳିପୂର୍ଣ୍ଣ ଟ୍ରାଫିକ୍‌ରେ ନିର୍ମାଣ ହେବ ଓଭରବ୍ରିଜ୍

Published By : Prameya-News7 Bureau | May 24, 2025 IST

ଭୁବନେଶ୍ବର ଜନଗହଳି ପୂର୍ଣ୍ଣ ଟ୍ରାଫିକ୍‌ରୁ ହଟିବ ରେଡ୍ ଲାଇଟ୍ । ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଜନଗହଳି ପୂର୍ଣ୍ଣ ଟ୍ରାଫିକ୍‌ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ୍ । ପୂର୍ତ୍ତ ବିଭାଗ ସହିତ ଏନେଇ ଆଲୋଚନା ସରିଛି । ମୁଖ୍ୟମନ୍ତ୍ରୀ ଏ ନେଇ ବୈଠକ କରିଛନ୍ତି । କାମ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଭାବେ ନନ୍ଦନକାନନ ରୋଡ୍ ଓ କଳ୍ପନା ରୋଡ୍‌ରେ ପଦକ୍ଷେପ ନିଆଯିବ । ଡିପିଆର ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । 


ସେପଟେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଭୁବନେଶ୍ବର ସହର ହେବ ଭିଡ଼ ମୁକ୍ତ ସହର । ରିଙ୍ଗ ରୋଡ଼ କରିବ ଟ୍ରାଫିକ୍ ସମସ୍ୟାର ସମାଧାନ । ସେଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ମାଷ୍ଟର ପ୍ଲାନ୍ । ଜୁନ୍ ୧୨ ତାରିଖରେ ସରକାରଙ୍କୁ ବର୍ଷେ ପୁରଣରେ ଏକାଧିକ ରାସ୍ତା ଓ ପ୍ରକଳ୍ପର ଶିଳାନ୍ୟାସ କରିବେ ସରକାର । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମାସେ ଭିତରେ ସରିବ । ଅଢେଇରୁ ୩ବର୍ଷ ଭିତରେ ସବୁ ପ୍ରକଳ୍ପ କାମ ଶେଷ ହୋଇ ରାଜଧାନୀ ପାଇବେ ଚକାଚକ ରୋଡ଼ । ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ । ଗତ ସରକାର ଅକ୍ଷମତା ପ୍ରଦର୍ଶନ କରିଥିଲେ । ତେଣୁ ରିଙ୍ଗ ରୋଡ଼ କାମ ଆଗକୁ ନେବାକୁ ନିଷ୍ପତ୍ତି ହୋଇଛି । ଜୟଦେବ ବିହାରରୁ ନନ୍ଦନ କାନନ ଯାଏଁ ରାସ୍ତା ଟ୍ରାଫିକ୍ ଲାଇଟ୍ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି, ବଦଳିବ ମେଟ୍ରୋ ଡିପିଆର । ତ୍ରିସୁଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ କରାଯିବ । ମେଟ୍ରୋ ରୁଟ୍‌ କ’ଣ ରହିବ, କେଉଁ ପର୍ଯ୍ୟନ୍ତ ଯିବ ସେ ସବୁ କଥା ନେଇ ଦୁଇ ତିନି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କେମିତି ହେଲେ ଭଲ ହେବ ସେନେଇ ଉଚ୍ଚସ୍ତରୀୟ ବୈଠକ ବସିବ । ପୂର୍ବରୁ ଦୁଇଟି ବୈଠକ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଆଉ ଏକ ବୈଠକ ବସିବ । ସରକାରଙ୍କ ବର୍ଷେ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।

You Can Read:

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ହାତ ବାନ୍ଧି ମରଣାନ୍ତକ ଆକ୍ରମଣ, ପ୍ରତିବାଦରେ ଏସ୍‌ପିଙ୍କ ଦ୍ବାରସ୍ତ ହେଲେ ଜିଲ୍ଲା ସାମ୍ବାଦିକ ସଙ୍ଘ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.