ଗୁରୁ ଓ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା ଦାଗ, ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

NEWS7
reaction-on-gamang-fatehr-son-new-team

ଫୁଲବାଣୀ: ଗୁରୁ ଓ ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଲାଗିଲା ଦାଗ। ପୁଣି ଜଣେ ଛାତ୍ରୀ ଯୌନ ପିପାସୁ ଶିକ୍ଷକଙ୍କ ଶିକାର ହୋଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଫୁଲବାଣୀ ସଦର ବ୍ଲକରେ। ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତରେ ଥିବା ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଶିକ୍ଷକ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ସେପଟେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୁଚନା ଅନୁସାରେ, ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ନଭେମ୍ବର ୨୧ରେ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା। ଅଭିଯୁକ୍ତ ଶିକ୍ଷକ ପୀଡ଼ିତା ଛାତ୍ରୀଙ୍କୁ ସାଙ୍ଗରେ ନେଇ ସେଠାକୁ ଯାଇଥିଲେ। ଫେରିବା ବାଟରେ ଅନ୍ଧାରର ସୁଯୋଗ ନେଇ ଛାତ୍ରୀଙ୍କୁ ଭୟଭୀତ କରି ବଳାତ୍କାର କରିଥଲେ। ଏପରିକି ଘଟଣା ପରେ ଛାତ୍ରୀ ଜଣକ ଅଚେତ ହୋଇପଡ଼ିଥିଲେ। ଚେତା ଫେରିବା ପରେ ତାଙ୍କୁ ନେଇ ଘର ପାଖରେ ଛାଡିଦେବା ସହ ଏ ବିଷୟରେ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ।

ତେବେ ଏତିକିରେ ଏହି ଶିକ୍ଷକଙ୍କ ପାଶବିକତା ଶେଷ ହୋଇନଥିଲା। ସମ୍ପୃକ୍ତ ଶିକ୍ଷକ ଜଣକ ହଷ୍ଟେଲ ଦାୟିତ୍ୱରେ ଥିବାରୁ ବିଦ୍ୟାଳୟରେ ରହୁଥିଲେ। ଏହାର ସୁଯୋଗ ନେଇ ସେ ଛାତ୍ରୀଙ୍କ ସହ ୬ ଥର ବଳାତ୍କାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଝିଅର ସାଙ୍ଗସାଥୀ ଜାଣିବା ପରେ ପ୍ରଧାନଶିକ୍ଷଙ୍କୁ ଅବଗତ କରିଥିଲେ। ହେଲେ ସେ ଘଟଣାକୁ ବିଶେଷ ଗୁରୁତ୍ୱ ଦେଇ ନଥିବା ସହପାଠୀମାନେ କହିଛନ୍ତି।

ଇତି ମଧ୍ୟରେ ଝିଅର ସ୍ବାସ୍ଥ୍ୟ ବିଗିଡିବାରୁ ଅନ୍ୟ ଜଣେ ଶିକ୍ଷକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘରଲୋକେ ଆସିବା ପରେ ନାବାଳିକା ଜଣକ ସେମାନଙ୍କ ଆଗରେ ସବୁ କଥା କହିଥିଲେ। ଏହା ପରେ ପିଡିତାଙ୍କ ମା’ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜା କୁମାର ବେହେରାଙ୍କୁ ପଚାରିବାରୁ, ସମ୍ପୃକ୍ତ ଶିକ୍ଷକ ଝିଅମାନଙ୍କ ସହିତ ଅସଦାଚରଣ କରୁଥିବା ନେଇ କିଛି ଛାତ୍ରୀ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି ଘଟଣା ଅତି ସମ୍ବେଦନଶୀଳ। ତେଣୁ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଅଧିକ ତଦନ୍ତ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି।