RCBର ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ମିଳିବ ଏତିକି ଲକ୍ଷ ଟଙ୍କାର ସହାୟତା ରାଶି

Published By : Prameya-News7 Bureau | June 05, 2025 IST

ବେଙ୍ଗାଲୁରୁ:  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିଜୟ ଉତ୍ସବ ପାଳନ ବେଳେ ଘଟିଥିବା ଭୟଙ୍କର ଦଳାଚକଟା ସମଗ୍ର ଦେଶକୁ ସ୍ତବ୍ଧ କରିଛି। ୧୮ ବର୍ଷ ପରେ ଟ୍ରଫି ଜିତିବାର ଖୁସିକୁ ନେଇ ଚାଲିଥିବା ଉତ୍ସବର ମାହୋଲ ବୁଧବାର ଶୋକରେ ପରିଣତ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ କ୍ରିକେଟ୍‌ ସଂଘଠୁ ନେଇ ଆରସିବି ପ୍ରବନ୍ଧକ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଏହା ମଧ୍ୟରେ ଗୁରୁବାର ମ୍ୟାନେଜମେଣ୍ଟ ଦଳାଚକଟାରେ ପ୍ରାଣ ହରାଇଥିବା ୧୧ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି। ଆରସିବି ଗୁରୁବାର ନିଜର ପ୍ରେସ ବିବୃତିରେ କହିଛି ଯେ, ଏହି ଘଟଣାରେ ଆରସିବି ପରିବାର ବେଶ ଦୁଃଖିତ ଓ ମର୍ମାହତ। ସମ୍ମାନ ଭାବେ ଦଳ ପ୍ରବନ୍ଧକ ମୃତକ ୧୧ ଜଣଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବେ।

Also read: RCBର ଭିକ୍ଟ୍ରି ପରେଡ୍ ପୂର୍ବରୁ ବେଙ୍ଗାଲୁରୁରେ ଦଳାଚକଟା, ୧୦ ମୃତ, ଏକାଧିକ ଆହତ

ଆରସିବି ମଙ୍ଗଳବାର ଅହମ୍ମଦାବାଦରେ ଖେଳା ଯାଇଥିବା ଆଇପିଏଲ୍ ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସକୁ ୬ ରନରେ ହରାଇ ନିଜର ପ୍ରଥମ ଟାଇଟଲ୍ ଜିତିଛି। ଟ୍ରଫି ଜିତିବା ପରେ ବେଙ୍ଗାଲୁରୁରେ ଉତ୍ସବ ପାଳନ ପାଇଁ ସମ୍ମାନ ସମାରୋହ ଆୟୋଜିତ କରାଯାଇଥିଲା। ମାତ୍ର ଷ୍ଟାଡିୟମ ବାହାରେ ଭୀଷଣ ଦଳାଚକଟା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ପ୍ରଶଂସକଙ୍କ ସହାୟତା ପାଇଁ ‘ଆରସିବି କେୟାର୍ସ’ ନାମରେ ଏକ ସ୍ଵତନ୍ତ୍ର ଫଣ୍ଡ ଆରମ୍ଭ କରାଯାଇଛି।  ଏଥିରେ ଆହତ ପ୍ରଶଂସକଙ୍କୁ ସହାୟତା ରାଶି ଦିଆଯିବ। 

ସୂଚନାଯୋଗ୍ୟ, ଆରସିବିର ବିଜୟ ପରେ ଭିକ୍ଟ୍ରି ପରେଡ୍ ପାଇଁ ଷ୍ଟାଡିୟମ ଅଭିମୁଖେ ଲୋକଙ୍କ ଭିଡ଼ ଜମିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଉତ୍ସବ ସମୟରେ ଷ୍ଟାଡିୟମ ବାହାରେ ଓ ଭିତରେ ଭିଡ଼ ଅନିୟନ୍ତ୍ରିତ ହୋଇଥିଲା। ଫଳରେ ଭୟଙ୍କର ଦଳା ଚକଟା ସ୍ଥିତି ଉପୁଜିଥିଲା।  ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଉଲ୍ଲେଖନୀୟ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଦର୍ଶକ ଧାରଣ କ୍ଷମତା ୩୫ ହଜାର ଥିବା ବେଳେ ଗତକାଲି ଆୟୋଜିତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ ଏତେ ମାତ୍ରାରେ ଜମିଥିଲା ଯେ, ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଯାହା ଫଳରେ ଏକ ଅଭାବନୀୟ ଘଟଣାକ୍ରମେ ଦଳାଚକଟା ଘଟିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.