ଚଣ୍ଡିଗଡ଼: ବୋଲରଙ୍କ ଘାତକ ବୋଲିଂ ପରେ ଫିଲିପ ସଲ୍ଟଙ୍କ ଧୂଆଁଧାର ବିସ୍ପୋରକ ଅର୍ଦ୍ଧଶତକ। ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍ରେ ଅତି ସହଜରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବିଜୟ ସହ ଆଇପିଏଲ୍ ଇତିହାସରେ ଚତୁର୍ଥ ଥର ଫାଇନାଲ୍ରେ ପହଞ୍ଚିଛି ଆରସିବି। ଦୀର୍ଘ ନଅ ବର୍ଷ ପରେ ଆରସିବି ଫାଇନାଲ୍ରେ ପହଞ୍ଚିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ଏଲିମିନେଟରର ବିଜେତାଙ୍କୁ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଆରସିବି ମାତ୍ର ୨ ଓ୍ଵିକେଟ୍ ହରାଇ ୧୦ ଓଭରରେ ମ୍ୟାଚ୍ ଜିତି ନେଇଛି। ସୂଚନାଯୋଗ୍ୟ, ୨୦୦୯, ୨୦୧୧ ଏବଂ ୨୦୧୬ରେ ଆରସିବି ଫାଇନାଲ୍ରେ ପହଞ୍ଚିଥିଲେ ହେଁ ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
୧୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁକୁ ୩୦ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ବିରାଟ କୋହଲି ୧୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଫିଲିପ୍ ସଲ୍ଟ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ମୟଙ୍କ ଅଗ୍ରଓ୍ଵାଲ ୧୯ ରନ କରି ପାଭିଲିୟନ ଫେରିଥିଲେ। ବିଜୟରେ ବାକି ଔପଚାରିକତା ସଲ୍ଟ ଓ ଅଧିନାୟକ ରଜତ ପାଟିଦାର ପୂରା କରିଥିଲେ। ସଲ୍ଟ ୨୭ ବଲରୁ ୬ ଚୌକା ଓ ୩ ଛକା ସହ ୫୬ ରନ ଓ ରଜତ ପାଟିଦାର ୮ ବଲରୁ ୧୫ ରନ କରି ଅପରାଜିତ ଥିଲେ। ଆରସିବି ମାତ୍ର ୧୦ ଓଭରରେ ୨ ଓ୍ଵିକେଟ୍ ହରାଇ ମ୍ୟାଚ୍କୁ ଅତି ସହଜରେ ଜିତି ନେଇଛି।
ପଞ୍ଜାବ କିଙ୍ଗ୍ସ ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସ୍ଵପ୍ନରେ କେବେ ଭାବି ନ ଥିବ ଯେ ପ୍ରଥମ କ୍ଵାଲିଫାୟର ମ୍ୟାଚ୍ରେ ଦଳର ସ୍ଥିତି ଏମିତି ହେବ। ଦଳ ଆରମ୍ଭରୁ ନିୟମିତ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳର ବ୍ୟାଟିଂ ତାସପତା ପରି ଭୁଶୁଡ଼ି ପଡ଼ିଥିଲା। କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ସ୍ଥିତି ଏମିତି ଯେ ପଞ୍ଜାବର କେବଳ ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାର୍କସ ଷ୍ଟୋଇନିସ ୨୬ ରନ, ପ୍ରଭସିମରନ ସିଂ ୧୮ ରନ ଓ ଅଜମତୁଲ୍ଲା ଉମରଜାଇ ୧୮ ରନ କରି ପାରିଥିଲେ।
ଅଧିନାୟକ ଶ୍ରେୟସ ଆୟର ୨ ରନ କରି ନିରାଶ କରିଥିଲେ। ପ୍ରିୟାଂଶ ଆର୍ଯ୍ୟ ୭ ରନ, ଜୋଶ ଇଙ୍ଗ୍ଲିସ ୪ ରନ, ନେହଲ ଓ୍ଵଧେରା ୮ ରନ ଓ ଶଶାଙ୍କ ସିଂଙ୍କ ପରି ବ୍ୟାଟର ୩ ରନ କରିଥିଲେ। ଶେଷରେ ପଞ୍ଜାବ ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ସୂୟଶ ଶର୍ମା ୩ ଓଭରରେ ୧୭ ରନ ଦେଇ ୩ଟି ଓ୍ଵିକେଟ୍ ଓ ଜୋଶ ହେଜେଲଉଡ ୨୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ୟଶ ଦୟାଲଙ୍କୁ ୨ଟି ସଫଳତା ମିଳିଛି।