ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଆଜି ପୁଣି ଥରେ ବଡ଼ ବୃଦ୍ଧି ସହ ବନ୍ଦ ହୋଇଛି । ତେବେ ଆଜିର ଏହି ବୃଦ୍ଧି ପଛରେ ରହିଛି ରିଜର୍ଭ ବ୍ୟାଙ୍କ ଅର୍ଥାତ୍ ଆରବିଆଇର ବଡ଼ ଘୋଷଣା । କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍କୁ ଆଶାଠାରୁ ଅଧିକ ୦.୫୦ ବେସିସ୍ ପଏଣ୍ଟ ହ୍ରାସ କରିଥିଲା । ଏହାସହ କ୍ୟାସ୍ ରିଜର୍ଭ ରେସିଓ ଅର୍ଥାତ୍ ସିଆରଆର୍ ମଧ୍ୟ ୧ ପ୍ରତିଶତ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛି । ସେୟାର ବଜାର କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତିକୁ ଜୋରଦାର ସ୍ୱାଗତ କରିଛି । କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୭୪୭ ଅଙ୍କ ବା ୦.୯୨ ପ୍ରତିଶତ ବଢି ୮୨,୧୮୯ରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇ ନିଫ୍ଟି ୨୫୨ ଅଙ୍କ ବା ୧.୦୨ ପ୍ରତିଶତ ବଢି ୨୫,୦୦୩.୦୫ ସ୍ତରରେ ବନ୍ଦ ହୋଇଛି । ଏହି କାରଣରୁ ଆଜି ବଜାର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ବଢିଛି ।
ଆଜିର ଦିନରେ ସବୁଠୁ ଅଧିକ ବୃଦ୍ଧି ବ୍ୟାଙ୍କିଂ, ଫାଇନାନସିଆଲ୍ ଓ ରିୟଲ୍ଟି ସେୟାରରେ ଦେଖିବାକୁ ମିଳିଥିଲା । ବ୍ୟାଙ୍କ ନିଫ୍ଟି କାରବାର ବେଳେ ୧.୫ ପ୍ରତିଶତ ବଢି ୫୬,୬୯୫ ପଏଣ୍ଟର ନିଜର ନୂଆ ଆଲଟାଇମ୍ ଶୀର୍ଷରେ ପହଞ୍ଚିଥିଲା । ନିଫ୍ଟି ପ୍ରାଇଭେଟ୍ ଇଣ୍ଡେକ୍ସ ୧.୮ ପ୍ରତିଶତ ଉପରେ ବନ୍ଦ ହୋଇଛି । ଅନ୍ୟପଟେ ପିଏସୟୁ ବ୍ୟାଙ୍କ ଇଣ୍ଡେକ୍ସରେ ୦.୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ମିଡିଆ ସେକ୍ଟରକୁ ଛାଡ଼ି ଅନ୍ୟ ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି । ବ୍ରଡର ମାର୍କଟରେ ବି ଏହି ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ପ୍ରାୟ ୧.୨ ପ୍ରତିଶତ ବଢିଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଜୁନ୍ ୬ରେ ବଢି ୪୫୧.୦୬ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଗୁରୁବାର ଜୁନ ୫ରେ ୪୪୭.୫୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ୩.୫୬ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୩.୫୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।