ଧୁରନ୍ଧର ପାଇଁ ଚର୍ଚ୍ଚାରେ ପାକିସ୍ତାନର ଲ୍ୟାରୀ, ଫିଲ୍ମ ଠାରୁ ବେଶି ଭୟଙ୍କର ଓ ବୀଭତ୍ସ ଅସଲ ଲ୍ୟାରୀ

NEWS7
rbi-makes-it-easier-to-spot-spams-now-banks-will-call-you-only-from-these-2-numbers

ନୂଆଦିଲ୍ଲୀ, ୧୨।୧୨ : ରଣଭୀରଙ୍କ ଫିଲ୍ମ ‘ଧୁରନ୍ଧର’ ରିଲିଜ୍ ହେବା ପରଠୁ ଚର୍ଚ୍ଚାରେ ରହିଛି । ତାଠାରୁ ଅଧିକ ଆଲୋଚନାରେ ଅଛି ପାକିସ୍ତାନର ଲ୍ୟାରୀ ଟାଉନ୍। ସିନେ ପରଦାରେ ଲ୍ୟାରୀ ଯେମିତି ପ୍ରଦର୍ଶିତ ହୋଇଛି, ଅସଲ ଚିତ୍ର ତା’ଠୁ ଅଧିକ ଭୟଙ୍କର ଓ ବୀଭତ୍ସ । ଏଠାରେ ଗୁଳି, ଗୋଳା-ବାରୁଦ ଶବ୍ଦରେ ରାତି ପାହେ । ଦିନ ଦି’ପହରରେ ମୁଣ୍ଡ ଗଡ଼େ । ଲ୍ୟାରୀ କରାଚୀର ସବୁଠୁ ପୁରୁଣା ସହର । ମତ୍ସ୍ୟପାଳନ ଏଠାରେ ଲୋକଙ୍କ ମୁଖ୍ୟ ବ୍ୟବସାୟ । ଏ ଅଞ୍ଚଳରେ ଆଫ୍ରିକାର ମୂଳ ସିଦ୍ଦୀ ସମୁଦାୟ ବହୁ ସଂଖ୍ୟାରେ ଅଛନ୍ତି ।

ଇତିହାସରୁ ଜଣାପଡ଼େ, ୧୨୦୦ରୁ ୧୯୦୦ ମସିହା ମଧ୍ୟରେ ପୂର୍ବ ଆଫ୍ରିକାରୁ ବହୁଳ ସଂଖ୍ୟାରେ ଆସିଥିବା ଦାସ, ନାବିକ, ସେବକ ଓ ବ୍ୟବସାୟୀଙ୍କ ବଂଶଜ ଲ୍ୟାରୀରେ ରହିବାକୁ ଲାଗିଲେ। ଏବେ ବି ବଲୁଚିସ୍ତାନର ମକରାମ ତଟବର୍ତ୍ତୀ ଓ ସିନ୍ଧର ନିମ୍ନ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ସବୁଠୁ ଅଧିକ। ଲ୍ୟାରୀରେ ପଞ୍ଜାବୀ କି ଉର୍ଦ୍ଦୁ କିମ୍ବା ସିନ୍ଧୀ ମଧ୍ୟ କୁହାଯାଏ ନାହିଁ। ଏମାନେ ବଲୋଚୀ ଭାଷା କହନ୍ତି, ସେଥିରେ ସିନ୍ଧୀ ମିଶିଛି । ମକରାନୀ ଉର୍ଦ୍ଦୁ ସହିତ ଇଂରାଜୀ ଶବ୍ଦ ଅଧିକ ବ୍ୟବହୃତ ହୁଏ । କିନ୍ତୁ ଲ୍ୟାରୀର ବିକାଶ ଉପରେ ପାକିସ୍ତାନ କେବେ ଦୃଷ୍ଟି ଦେଲାନାହିଁ । ଏହା କରାଚୀର ଏତେ ପାଖରେ ଥାଇ ବି ଦାରିଦ୍ର୍ୟ, ଅସମାନତା ଓ ଉପେକ୍ଷା ସହ ସଂଘର୍ଷ କରିଚାଲିଲା । ୧୯୬୦ ସୁଦ୍ଧା ଲ୍ୟାରି ନିଜର ଏକ ନୂଆ ପରିଚୟ ହାସଲ କଲା- ଅର୍ବାନ୍ ସ୍ଲମ୍ । ଏହି ଅର୍ବାନ୍ ସ୍ଲମ୍ ବା ସହରୀ ବସ୍ତିର ସଉକ ବି ପାକିସ୍ତାନଠୁ ପୂରା ଅଲଗା । ଏଠାରେ କ୍ରିକେଟ୍ ନୁହେଁ, ଫୁଟ୍ବଲ ପ୍ରେମୀ ଅଛନ୍ତି । ଅନେକ ବକ୍ସିଂ ଷ୍ଟାର୍ ମଧ୍ୟ ପାକିସ୍ତାନକୁ ଦେଇଛି ଲ୍ୟାରୀ । ଏଠାରେ ପାକିସ୍ତାନରେ ଉପେକ୍ଷିତ ସମସ୍ତ କ୍ରୀଡ଼ାକୁ ପରିଚୟ ମିଳିଛି ।

ଲ୍ୟାରୀକୁ ମକରାନୀ ସମୁଦାୟ ସହିତ ମଧ୍ୟ ଯୋଡ଼ାଯାଏ, ଯାହା ବରେଲୱୀ ବିଚାରଧାରା ଦ୍ୱାରା ପ୍ରେରିତ । ଲ୍ୟାରୀ ବାସିନ୍ଦା ଦ୍ୱାଦଶ ଶତାବ୍ଦୀର ସୁଫୀ ସନ୍ଥ ମଙ୍ଗୋପୀରଙ୍କ ଭକ୍ତ । ୭୦ ଦଶକ ପରେ ଲ୍ୟାରୀରେ ସଙ୍ଗୀତର ସ୍ୱର ଗୁଞ୍ଜରିତ ହେଲା । ଆମେରିକୀୟ ୟୁରୋପୀୟ ଡିସ୍କୋ ମ୍ୟୁଜିକ୍ର ତାଳେ ତାଳେ ବଲୁଚବାସୀଙ୍କ ନୃତ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା । ଛୋଟ ଛୋଟ ଷ୍ଟୁଡିଓ ହେଲା, ବଲୁଚ ଧୂନ୍ ସହିତ ପାଶ୍ଚାତ୍ୟ ମ୍ୟୁଜିକ୍ର ସଙ୍ଗମ ହେଲା ଏବଂ ଲ୍ୟାରୀର ଆଉ ଏକ ପରିଚୟ ବିଶ୍ୱ ସାମ୍ନାକୁ ଆସିଲା । ଏହା ପରେ ସିନ୍ଧୀ ଗାୟିକା ଶାଜିୟା ଖୁଶ୍କ ‘ଲ୍ୟାରୀ ଡିସ୍କୋ’ ଗୀତ ଆଣିଲେ । ରାତାରାତି ଲ୍ୟାରୀର ସଙ୍ଗୀତ ଲୋକପ୍ରିୟତାର ଶିଖର ଛୁଇଁଲା । ଏଥିସହିତ ରାଜନୈତିକ ଉଷ୍ମତା ବି ରହିଥିଲା । ପାକିସ୍ତାନରେ ଗୋଟିଏ ଚର୍ଚ୍ଚା ଥିଲା- କରାଚୀକୁ କବ୍ଜା କରିବାକୁ ହେଲେ ଲ୍ୟାରୀରେ ବିଜୟ ହାସଲ ଜରୁରି । ପାକିସ୍ତାନ ପିପୁଲ୍ସ ପାର୍ଟି ଏ ନେଇ ଗମ୍ଭୀର ଥିଲା । ୧୯୭୦ ନିର୍ବାଚନ ପରଠୁ ପିପିପିର ଦବ୍ଦବା ଲ୍ୟାରୀରେ ରହିଛି । ଲ୍ୟାରୀ କେବଳ ଅଫିମ-ଚରସ ଧନ୍ଧା କରୁନଥିଲା, ହେରୋଇନକୁ ମଧ୍ୟ ସାମିଲ କରିବାକୁ ଲାଗିଲା । ଯେଉଁ ଗ୍ୟାଙ୍ଗ୍ୱାର୍ ଆଗରୁ ଛୁରି ମୁନରେ ଜିତାଯାଉଥିଲା, ଲୋକଙ୍କ ହାତରେ ଆଧୁନିକ ଅସ୍ତ୍ର ଦେଖିବାକୁ ମିଳିଲା । ବନ୍ଧୁକ ଫ୍ୟାକ୍ଟ୍ରିର ଗନ୍ତାଘର ପାଲଟିଲା ଲ୍ୟାରୀ । ନୂଆ ନୂଆ ଗ୍ୟାଙ୍ଗ୍ ଜନ୍ମନେଲେ । ତନ୍ମଧ୍ୟରେ ରହମାନ ଡକୈତ ଗ୍ୟାଙ୍ଗ୍ଷ୍ଟର ଅନ୍ୟତମ, ଯାହା ସଦ୍ୟ ମୁକ୍ତିପ୍ରାପ୍ତ ଫିଲ୍ମ ‘ଧୁରନ୍ଧର’ରେ ଚର୍ଚ୍ଚାର ବିଷୟ ହୋଇଛି।