LIVE TV

ପଦାରେ ପଡିଲା ଭାରତର ଦୁର୍ବଳତା : ଗମ୍ଭୀରଙ୍କ ଏକ୍ସପେରିମେଣ୍ଟ ପାଇଁ ମିଡିଲ୍ ଅର୍ଡର ଫେଲ !

NEWS7
rbi-governor-shaktikanta-das-says-hardly-any-room-to-review-regulatory-action

ସିଡନୀ, ୦୭|୧୧  :  ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତର ଦବଦବା ଜାରି ରହିଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଶେଷ ମୁକାବିଲା ନଭେମ୍ବର ୮ ତାରିଖରେ ଖେଳାଯିବ । ଯଦି ସୂର୍ଯ୍ୟସେନା ଶେଷ ମୁକାବିଲା ଜିତେ ତେବେ ସିରିଜ ଉପରେ କବଜା କରିବ । କିନ୍ତୁ ପରାସ୍ତ ହେଲେ ୨-୨ରେ ଡ୍ର ରହିବ । କିନ୍ତୁ ଟିମ୍ ଇଣ୍ଡିଆ ସିରିଜ୍ ହାରିବ ନାହିଁ । ଯାହା ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ସିରିଜ୍ ପୂର୍ବରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ହେଲେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଭାରତୀୟ ଦଳର ଅନେକ ଦୁର୍ବଳତାକୁ ପଦାରେ ପକାଇଦେଇଛି ।

ମିଡିଲ୍ ଅର୍ଡର ଫେଲ

ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳୁଥିବା ବେଳେ ଭାରତର ମିଡିଲ ଅର୍ଡର ଶକ୍ତିଶାଳୀ ଥିଲା । ବିରାଟ ମିଡିଲ୍ ଅର୍ଡର ସମ୍ଭାଳି ଦେଉଥିଲେ । କିନ୍ତୁ ଯାହା ଗତ କିଛି ମୁକାବିଲାରେ ଦେଖିବାକୁ ମିଳୁନାହିଁ । ପ୍ରଥମ ମୁକାବିଲାରେ ବର୍ଷାରେ ଧୋଇ ହୋଇଯାଇଥିଲା । ଦ୍ୱିତୀୟ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୫ ରନ୍ କରିପାରିଥିଲା । ଅଭିଷେକ ଶର୍ମାଙ୍କ ବ୍ୟତୀତ ଆଉ କେହି ବ୍ୟାଟର ଭଲ ଖେଳି ନଥିଲେ । ୬ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ତୃତୀୟ ଟି୨୦ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮୮ ରନ୍ କରିଥିଲା । ମୁକାବିଲାର ହିରୋ ଥିଲେ ଓ୍ୱାସିଂଟନ ସୁନ୍ଦର । କୌଣସି ଟପ୍ ଏବଂ ମିଡିଲ୍ ଅର୍ଡର ବ୍ୟାଟର ଅର୍ଧଶତକ ହାସଲ କରିପାରିନଥିଲେ । କେବଳ ଜିତେଶ ଶର୍ମା ୧୩ ବଲରୁ ୨୨ ରନର ପାଳି ଖେଳିଥିଲେ । ଚତୁର୍ଥ ମୁକାବିଲାରେ ମଧ୍ୟ ମିଡିଲ ଅର୍ଡର ଫେଲ୍ ମାରିଥିଲା । କେବଳ ଶୁଭମନ ଗିଲ ୪୬ ରନ୍ ସ୍କୋର କରିଥିଲେ । ଏପରିକି ଏସିଆ କପ୍ ଫାଇନାଲର ହିରୋ ତିଲକ ବର୍ମା ସିରିଜ୍ ସାରା ଫେଲ୍ ମାରିଛନ୍ତି ।

ଅଧିକ ଏକ୍ସପେରିମେଣ୍ଟ ପାଇଁ ଦୁର୍ଦ୍ଦଶା

ଏସିଆ କପରୁ ଭାରତୀୟ ଟିମରେ ଏକ୍ସପେରିମେଣ୍ଟ ଜାରି ରହିଛି । ଯାହାକୁ ନେଇ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି ଅନେକ ବିଶେଷଜ୍ଞ । ବ୍ୟାଟିଂ ଏବଂ ବୋଲିଂ କ୍ରମରେ ଲଗାତାର ଭାବେ ପରିବର୍ତ୍ତନ କରାଯାଉଛି । ହର୍ଷିତ ରାଣାଙ୍କୁ ଅତ୍ୟଧିକ ଅନୁକମ୍ପା ଦେଖାଉଛନ୍ତି ଗମ୍ଭୀର । ଶିବମ ଦୁବେଙ୍କୁ ମଧ୍ୟ ଏକ୍ସପେରିମେଣ୍ଟର ମୋହରା ଭାବେ ବ୍ୟବହାର କରାଯାଉଛି । ସିରିଜର ଆରମ୍ଭରେ ସଞ୍ଜୁ ସାମସନଙ୍କୁ ୬-୭ ନମ୍ବରରେ ପଠାଇଥିଲେ ଗମ୍ଭୀର । ଶିବମ ଦୁବେଙ୍କ ସହ ତୃତୀୟ ମୁକାବିଲାରେ ଏପରି ହୋଇଥିଲା । ତାଙ୍କୁ ବ୍ୟାଟିଂ ମିଳିନଥିଲା । ଚତୁର୍ଥ ମୁକାବିଲାରେ ସେ ୩ ନମ୍ବର ସ୍ଥାନରେ ଖେଳିବାକୁ ଆସିଥିଲେ । ଅଧିନାୟକ ସୂର୍ଯ୍ୟଙ୍କ ବ୍ୟାଟିଂ ଅର୍ଡରରେ ମଧ୍ୟ ଲଗାତାର ପରିବର୍ତ୍ତନ ଜାରି ରହିଛି ।

ଅଷ୍ଟ୍ରେଲିଆ ସିରିଜ୍ ପରେ ଦକ୍ଷଣି ଆଫ୍ରିକା ଟିମ୍ ଭାରତରେ ୫ଟି ଟି୨୦ ମୁକାବିଲା ଖେଳିବ । ଏହାପରେ ନ୍ୟୁଜିଲାଣ୍ଡ ସହ ଭାରତର ଟି୨୦ ସିରିଜ୍ ରହିଛି । ଶେଷରେ ଇଂଲଣ୍ଡ ଗସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବ । ଏସବୁ ପ୍ରସ୍ତୁତି ଟି୨୦ ବିଶ୍ବକପ୍ ପୂର୍ବରୁ ଦଳକୁ ଚୂଡାନନ୍ତ ରୂପ ଦେବ ।