ପାକିସ୍ତାନରେ ସବୁ ସମ୍ଭବ, ଫେକ୍‌ ଡିଗ୍ରୀରେ ଜଣେ ହୋଇପାରେ ହାଇକୋର୍ଟ ବିଚାରପତି

NEWS7
rbi-big-decision-now-these-2-banks-customers-withdrawal-only-5k-rupees-his-accounts

ନୂଆଦିଲ୍ଲୀ ୨୬।୦୨ : ପାକିସ୍ତାନରେ ଫେକ୍ ଜଜ୍ । ମିଛ ଆଇନ ଡିଗ୍ରୀ ଜରିଆରେ ଜଣେ ବିଚାରପତି ଆସନରେ ବସିଥିବା କାରନାମା ପାକିସ୍ତାନରୁ ସାମ୍ନାକୁ ଆସିଛି । ନକଲି ଡିଗ୍ରୀ ବଳରେ ସେ ଇସ୍‌ଲାମ ହାଇକୋର୍ଟରେ ଦୀର୍ଘ ବର୍ଷ ଧରି ବିଚାରପତି ଆସନରେ ବସି ରାୟ ଶୁଣାଉଥିଲେ।

ରିପୋର୍ଟ ଅନୁସାରେ, ଇସ୍ଲାମାବାଦ ହାଇକୋର୍ଟ ଗତ ୨୩ ତାରିଖ, ସୋମବାର ୧୧୬ ପୃଷ୍ଠାର ଏକ ବିସ୍ତୃତ ରାୟ ଜାରି କରି ତାରିକ ମହମୁଦ ଜାହାଙ୍ଗିରୀ ନାମକ ଏହି ନକଲି ବିଚାରପତିଙ୍କୁ ନିଜ ପଦବୀରୁ ହଟାଇଥିବା ସ୍ପଷ୍ଟ କରିଛନ୍ତି। ଜାହାଙ୍ଗିରୀ ଡିସେମ୍ବର, ୨୦୨୦ରେ ଇସ୍ଲାମାବାଦ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ଗତ ବର୍ଷ ସେପ୍ଟେମ୍ବରରେ ବିଚାରପତି ଭାବେ ନ୍ୟାୟିକ କର୍ତ୍ତବ୍ୟ ପାଳନରୁ ତାଙ୍କୁ ବର୍ଜନ କରାଯାଇଥିଲା। କରାଚୀ ୟୁନିଭର୍ସିଟି ରେଜିଷ୍ଟ୍ରାର୍ ପ୍ରଦାନ କରିଥିବା ମୂଳ ରେକର୍ଡ ଆଧାରରେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଥିଲେ। କୋର୍ଟ ଦର୍ଶାଇଲେ, ଜାହାଙ୍ଗିରୀଙ୍କ ଶୈକ୍ଷିକ ଦସ୍ତାବିଜ ନକଲି ଥିଲା । ଏପରିକି ଦଣ୍ଡରୁ ରକ୍ଷା ପାଇବାକୁ ସେ ଛଦ୍ମନାମ ମଧ୍ୟ ବ୍ୟବହାର କରିଥିଲେ । ହାଇକୋର୍ଟଙ୍କ ରାୟ ଅନୁସାରେ, ଜାହାଙ୍ଗିରୀ ଏକ ନକଲି ପଞ୍ଜିକରଣ ନମ୍ବର ଜରିଆରେ ୧୯୮୮ରେ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ କପି କରି ସେ ଧରା ପଡ଼ିଥିଲେ ।

୧୯୮୯ରେ ୟୁନିଭର୍ସିଟି ତାଙ୍କୁ ୩ ବର୍ଷ ପାଇଁ ବ୍ୟାନ୍ କରିଥିଲା। ଜାହାଙ୍ଗିରୀ ଦଣ୍ଡକୁ ଗ୍ରହଣ କରିବା ପରିବର୍ତ୍ତେ ଠକାମିର ମାର୍ଗ ଆପଣାଇଲେ। ପର ବର୍ଷ ସେ ତାରିକ ଜାହାଙ୍ଗିରୀ ନାଁରେ, ଇମ୍ତିଆଜ ଅହମଦ ନାମକ ଆଉ ଜଣେ ଛାତ୍ରର ପଞ୍ଜିକରଣ ନମ୍ବର ବ୍ୟବହାର କରି ପୁଣି ପରୀକ୍ଷା ଦେଲେ। ସରକାରୀ ଇସ୍ଲାମିଆ ଲ କଲେଜର ପ୍ରିନ୍ସିପାଲ କୋର୍ଟକୁ ସ୍ପଷ୍ଟ କଲେ ଯେ ଜାହାଙ୍ଗିରୀ କେବି ବି ଉକ୍ତ ପ୍ରତିଷ୍ଠାନରେ ନାମ ଲେଖାଇ ନଥିଲେ। କୋର୍ଟ କହିଲେ, ମୂଳ ଦସ୍ତାବିଜ୍ ଓ ଲିଖିତ ଜବାବ ଉପସ୍ଥାପନ ନିମନ୍ତେ ଜାହାଙ୍ଗିରୀଙ୍କୁ ଅନେକ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେଥିରେ ସେ ବିଫଳ ହେଲେ । ଏହା ବଦଳରେ ସିନ୍ଧ ହାଇକୋର୍ଟରେ ବିଚାରାଧୀନ ଥିବା ସମ୍ବନ୍ଧିତ ମାମଲାର ଆଳ ଦର୍ଶାଇ, ପୂର୍ଣ୍ଣ ଖଣ୍ଡପୀଠ, ମୁଖ୍ୟ ବିଚାରପତିଙ୍କ ବଦଳି ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାମଲାକୁ ସ୍ଥଗିତ ରଖିବାକୁ ଆବେଦନ କଲେ । କୋର୍ଟ ଏଗୁଡ଼ିକୁ ତାଙ୍କର ବିଳମ୍ବକାରୀ ରଣନୀତି ବୋଲି କହିଲେ । ଆବେଦନକାରୀ ପ୍ରମାଣ ଉପସ୍ଥାପନ କରିବା ପରେ ନିଜର ଆଇନ ଯୋଗ୍ୟତାର ପ୍ରମାଣ ଦେବା ତାଙ୍କର କାମ ଥିଲା । କିନ୍ତୁ ସେ ବିଫଳ ହୋଇଛନ୍ତି ।