ନେପାଳରେ ହଟିବ ଭାରତୀୟ ମୁଦ୍ରା ଉପରେ ଜାରି କଟକଣା, NRB ଜାରି କରିବେ ନୋଟିସ୍

NEWS7
rbi-big-decision-now-these-2-banks-customers-withdrawal-only-5k-rupees-his-accounts

କାଠମାଂଡୁ ୧୪। ୧୨: ନେପାଳ ରାଜନୀତିରେ ପରିବର୍ତ୍ତନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେ.ପି.ଶର୍ମା ଓଲି କ୍ଷମତାରୁ ହଟିବା ପରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଲା କାର୍କୀ ସରକାର ଭାରତୀୟ କରେନ୍ସୀକୁ ନେଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ନେପାଳ ଏବେ ୧୦୦ ଟଙ୍କାରୁ ଅଧିକମୂଲ୍ୟର ଭାରତୀୟ ନୋଟ୍ ଉପରେ ଜାରି କଟକଣା ହଟାଇବା ଦିଗରେ ଆଗକୁ ବଢୁଛି।

କାଠମାଂଡୁରୁ ଆସୁଥିବା ସୂଚନା ଅନୁସାରେ ନେପାଳ ରାଷ୍ଟ୍ରୀୟ ବ୍ୟାଙ୍କ (ଏନଆରବି) ଖୁବ୍ ଶୀଘ୍ର ଏ ନେଇ ଅଧିକାରୀକ ନୋଟିସ୍ ଜାରି କରିପାରନ୍ତି। ଏହି ନୋଟିସ୍ ଜାରି ହେବା ପୂର୍ବରୁ ଏହାକୁ ନେପାଳ ଗେଜେଟରେ ପ୍ରକାଶିତ କରାଯିବ। ଏହା ପରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଙ୍କୁ ସର୍କୁଲାର ଜାରି କରାଯିବ। ଉଲ୍ଲେଖଯୋଗ୍ୟ ଯେ ଭାରତରେ ୨୦୧୬ ମସିହାରେ ନୋଟ ବନ୍ଦୀ ପରେ ନକଲୀ କରେନ୍ସୀ ଓ ସୁରକ୍ଷା ରିସ୍କକୁ ନଜରରେ ରଖି ନେପାଳ ସରକାର ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ମୁଦ୍ରା ଉପରେ କଟକଣା ଜାରି କରିଥିଲେ।

ନେପାଳ ସରକାରଙ୍କର ଏହି ନିଷ୍ପତ୍ତି ସେତେବେଳେ ଭାରତ-ନେପାଳ ସୀମାପାର ଯାତାୟାତ, ପର୍ଯ୍ୟଟନ ଓ ବାଣିଜ୍ୟ ଉପରେ ପଡିଥିଲା। ଭାରତୀୟ ପର୍ଯ୍ୟଟକ ଓ ନେପାଳୀ ଶ୍ରମିକଙ୍କୁ ଅଳ୍ପ ମୂଲ୍ୟର ନୋଟ ବଣ୍ଡଲ ନେଇ ଯାତ୍ରା କରିବାକୁ ପଡୁଛି। ଏଣୁ ଅଜାଣତରେ ଅନେକ ଥର ନିୟମ ଉଲ୍ଲଂଘନ ହେଉଥିବା ବେଳେ ଗିରଫ ଓ ଜରିମନାର ସାମ୍ନା କରିବାକୁ ପଡୁଛି। ନେପାଳ ନ୍ୟାସନାଲ ବ୍ୟାଙ୍କ ମୁଖପାତ୍ର ଗୁରୁପ୍ରସାଦ ପୌଡେଲ କହିଛନ୍ତି ଯେ ଏହି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି ଓ ଖୁବ୍ ଶୀଘ୍ର ଏହାକୁ ଲାଗୁ କରାଯିବ।

ଏହି ପରିବର୍ତ୍ତନର ଏକ ବଡ଼ କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କର ଏକ ନିଷ୍ପତ୍ତି ଯୋଗୁ ହେବାକୁ ଯାଉଛି। ଆରବିଆଇ ନଭେମ୍ବର ୨୦୨୫ରେ ଫରେନ ଏକ୍ସଚେଞ୍ଜ ମ୍ୟନେଜମେଣ୍ଟ ରେଗୁଲେସନରେ ସଂଶୋଧନ କରି ୧୦୦ରୁ ଅଧିକ ମୂଲ୍ୟର ୨୫ ହଜାର ଟଙ୍କାର ନୋଟ ସୀମାପାର ନେଇଯିବାକୁ ମଞ୍ଜୁରୀ ଦେଇଛନ୍ତି। ଏଣୁ ଆରବିଆଇଙ୍କ ଏହି ନିଷ୍ପତ୍ତି ଯୋଗୁ ନେପାଳ ଅର୍ଥ ବ୍ୟବସ୍ଥାକୁ ଲାଭ ମିଳିବ ବୋଲି ଆଶା କରାଯାଉଛି। ଖାସ କରି ପର୍ଯ୍ୟଟନ, ହୋଟେଲ ଇଣ୍ଡଷ୍ଟ୍ରି, ସୀମା ବ୍ୟାପାର ଓ କ୍ୟାସିନୋ ସେକ୍ଟରକୁ ଲାଭ ମିଳିବ।

ଏହା ବ୍ୟତୀତ ଭାରତରେ କାମ କରୁଥିବା ୨୦ଲକ୍ଷରୁ ଅଧିକ ନେପାଳୀ ଶ୍ରମିକ ଓ କର୍ମଜୀବୀଏହି ନିଷ୍ପତ୍ତି ଆଶ୍ୱସ୍ତ କରିବ।ମୋଟ ଉପରେ ଓଲି ସରକାରଙ୍କ ପରେ ନେପାଳର ଏହି ପଦକ୍ଷେପ ଭାରତ-ନେପାଳ ସମ୍ପର୍କରେ ନୂଆ ଭରସା ଓ ବ୍ୟବହାରିକ ସହଯୋଗ ଦିକୁ ଇସାରା କରୁଛି।