୨.୫ ଲକ୍ଷ କୋଟି ଟଙ୍କାର ସଞ୍ଜୀବନୀରୁ ବ୍ୟାଙ୍କଗୁଡ଼ିକର ବଦଳିବ ସ୍ଥିତି ? ଗ୍ରାହକଙ୍କୁ କେମିତି ମିଳିବ ଲାଭ, ଜାଣନ୍ତୁ

Published By : Prameya-News7 Bureau | June 06, 2025 IST

ନୂଆଦିଲ୍ଲୀ: ରେପୋ ରେଟ୍ ହାର ହ୍ରାସ କରିବା ସହିତ ଆରବିଆଇ କ୍ୟାସ୍ ରିଜର୍ଭ ରେସିଓ (CRR) ବି ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥନୀତିରେ ତରଳତା (ଲିକ୍ୟୁଡିଟି) ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସିଆରଆରକୁ ୧୦୦ ବେସିସ୍ ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଦେଶର ବ୍ୟାଙ୍କଗୁଡ଼ିକ ପାଇଁ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରେ । ଯାହା ଫଳରେ ସିଆରଆର୍ ୪ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ ପାଇବ । ଏହି ହ୍ରାସ ଚାରୋଟି ପର୍ଯ୍ୟାୟରେ ଲାଗୁ ହେବ ଏବଂ ସେପ୍ଟେମ୍ୱର ୧ରୁ ପ୍ରଭାବୀ ହେବ । ଆରବିଆଇ ଆଶା କରୁଛି ଯେ ଏହି ପଦକ୍ଷେପ ଦ୍ୱାରା ବ୍ୟାଙ୍କଗୁଡ଼ିକ ନଭେମ୍ବର ପୂର୍ବରୁ ଅତିରିକ୍ତ ୨.୫ ଲକ୍ଷ କୋଟି ଟଙ୍କା ପାଇବେ । ଗ୍ରାହକମାନେ ବି ଏଥିରୁ ଲାଭ ପାଇବେ, କାରଣ ବ୍ୟାଙ୍କଗୁଡ଼ିକ ଏହି ଟଙ୍କାକୁ ନିଜ କଷ୍ଟମର୍ସଙ୍କୁ ଋଣ ଦେବା ପାଇଁ ବ୍ୟବହାର କରିପାରିବେ ।

CRR କ’ଣ ?

ନଗଦ ସଂରକ୍ଷଣ ଅନୁପାତ ବା ସିଆରଆର ହେଉଛି ଏକ ସର୍ବନିମ୍ନ ପରିମାଣ ଯାହା ବ୍ୟାଙ୍କଗୁଡ଼ିକୁ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ରଖିବାକୁ ପଡିଥାଏ । ପ୍ରତ୍ୟେକ ବ୍ୟାଙ୍କକୁ ଏହାର ନଗଦ ଜମାର ଏକ ନିର୍ଦ୍ଦିଷ୍ଟ ଅଂଶ ଆରବିଆଇରେ ନଗଦ ଆକାରରେ ଜମା କରିବାକୁ ପଡିଥାଏ । ଉଦାହରଣ ସ୍ୱରୂପ, ଗୋଟିଏ ବ୍ୟାଙ୍କର ମୋଟ ୧୦୦୦ ଟଙ୍କା ଅଛି, ଯଦି CRR ହାର ୪% ହୁଏ, ତେବେ ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ରାଶିରୁ ୪୦ ଟଙ୍କା ରିଜର୍ଭ ବ୍ୟାଙ୍କରେ ଜମା କରିବାକୁ ପଡିବ । ଏହା ମୁଦ୍ରାସ୍ଫୀତି ଏବଂ ବ୍ୟାଙ୍କରେ ନଗଦ ପରିମାଣକୁ ନିୟନ୍ତ୍ରଣ କରିବାର ଏକ ଉପାୟ ।

ଚାରୋଟି ପର୍ଯ୍ୟାୟରେ ଲାଗୁ ହେବ ନିଷ୍ପତ୍ତି

CRRରେ ହ୍ରାସ ଚାରୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ଥର ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯିବ । ଏହି ହ୍ରାସ ଚଳିତ ବର୍ଷ ସେପ୍ଟେମ୍ବର ୬, ଅକ୍ଟୋବର ୪, ନଭେମ୍ବର ୧ ଏବଂ  ନଭେମ୍ବର ୨୯ରେ ପର୍ଯ୍ୟାୟକ୍ରମେ କରାଯିବ । 

ବ୍ୟାଙ୍କଗୁଡିକ ପାଇଁ କ’ଣ ଲାଭ ହେବ?

ଏହି ହ୍ରାସ ଦ୍ୱାରା ୨୦୨୫ ନଭେମ୍ବର ସୁଦ୍ଧା ବ୍ୟାଙ୍କିଂ ସିଷ୍ଟମରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ନଗଦ ଆଣିବା ନେଇ ଆଶା କରାଯାଉଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ 'ଏହି ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକର ଋଣ ଦେବା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ । ବ୍ୟାଙ୍କଗୁଡ଼ିକ ପାଖରେ ଅଧିକ ପାଣ୍ଠି ରହିବ, ଯାହାକୁ ସେମାନେ ଋଣ, ନିବେଶ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟକଳାପରେ ବିନିଯୋଗ କରିପାରିବେ ।' ବ୍ୟାଙ୍କଗୁଡ଼ିକରେ ତରଳତା ଅର୍ଥାତ୍ ନଗଦ ବୃଦ୍ଧି ପାଇବ । ବ୍ୟାଙ୍କଗୁଡ଼ିକରୁ ଋଣ ନେଉଥିବା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବ । 

ଗ୍ରାହକମାନେ କିପରି ସୁବିଧା ପାଇବେ?

ଶସ୍ତା ଋଣ

ବ୍ୟାଙ୍କ ପାଖରେ ପ୍ରଚୁର ପାଣ୍ଠି ରହିବା ଦ୍ୱାରା କମ୍ ସୁଧ ହାରରେ ଋଣ ଦେବାକୁ ପ୍ରସ୍ତୁତ ହେବେ । ଯେଉଁଥି ପାଇଁ ଗ୍ରାହକମାନେ ଗୃହ ଋଣ, ବ୍ୟକ୍ତିଗତ ଋଣ, କାର ଋଣ ଇତ୍ୟାଦିରେ ରିହାତି ପାଇପାରିବେ । 

ସହଜରେ ଋଣ ମିଳିବ

ଋଣ ପ୍ରଦାନ ପ୍ରକ୍ରିୟା ସହଜ ହୋଇଯିବ । ଏହା ବିଶେଷକରି ଛୋଟ ବ୍ୟବସାୟୀ ଏବଂ କର୍ମଜୀବୀଙ୍କୁ ଆଶ୍ୱସ୍ତି ଦେବ । 

କମ EMI

ସୁଧ ହାର ହ୍ରାସ ପାଇବା ଦ୍ୱାରା ଇଏମଆଇ ମଧ୍ୟ ହ୍ରାସ ପାଇପାରେ। 

ଖର୍ଚ୍ଚ ଏବଂ ନିବେଶରେ ଭଲ ସୁଯୋଗ

ବଜାରରେ ଖର୍ଚ୍ଚ ଏବଂ ନିବେଶର ସୁଯୋଗ ବୃଦ୍ଧି ପାଇବ । ଯେତେବେଳେ ଲୋକମାନେ ଶସ୍ତା ଋଣ ପାଇବେ, ସେମାନେ ଘର କିମ୍ବା ଗାଡ଼ି କିଣିବେ । ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ଏହା ଚାକିରି ଏବଂ ବ୍ୟବସାୟ ପାଇଁ ସୁଯୋଗ ବୃଦ୍ଧି କରିବ ଏବଂ ସମଗ୍ର ଅର୍ଥନୀତିକୁ ଗତି ଦେବ ।

ଶେଷ ଥର ପାଇଁ ୨୦୨୦ ମାର୍ଚ୍ଚରେ CRR ରେ ଏକ ବଡ଼ ହ୍ରାସ ଘଟିଥିଲା 

କେନ୍ଦ୍ରୀୟ ବ୍ୟାଙ୍କ ୨୦୨୦ ମାର୍ଚ୍ଚ ୨୭ରେ CRR ୧ ପ୍ରତିଶତର ବଡ଼ ହ୍ରାସ କରିଥିଲା । କରୋନା ମହାମାରୀ ଯୋଗୁଁ ବଜାରକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଆରବିଆଇ ୨୦୨୨ ମେ ୪ରେ ମୁଦ୍ରାନୀତି ସମୀକ୍ଷା ବୈଠକରେ ସିଆରଆକୁ ୪ ପ୍ରତିଶତରୁ ବଢାଇ ୪.୫ ପ୍ରତିଶତ କରିଥିଲା । ତା'ପରେ ୨୦୨୪ ଡିସେମ୍ବରରେ CRRକୁ ୫୦ ବେସିସ୍ ପଏଣ୍ଟ ହ୍ରାସ କରି ୪ ପ୍ରତିଶତ କରାଯାଇଥିଲା । ଏହା ୨୫ ବେସିସ୍ ପଏଣ୍ଟର ଦୁଇଟି ହ୍ରାସ ମାଧ୍ୟମରେ କରାଯାଇଥିଲା । ଏହି ପଦକ୍ଷେପ ବ୍ୟାଙ୍କିଂ ସିଷ୍ଟମରେ ୧.୧୬ ଲକ୍ଷ କୋଟି ଟଙ୍କା ନଗଦ ଆଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.