ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ରବିବାର ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାମ୍ପିଅନ ହୋଇଛି। ଭାରତର ବିଜୟ ପରଠୁ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ପରି ବରିଷ୍ଠ ଖେଳାଳିଙ୍କ ଅବସରକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ରୋହିତ ଓ ବିରାଟ ରବିବାର ରାତିରେ ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଥିବା ବେଳେ ଜାଡ଼େଜାଙ୍କ ଭବିଷ୍ୟତ ଯୋଜନାକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି। ଆଉ ଶେଷରେ ଭାରତର ଏହି ତାରକା ଅଲରାଉଣ୍ଡର ଜାଡ଼େଜା ନିଜର ଅବସର ଅଟକଳ ଉପରେ ମୁହଁ ଖୋଲିଛନ୍ତି।
ଜାଡ଼େଜା କହିଛନ୍ତି, ତାଙ୍କର ବର୍ତ୍ତମାନ ସନ୍ନ୍ୟାସ ନେବାର କୌଣସି ଉଦ୍ଦେଶ୍ୟ ନାହିଁ। ସେ ସୋମବାର ଇନଷ୍ଟା ଷ୍ଟୋରୀ ସେୟାର କରି ଲୋକଙ୍କୁ ଗୁଜବ ଉପରେ ଧ୍ୟାନ ନ ଦେବାକୁ ଅପିଲ୍ କରିଛନ୍ତି। ଜାଡ଼େଜା ଲେଖିଛନ୍ତି, କୌଣସି ବି ଅନାବଶ୍ୟକ ଗୁଜବ ପ୍ରଚାର କରନ୍ତୁ ନାହିଁ। ଉଲ୍ଲେଖନୀୟ ଜାଡ଼େଜା ଭାରତ ପାଇଁ ଏ ପର୍ଯ୍ୟନ୍ତ ୮୦ ଟେଷ୍ଟ, ୨୦୪ ଦିନିକିଆ ଓ ୭୪ ଟି-୨୦ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି। ସେ ଗତ ବର୍ଷ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜାଡ଼େଜା ଶାଣିତ ବୋଲିଂ କରି ୧୦ ଓଭରରେ ମାତ୍ର ୩୦ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ସେ ଟମ ଲାଥମ(୩୪)ଙ୍କ ଶିକାର କରିଥିଲେ।
Also read: ଚାମ୍ପିଅନ୍ସ ଟ୍ରଫି ପୁରସ୍କାର ରାଶି; କିଏ ଦେବ, ICC ନା ପାକିସ୍ତାନ ?
ଏହା ପୂର୍ବରୁ ଗତକାଲି ଅଧିନାୟକ ରୋହିତ ଶର୍ମା ନିଜର ଅବସରକୁ ନେଇ ଜାରି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଥିଲେ। ସେ କହିଥିଲେ ବର୍ତ୍ତମାନ ସେ ଦିନିକିଆ କ୍ରିକେଟ୍ରୁ ସନ୍ନ୍ୟାସ ନେଉ ନାହାନ୍ତି। ଅଷ୍ଟ୍ରେଲିଆ ଗସ୍ତ ସମୟରୁ ହିଁ ରୋହିତଙ୍କ ଅଧିନାୟକତ୍ଵ ଓ ଦଳରେ ତାଙ୍କ ସ୍ଥାନକୁ ନେଇ ଅନେକ ପ୍ରକାରର ଆକଳନ କରାଯାଉଥିଲା। ମାତ୍ର ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଚାମ୍ପିଅନ କରାଇ ରୋହିତ ନିଜ କ୍ୟାରିୟର ପାଇଁ ସଞ୍ଜିବନୀ ଆଣିଛନ୍ତି।