ପୁରୀ ୧୪।୦୫ : ଚଳଚଞ୍ଚଳ ରଥଖଳା। ୧୪ ଦିନରେ ପହଞ୍ଚିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଦିନ ଯେତିକି ଗଡୁଛି ରଥ ନିର୍ମାଣ କାର୍ଯ୍ୟ ସେତିକି ଦ୍ରୁତ ଗତିରେ ଆଗେଇ ଚାଲିଛି। ରଥଖଳାରେ ମୁଖ୍ୟତଃ ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ରୂପକାର ସେବକ ମାନେ କୋଣ ଗୁଜରେ ନୃସିଂହ ବିରାଳ ଖୋଦେଇ କାର୍ଯ୍ୟରେ ଲାଗିପଡିଛନ୍ତି।
ସେପଟେ ଦୋଳବେଦୀ କମାରଶାଳରେ ମଧ୍ୟ କମାର ସେବକ ମାନେ ବିଭିନ୍ନ କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି। ଆସନ୍ତା ୧୯ ତାରିଖ ପବିତ୍ର ଭଉଁରୀ ଦିନ ଛଅଟି ଚକ ସହ ତିନୋଟି ଅଖ ସଂଯୋଗ ହେବାକୁ ଥିବାରୁ ଭୋଇ ସେବକମାନେ ଅଖ କାଠ ବିଶ୍ଵକର୍ମାଙ୍କୁ ଯୋଗାଇଛନ୍ତି। ତେବେ ହାତରେ ଆଉ ମାତ୍ର କମ୍ ଦିନ ଥିବାରୁ ରଥଖଳାରେ ମୁଖ୍ୟତଃ ଚକ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି ବିଶ୍ଵକର୍ମା ମହାରଣା। ତିନି ରଥର ମହାରଣା ମାନେ ଚକ ପାଇଁ ପଇ ପିନ୍ଧା କାର୍ଯ୍ୟର ଅନୁକୂଳ କରିଛନ୍ତି। ଏତଦ୍ ବ୍ୟତୀତ ତିନି ରଥ ପାଇଁ ଆବଶ୍ୟକ କୁଡୁକାର ଚଉପଟ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି।
ସେପଟେ ଜନ୍ତାଗାଡରେ ଭୋଇ ସେବକମାନେ ଚକ ନିର୍ମାଣ ପାଇଁ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ପନ୍ଦାରିର ମଠା କାର୍ଯ୍ୟ ଶେଷ କରିବା ସହ ତିନି ରଥର ୮ ଟି ଲେଖାଏଁ ୨୪ ଗୋଟି ପନ୍ଦାରି ଚାବି ଶେଷ କରି ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି।