ଜୋରସୋରରେ ଚାଲିଛି ରଥନିର୍ମାଣ, ଖଳାରେ ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ

Published By : Prameya-News7 Bureau | May 18, 2024 IST

ପୁରୀ ୧୮/୦୫: ରଥଖଳାରେ ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ । ନିହଣ ଓ ମୁଗୁର ମାଡ଼ର ଶଦ୍ଦରେ ଗୁଞ୍ଜରି ଉଠୁଛି ରଥଖଳା । ପ୍ରତି ତୁମ୍ବରେ ୧୬ ଯୋଡ଼ା ବିନ୍ଧ ହେବ । ବିଶ୍ୱକର୍ମାମାନେ ରଥତ୍ରୟର ୪୨ ତୁମ୍ବରେ ବିନ୍ଧ ଖୋଦେଇ କରୁଛନ୍ତି । କରତି ସେବକମାନେ ତୁମ୍ବର ଘେର (ବଳକା ଅଂଶ କାଟିବା) କାଟୁଛନ୍ତି । 

ଓଝା ସେବକମାନେ ଚକ ପାଇଁ ଲୋଡ଼ା ଅର କଣ୍ଟା ଓ ପନ୍ଦାରି ବଳା  ତିଆରି କରୁଛନ୍ତି । ଶୁକ୍ରବାର ରଥ ନିର୍ମାଣରେ ୧୧୨ ଜଣ ନିୟୋଜିତ ହୋଇଛନ୍ତି  । ଚକ ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ୱକର୍ମା, ଭୋଇ ସେବକ, କରତି ସେବକ । ଗୁରୁବାର ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିଥିଲେ। ଏବେ ସମସ୍ତ ବିଶ୍ୱକର୍ମା ତୁମ୍ବ ଖୋଦେଇରେ ଲାଗିଛନ୍ତି । 

ଦେଳେବେଦି ଶାଳରେ ଅର କଣ୍ଟା ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ପନ୍ଦାରି ଓ ବଳାର ମଠା କାର୍ଯ୍ୟ  ଚାଲିଛି । ପନ୍ଦାରି ପୋଡ଼ିଲା ପରେ ମଳି ଛଡ଼ା ଯାଇ ମଠା(ସାଇଜ୍‌) ହେବ । ତୁମ୍ବଗୁଡ଼ିକର ଭିତର ପାର୍ଶ୍ୱ ଲାଗିବ ପନ୍ଦାରି । ତାହାକୁ ମଜଭୁତ କରିବାକୁ ଚାବି  ତିଆରି ହୋଇ ପନ୍ଦାରିରେ ପଡ଼ିବ। ଗୋଟିଏ ତୁମ୍ବରେ ଲାଗିବ  ୨ଟି ଲେଖାଏଁ ପନ୍ଦାରି ଓ ବଳା । 

ଶ୍ରୀମନ୍ଦିର ପ୍ରଶାସନ ଲୋକ  ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତିଙ୍କ ସୂଚନା ଅନୁସାରେ ଶୁକ୍ରବାର ୬୦ ଜଣ ବିଶ୍ୱକର୍ମା, ୧୦ ଜଣ ଓଝା ସେବକ, ୪ କରତି ଓ  ୩୬ ଭୋଇ ସେବକ, ଜଣେ ତୁମ୍ବ ବିନ୍ଧ କାରିଗରଙ୍କ ସମେତ ରଥ ଖଳା ସହାୟକଙ୍କୁ ମିଶାଇ ମୋଟ ୧୧୨ ଜଣ ଠାକୁରଙ୍କ  ସେବାରେ ନିୟୋଜିତ ହୋଇଛନ୍ତି।

୪୨ ତୁମ୍ବରେ ହେବ ୧୩୪୪ ବିନ୍ଧ 

ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ଚକ, ମହାପ୍ରଭୁଙ୍କ  ନନ୍ଦିଘୋଷ ରଥର ୧୬ଟି ଚକ ଓ ଦେବୀ ସୁଭଦ୍ରାଙ୍କ  ଦର୍ପଦଳନ ରଥର ୧୨ଟି ଚକ। ମୋଟ୍‌ ୪୨ଟି ଚକର  ୪୨ଟି ତୁମ୍ବ ପ୍ରସ୍ତୁତି ଚାଲିଛି । ଗୋଟିଏ ତୁମ୍ବରେ ବିନ୍ଧ ହେବ  ୧୬ ଯୋଡ଼ା । ଅର୍ଥାତ୍‌ ୩୨ଟି ବିନ୍ଧ । ୪୨ ଗୋଟି ତୁମ୍ବରେ  ମୋଟ୍‌ ୧୩୪୪ଟି ବିନ୍ଧ କରାଯିବ। 

ଭୋଇସେବକମାନେ  ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତା ଗାଡ଼ ଖୋଳିବେ । ସେଠାରେ ସିଙ୍ଗଡ଼ା ବାଡ଼ିଆ କରି ତୁମ୍ବର ବିନ୍ଧରେ ଅର ଫିଟ୍‌ ହେବ । ପରେ ରଥଖଳାରେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ା(ତୁମ୍ବ ଓ ଅର ଫିଟିଂ)ରେ ପହି  ପିନ୍ଧାଇ ଚକ ପ୍ରସ୍ତୁତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.