Railways fare hike: କାଲି ଠାରୁ ବଢ଼ିବ ରେଳ ଭଡ଼ା, ଜନତାଙ୍କୁ ପୁଣି ମହଙ୍ଗା ମାଡ଼, ତେବେ କେଉଁମାନଙ୍କୁ ମିଳିବ ଆଶ୍ୱସ୍ତି ଜାଣନ୍ତୁ

NEWS7
rath-yatra-at-shabara-shreekhetra-maa-subhadras-chariot-pulled-by-women-devotee

ନୂଆଦିଲ୍ଲୀ: Railways fare hike- ଆସନ୍ତାକାଲି(ଡିସେମ୍ବର ୨୬) ଠାରୁ ବଢିବ ରେଳ ଭଡ଼ା। ଏନେଇ ଆଜି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର (ଡିସେମ୍ବର ୨୬) ଠାରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ରେଳବାଇ କହିଛି। ଚଳିତ ବର୍ଷ ଏହା ଦ୍ୱିତୀୟ ଭଡ଼ା ବୃଦ୍ଧି। ଏହା ପୂର୍ବରୁ ଜୁଲାଇ ମାସରେ ବି ଭଡ଼ା ବଢ଼ାଇଥିଲା ଭାରତୀୟ ରେଳବାଇ।

ତେବେ ଡିସେମ୍ବର ୨୬ ପୂର୍ବରୁ ଟିକେଟ ବୁକ୍ କରିଥିବା ଯାତ୍ରୀମାନଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ କି ବର୍ଦ୍ଧିତ ଦର ସେମାନଙ୍କ ପାଇଁ ଲାଗୁ ହେବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି। ସୂଚନା ଥାଉକି ଡିସେମ୍ବର ୨୧ ତାରିଖରେ, ରେଳବାଇ ଦୀର୍ଘ ଦୂର ଯାତ୍ରା ପାଇଁ ରେଳ ଭଡ଼ା ବୃଦ୍ଧି ଘୋଷଣା କରିଥିଲା। ଯାହା ଡିସେମ୍ବର ୨୬ ତାରିଖରୁ ଲାଗୁ ହେଉଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରେଳ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇ ଆଣ୍ଡ ପି) ଦିଲୀପ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୨୬ ତାରିଖରେ କିମ୍ବା ତା'ପରେ ଟିଟିଇଙ୍କ ଦ୍ୱାରା ଜାରି କରାଯାଇଥିବା ଟିକେଟରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ।

ନୂଆ ଦର ଅନୁସାରେ, ୨୧୫ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ପ୍ରତି କିଲୋମିଟର ପାଇଁ ୧ ରୁ ୨ ପଇସା ଅଧିକ ଦେବାକୁ ପଡିବ। ରେଳବାଇ ଆକଳନ ଅନୁସାରେ, ଏହି ପରିବର୍ତ୍ତନ ଯୋଗୁ ବାର୍ଷିକ ୬୦୦ କୋଟି ଅତିରିକ୍ତ ରାଜସ୍ୱ ମିଳିବ। ତେବେ ୨୧୫ କିଲୋମିଟରରୁ କମ୍ ଯାତ୍ରା କରୁଥିବା ଏବଂ ମାସିକ ସିଜନ୍ ଟିକେଟଧାରୀଙ୍କ ପାଇଁ ଭଡ଼ା ଅପରିବର୍ତ୍ତିତ ରଖାଯାଇଛି। ସେମାନଙ୍କ ପାଇଁ କୌଣସି ଭଡ଼ା ବଢ଼ିବ ନାହିଁ।

ତେବେ କାହିଁକି ଭଡ଼ା ବଢ଼ାଇଲା ରେଳବାଇ ?

ରେଳ ମନ୍ତ୍ରଣାଳୟର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ପରିଚାଳନାରେ ଖର୍ଚ୍ଚ ବଢିଛି। ତେଣୁ ଖର୍ଚ୍ଚକୁ ପୂରଣ କରିବା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ଏହି ଭଡ଼ା ବୃଦ୍ଧି କରାଯାଇଛି। ରେଳବାଇ ଏହାର ସେବାକୁ ଉନ୍ନତ କରିବା, ନୂଆ ଟ୍ରେନ୍ ପ୍ରଚଳନ କରିବା ଏବଂ ଷ୍ଟେସନଗୁଡ଼ିକୁ ଆଧୁନିକୀକରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ତେଣୁ ଅଧିକ ପାଣ୍ଠିର ଆବଶ୍ୟକ ହେଉଛି। ଏହି ଭଡ଼ା ବୃଦ୍ଧି ଦ୍ୱାରା ସଂଗ୍ରହ ହେଉଥିବା ୬୦୦ କୋଟି ଅତିରିକ୍ତ ରାଜସ୍ୱ ଏହି ଉଦ୍ଦେଶ୍ୟରେ ବିନିଯୋଗ ହେବ। ରେଳବାଇ ଦେଶର ଦ୍ୱିତୀୟ ବୃହତ ନିଯୁକ୍ତିଦାତା ଏବଂ ଏହାର ନେଟୱାର୍କ ବଜାୟ ରଖିବା ଅତ୍ୟନ୍ତ ମହଙ୍ଗା। ତେଣୁ ଦର ବୃଦ୍ଧି ଏହାର କାରଣ।

ଏହା ପୂର୍ବରୁ, ଚଳିତ ବର୍ଷ ଜୁଲାଇ ୧ ତାରିଖରେ ସରକାର ରେଳ ଭଡ଼ା ବୃଦ୍ଧି କରିଥିଲେ। ନନ୍-ଏସି ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ ଭଡ଼ା ପ୍ରତି କିଲୋମିଟର ପାଇଁ ୧ ପଇସା ଏବଂ ଏସି କ୍ଲାସ ଭଡ଼ା ପ୍ରତି କିଲୋମିଟର ପାଇଁ ୨ ପଇସା ବୃଦ୍ଧି କରାଯାଇଥିଲା। ପୂର୍ବରୁ ୨୦୨୦ ମସିହାରେ ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଥିଲା।