ରଥଖଳା ହାଲଚାଲ୍: ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ତିନି ରଥରେ ଡେରା ହେବ ୪୨ ଟି ଚକ

Published By : Prameya-News7 Bureau | May 23, 2025 IST

ପୁରୀ,୨୩/୦୫: ଗୁରୁବାର ବିଶ୍ୱକର୍ମାମାନେ ରଥର ଯୋକା ନିର୍ମାଣ ଆରମ୍ଭ କରିଛନ୍ତି । ରଥ ଅମିନ ତିନି ରଥ ଚାଳିକୁ ୧୨ ଫୁଟିଆ ଧଉରା କାଠ ଯୋଗାଇଥିଲେ । ଏହି କାଠକୁ କାଟି ଯୋକା ଚଉପଟ କରୁଛନ୍ତି ବିଶ୍ୱକର୍ମା । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି ଲେଖାଏଁ ଯୋକା ଓ ଦେବଦଳନ ରଥରେ ୧୨ଟି ଯୋକା ସ୍ଥାପନ ହେବ । ରଥ  ଚାରିପଟେ ଖୁଣ୍ଟ ଭଳି ବୁଲିବ ଯୋକା । ଏପଟେ ଖଳାରେ  ଚକ ପ୍ରସ୍ତୁତ ହେଉଛି। 

ମୁଖ୍ୟ ବିଶ୍ୱକର୍ମାଙ୍କ ଇସାରାରେ ଭୋଇସେବକମାନେ ବିଲେଇ ବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି। ଗୁରୁବାର ସୁଦ୍ଧା ରଥ ଚଉତା କାଠ ତିଆରି ସରିଛି । ପ୍ରତି  ରଥରେ ୧୨ଟି କରି ଚଉତା କାଠ ଯାହାକି ତିନୋଟି ଭୂଇଁ  ତିଆରିରେ ବ୍ୟବହାର ହେବ । ରଥ ଚାରି ପାଶ୍ୱର୍ ପାଇଁ ୪ଟି  ଲେଖାଁଏ ମୁହାଁଟ ଓ ନିରାଡ଼ି ନିର୍ମାଣ ଶେଷ ହୋଇଛି । ରଥ ଖଳା ସମ୍ମୁଖରେ ଭୋଇ ସେବକମାନେ ଯନ୍ତା ଗାଡ଼ରେ ପକାଇ  ସିଙ୍ଗଡ଼ା(ତୁମ୍ବ ସଂଯୁକ୍ତ ଅର) ପ୍ରସ୍ତୁତ କରୁଛନ୍ତି । ପହିର  ବିନ୍ଧରେ କୀଳା ଦେଇ ଅର ସହିତ ଟାଇଟ୍‌ କରି ବାଡ଼ିଆ ହେଉଛି । ଯନ୍ତାପଟାରେ ପଡ଼ି ସିଙ୍ଗଡ଼ାକୁ ପହି ପିନ୍ଧା ଗଲା ପରେ ଖୁସିଅର ଲଗାଯାଉଛି । ନନ୍ଦିଘୋଷ ରଥର ମୁଖ୍ୟ  ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ନନ୍ଦିଘୋଷର  ୧୬ ଚକ ମଧ୍ୟରୁ ୧୪ଟି ପ୍ରାୟ ଶେଷ । ଅର ଆସିଲେ ଆଉ  ଦୁଇ ଚକ ପ୍ରସ୍ତୁତ ହେବ । ଅଖ ନିର୍ମାଣ କାର୍ଯ୍ୟ ପଛେଇଛି ।  ଅଖ ପାଇଁ ୪୦ ଫୁଟିଆ କାଠକୁ ଅପେକ୍ଷା ରହିଛି ।   

ରଥ ଚାଳିରେ ରୂପକାରମାନେ ସାଲ ଗୁଜରେ ସିଂହ  ବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । ଗୁଜ ରଥର କୋଣରେ ସ୍ଥାପନ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି  ଲେଖାଏଁ ଓ ଦେବଦଳନ ରଥରେ ୧୨ଗୋଟି ଗୁଜ ରହିଛି । ଗୁଜ ହେଉଛି ରଥର ସୁରକ୍ଷା କବଚ ସଦୃଶ । ଓଝା ସେବକ  ଯୋଗାଉଥିବା ବଳାକୁ ତୁମ୍ବର ବାହାର ପାଶ୍ୱର୍ରେ ଓ ପନ୍ଦାରିକୁ  ତୁମ୍ବର ମଧ୍ୟସ୍ଥଳରେ ଲଗାଯାଇ ଚକ ପ୍ରସ୍ତୁତ ହେଉଛି ।  ଦୋଳବେଦି ଶାଳରେ ଓଝାସେବକମାନେ ଚକ ପାଇଁ ପନ୍ଦାରି, ବଳା ଓ ଦଣ୍ଡା ପାଇଁ ବିଡ଼ିଆ, ଅଗ ପାତେଳି କଣ୍ଟା ନିର୍ମାଣ  କରୁଛନ୍ତି ।  ସହାୟକଙ୍କ ସହ ରଥ ଖଳାରେ ୨୦୩  ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ଲୋକ  ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.