ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସମ୍ପତ୍ତି ସବୁଠୁ ଅଧିକ ଧନୀ, ତାଲିକାର ଦ୍ବିତୀୟରେ ଦିଲ୍ଲୀପ ରାୟ

NEWS7
ratan-raajputh-shared-a-video-on-youtube-says-she-jealous-from-other-success

ଭୁବନେଶ୍ବର: ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଓହ୍ଲାଇଛନ୍ତି ୫ ମହାରଥୀ । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଥିବା ବେଳେ, ସବୁଠାରୁ ରୋଚକ ହୋଇଛି ଚତୁର୍ଥ ଆସନର ଲଢ଼େଇ। ଏହି ଆସନ ପାଇଁ ରାଜ୍ୟରେ ନୂଆ ରାଜନୈତିକ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି ବିଜେଡି-କଂଗ୍ରେସ-ସିପିଆଇଏମ୍ । ବିଜେଡି ଏବଂ କଂଗ୍ରେସ ଚତୁର୍ଥ ଆସନ ପାଇଁ କମନ ପ୍ରାର୍ଥୀ ଭାବରେ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ଦେଇଛନ୍ତି। ସେହିଭଳି ବିଜେପି ସମର୍ଥନରେ ସ୍ବାଧୀନ ଭାବରେ ଲଢ଼ିବେ ଦିଲ୍ଲୀପ ରାୟ।

ତେବେ ଏହାରି ମଧ୍ୟରେ ଆସିଛି ରୋଚକ ତଥ୍ୟ। ଏହି ତଥ୍ୟ ୫ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତିକୁ ନେଇ। ଚାରୋଟି ଆସନ ପାଇଁ ମୈଦାନରେ ୫ ପ୍ରାର୍ଥୀ ଥିବା ବେଳେ ସବୁଠୁ ଧନୀ ହେଉଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। ତାଙ୍କ ପଛକୁ ରହିଛନ୍ତି ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ।  ନାମାଙ୍କନ ସମୟରେ ଦେଇଥିବା ତଥ୍ୟ ଅନୁସାରେ, ସଂତୃପ୍ତ ମିଶ୍ରଙ୍କ ଅସ୍ଥାବର ସମ୍ପତ୍ତି ଅର୍ଥାତ ନଗଦ ଟଙ୍କା, ବ୍ୟାଙ୍କ ଜମା, ବିଭିନ୍ନ ସେୟାର ମାର୍କେଟରେ ନିବେଶ, ଜୀବନ ବୀମା ଆଦିର ମୂଲ୍ୟ ୫୧୨ କୋଟି ୯୦ ଲକ୍ଷରୁ ଅଧିକ।

ତାଙ୍କ ପତ୍ନୀଙ୍କ ନାଁରେ ରହିଛି ୨୦ କୋଟି ୪୮ ଲକ୍ଷରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି । ସେହିଭଳି ତାଙ୍କର ନିଜସ୍ୱ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୩ କୋଟି ୦୬ ଲକ୍ଷ ଟଙ୍କା ହେବ। ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୮ କୋଟି ୬୮ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତେବେ ସଂତୃପ୍ତ ମିଶ୍ରଙ୍କ ପାଖରେ ନଗଦ ୧୦ ହଜାର ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୧୫ ହଜାର ଟଙ୍କା ନଗଦ ଆକାରରେ ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ଦ୍ବିତୀୟରେ ଦିଲ୍ଲୀପ ରାୟ ସବୁଠୁ ଧନୀ

ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୯୧ କୋଟି ୬୨ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୧୧ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କର ମୋଟ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୪୫.୫୦ କୋଟି ଟଙ୍କା। ସେଥରୁ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୨୫.୫୦ କୋଟି ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୨୦ କୋଟି ଟଙ୍କା ରହିଛି।

ତୃତୀୟରେ ମନମୋହନ ସାମଲ

ମନମୋହନ ସାମଲଙ୍କ ଦ୍ୱାରା ପ୍ରଦତ୍ତ ସତ୍ୟପାଠ ଅନୁଯାୟୀ ତାଙ୍କର ୪୩ ଲକ୍ଷ ୯୦ ହଜାର ୯୭୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପତ୍ନୀ ପ୍ରଣତୀ ସାମଲଙ୍କ ନାମରେ ପ୍ରାୟ ୨ କୋଟି ୮୬ ଲକ୍ଷରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା। ଏଥିମଧ୍ୟରେ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୮୦ ଲକ୍ଷ ଟଙ୍କା ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୭୦ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମନମୋହନଙ୍କ ନିଜ ନାମରେ କୌଣସି ବ୍ୟାଙ୍କ ଋଣ ନଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୭୫ଲକ୍ଷ ଟଙ୍କାର ଋଣ ରହିଛି।

ସୁଜିତ କୁମାର ୪ର୍ଥ ସ୍ଥାନରେ ୫ମରେ ଦତ୍ତେଶ୍ବର ହୋତା

ଚତୁର୍ଥରେ ବିଜେପି ପ୍ରାର୍ଥୀ ସୁଜିତ କୁମାରଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୮୫ ଲକ୍ଷ ୨୩ ହଜାର ୨୦୦ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୩ ଲକ୍ଷ ୯୬ ହଜାର ୧୨୫ଟଙ୍କା ରହିଛି। ସେହିଭଳି ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବେର ହୋତା, ନିଜ ପାଖରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୯୨ ଲକ୍ଷ ୯୬ ହଜାର ୭୭୭ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୭୧ ଲକ୍ଷ ୨୪ ହଜାର ୭୫ ଟଙ୍କା ଥିବା ଦର୍ଶାଇଛନ୍ତି।