ଲୋକସଭାର ନିୟମ ୩୪୯ କ’ଣ, ଯାହାକୁ ରାହୁଲ ଗାନ୍ଧୀ ଉଲ୍ଲଂଘନ କରିଥିବା ଅଭିଯୋଗ

NEWS7
rashmika-mandana-reveals-shocking-information

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ରନୱେଣଙ୍କ ଏକ ଅପ୍ରକାଶିତ ପୁସ୍ତକର କିଛି ଅଂଶ ଉଲ୍ଲେଖ କରିଥିଲେ । ଏହାକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା । ଶାସକ ଦଳ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଏପରି ଉଲ୍ଲେଖକୁ ବିରୋଧ କରିଥିଲେ । ଏହାପରେ ଗୃହରେ ଶାସକ ଓ ବିରୋଧୀ କଂଗ୍ରେସ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହରେ ଏହି ଗତିରୋଧ ପରେ ଲୋକସଭା ଅଧ୍ୟକ୍ଷ ଓମ ବର୍ଲା ଅପରାହ୍ଣ ୨ଟା ୯ ମିନିଟରୁ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ରାହୁଲ ଗାନ୍ଧୀ ପୁଣି ଥରେ ଜେନେରାଲ୍ ନରୱେଣଙ୍କ କାହାଣୀ ଆରମ୍ଭ କରିଥିଲେ । ଏହାପରେ ପୁଣି ଗୃହରେ ହଙ୍ଗାମା ହୋଇଥିଲା । ବାଚସ୍ପତି ପୁଣି ଥରେ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ କରିଥିଲେ ।

ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଲୋକସଭା ନିୟମ ସଂଖ୍ୟା ୩୪୯ ଉଲ୍ଲେଖ କରି କଂଗ୍ରେସ ନେତାଙ୍କୁ ଅନେକ ଥର ଅପିଲ୍ କରିଥିଲେ । କୌଣସି ପୁସ୍ତକ କିମ୍ୱା କୌଣସି ପତ୍ରିକାକୁ ଗୃହରେ ଉଦ୍ଧୃତ କରିପାରିବେ ନାହିଁ, କିନ୍ତୁ ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟଙ୍କ ଅପ୍ରକାଶିତ ପୁସ୍ତକକୁ ଉଲ୍ଲେଖ କରି ଚୀନ ସହ ଭାରତର ସୈନ୍ୟ ସଂଘର୍ଷ କଥା କହିଥିଲେ । ସେ ଦାବି କରିଥିଲେ ଯେ ପୂର୍ବତନ ସେନା ମୁଖ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଚରିତ୍ର କଥା ମଧ୍ୟ କହିଛନ୍ତି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆପତ୍ତି କରି ରାହୁଲ ଗାନ୍ଧୀ ଗୃହକୁ ଭ୍ରମିତ କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ କରିଥିଲେ । ଏହି ଗତିରୋଧ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୃହରେ ଉପସ୍ଥିତ ରହିଥିଲେ । ଏବେ ପ୍ରଶ୍ନ ଉଠୁଛି ନିୟମ ୩୪୯ କ'ଣ, ଯାହା ରାହୁଲ ଗାନ୍ଧୀଙ୍କୁ ଜେନେରାଲ୍ ନରୱଣେଙ୍କ ଅପ୍ରକାଶିତ ପୁସ୍ତକକୁ ଉଦ୍ଧୃତ କରିବାକୁ ରୋକୁଛି ।

ଲୋକସଭାର ରୁଲ୍ ବୁକର ନିୟମ ୩୪୯ ଗୃହ ଭିତରେ ସଦସ୍ୟଙ୍କ ଆଚରଣ ଓ ମର୍ଯ୍ୟଦା ସହ ଜଡିତ । ଏହି ନିୟମ ଅନୁସାରେ ଗୃହକାର୍ଯ୍ୟ ସମୟରେ ପ୍ରତ୍ୟେକ ସାଂସଦ ଏହି ମର୍ଯ୍ୟାଦା ପାଳନ କରିବା ବାଧ୍ୟତାମୂଳକ ଅଟେ । ଏହି ନିୟମରେ ଉଲ୍ଲେଖ ରହିଛି ଯେ ସଦସ୍ୟ ଗୃହରେ କୌଣସି ନାରା ଦେଇପାରିବେ ନାହିଁ କିମ୍ୱା କୌଣସି ପ୍ରଦର୍ଶନ କରିପାରିବେ ନାହିଁ । ଏହି ନିୟମର ଉପଧାରା (ଏକ)ରେ କୁହାଯାଇଛି ଯେ କୌଣସି ବି ସଦସ୍ୟ ଖବରକାଗଜର କ୍ଲିପିଂ କିମ୍ୱା ମାଗାଜିନରେ ପ୍ରକାଶିତ ଅଂଶ, କୌଣସି ପୁସ୍ତକର ଅଂଶ ଗୃହରେ ପଢି ପାରିବେ ନାହିଁ । ଏହା ବ୍ୟତୀତ ଗୃହ ଭିତରେ ପତାକା, ପ୍ରତୀକ ଚିହ୍ନ, ପୋଷ୍ଟର, ଧାର୍ମିକ ଚିହ୍ନ ପ୍ରଦର୍ଶିତ କରିପାରିବେ ନାହିଁ ।