ଟପ୍‌ ମାଓନେତା ନିଖିଲ ଓ ଇନ୍ଦୁଙ୍କ ଖୋଲାଚିଠି, ଆତ୍ମସମର୍ପଣ ପାଇଁ ରଖିଲେ ୪ଟି ସର୍ତ୍ତ...

NEWS7
rashmika--confirms-vijay-deverakonda-is-her-boyfriend

ରାୟଗଡ଼ା ୦୩।୦୨ : ଆତ୍ମସମର୍ପଣ କରିବେ ଟପ୍ ମାଓନେତା ନିଖିଲ ଓ ଇନ୍ଦୁ । ଏଥିଲାଗି ରାଜ୍ୟ ସରକାରଙ୍କୁ ଲେଖିଛନ୍ତି ଖୋଲା ଚିଠି । ରଖିଛନ୍ତି ୪ଟି ସର୍ତ୍ତ । ସର୍ତ୍ତ ପୂରଣ ହେଲେ ଓଡ଼ିଶା ପୋଲିସ୍ ପାଖରେ କରିବେ ଆତ୍ମସମର୍ପଣ । ଚିଠିରେ ଏଭଳି ଉଲ୍ଲେଖ କରିଥିବା ଜଣାପଡ଼ିଛି । ଏହି ଚିଠି ଗଣମାଧ୍ୟମ ହାତରେ ଲାଗିଛି । ସେଥିରେ ସିପିଆଇ(ମାଓବାଦୀ) ରାଜ୍ୟ କମିଟି ସଦସ୍ୟ ନିଖିଲ ଓରଫ୍ ନିରଞ୍ଜନ ରାଉତ, ଇନ୍ଦୁ ଓରଫ୍ ଅଙ୍କିତା, ରଶ୍ମିତା ଲେଙ୍କା ବୋଲି ଉଲ୍ଲେଖ ରହିଛି । ସଶସ୍ତ୍ର କ୍ରାନ୍ତି ରାସ୍ତା ଛାଡ଼ି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ କାମ କରିବା ପାଇଁ ରାଜ୍ୟ ସରକାର ଓ ଗୃହ ବିଭାଗ ଉଦ୍ଦେଶ୍ୟରେ ଚିଠି ଜାରି କରିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି ଯେ, ସେମାନେ ମାଓ ସଂଗଠନର ବିଭିନ୍ନସ୍ତରରେ ରହି ଦୀର୍ଘକାଳୀନ ଜନଯୁଦ୍ଧ ଜରିଆରେ ନୂଆ ଗଣତାନ୍ତ୍ରିକ ସମାଜ ପ୍ରତିଷ୍ଠା କରିବା ପାଇଁ ସଶସ୍ତ୍ର ସଂଘର୍ଷ କରିଛନ୍ତି। ବିଗତ ସାଢ଼େ ୩ ଦଶକ ହେବ ସିପିଆଇଏମ୍ ନେତୃତ୍ୱରେ ଚାଲିଥିବା ସଂଘର୍ଷ ଯୋଗୁ ଦେଶରେ ବଡ଼ଧରଣର ରାଜନୈତିକ, ଆର୍ଥିକ, ସାମାଜିକ, ସାଂସ୍କୃତିକ ଓ ଭୌଗୋଳିକ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି । ପରିବର୍ତ୍ତିତ ପରିସ୍ଥିତିରେ ସଶସ୍ତ୍ର କ୍ରାନ୍ତି ରାସ୍ତା ଠିକ୍ ନୁହଁ । ଏହି ରାସ୍ତାରେ କ୍ରାନ୍ତିକାରୀ ଆନ୍ଦୋଳନକୁ ଫାଇଦା ହେବ। ଜନଭାଗିଦାରୀ ବଢ଼ିବା ବଦଳରେ ଲୋକଙ୍କଠାରୁ ଦୂରେଇଯିବା ସହ କ୍ଷତି ଘଟିବ । ଦଳର ବଡ଼ସୂତ୍ରବାଦୀ ବିଚାର ଯୋଗୁ ସମୟ ଉପଯୋଗୀ ଉପଯୁକ୍ତ ନିର୍ଣ୍ଣୟ ନେଇପାରୁନାହାନ୍ତି । ପରିଣାମ ସ୍ୱରୂପ ଦେଶର ନୂଆ ଗଣତାନ୍ତ୍ରିକ ବିଭାଗକୁ ବହୁ କ୍ଷତି ଉଠାଇବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ସାମାନ୍ୟ ବିଳମ୍ବ ହେଲେ ବି ସେମାନେ ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ କରି ବ୍ୟକ୍ତିଗତ ଭାବେ ନିର୍ଣ୍ଣୟ ନେଇ ସଶସ୍ତ୍ର ବିପ୍ଳବ ରାସ୍ତା ତ୍ୟାଗ କରିବାକୁ ଚାହୁଁଛନ୍ତି । ସେମାନେ ଓଡ଼ିଶା ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିବେ। ଏଥିସହ ସାଥୀମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ତେବେ ୪ ଦାବି ମଧ୍ୟରେ ରହିଛି, ସେମାନଙ୍କୁ ଜଳ, ଜମି, ଜଙ୍ଗଲ ସହ ସ୍ୱାଭିମାନର ସହ ବଞ୍ଚିବାର ଅଧିକାର ଦିଆଯାଉ। କୌଣସି ପ୍ରକାର ମାଓ ବିରୋଧୀ ସଶସ୍ତ୍ର ଅଭିଯାନ କିମ୍ବା ଜନବିରୋଧୀ କାର୍ଯ୍ୟରେ ନିୟୋଜିତ କରାନଯାଉ। ମାଓବାଦୀ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା ଆଜାଦ, ସବ୍ୟସାଚୀ ପଣ୍ଡାଙ୍କୁ ବହୁବର୍ଷ ହେବ ଜେଲ୍ରେ ବନ୍ଦୀ କରି ରଖାଯାଇଛି । ସରକାର ଏଭଳି ପଦକ୍ଷେପ ନ ନେଇ ଆତ୍ମସମର୍ପଣ ନୀତିକୁ ଠିକ୍ ଭାବେ ପାଳନ କରନ୍ତୁ । ସରକାର ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ ନ କରି ସେଠାକାର ଜନମତକୁ ସମ୍ମାନ ଦିଅନ୍ତୁ । ଗଣତାନ୍ତ୍ରିକ ଆନ୍ଦୋଳନର ଗଳା ନ ଚିପି ଗଣତାନ୍ତ୍ରିକ ଆନ୍ଦୋଳନ, ବାକ୍ ସ୍ୱାଧୀନତା ଓ ମୁକ୍ତ ଚିନ୍ତନ ପରିବେଶକୁ ପ୍ରୋତ୍ସାହନ ଦିଅନ୍ତୁ । ଆତ୍ମସମର୍ପଣକାରୀ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ମାଓବାଦୀଙ୍କ ପାଇଁ ସରକାର ଅନେକ ସହାୟତା ଯୋଗାଇ ଦେଇଛନ୍ତି । ଏହି ଦୁଇ ଜଣ ଆତ୍ମସମର୍ପଣ କରିବା ପରେ ପ୍ରାୟତଃ ଓଡ଼ିଶାରେ ମାଓଗଡ଼ ସମାପ୍ତ କହିଲେ ଅତ୍ୟକ୍ତି ହେବ ନାହିଁ । ଓଡ଼ିଶାରେ ଆଉ ସେମିତି କ୍ୟାଡର୍ ସମ୍ଭାଳିଲା ଭଳି ମାଓବାଦୀ ନାହାନ୍ତି। ଏହା ଖୁସିର ଖବର। ମାର୍ଚ୍ଚ ପୂର୍ବରୁ ଦେଶରେ ମାଓ ନିପାତ ପାଇଁ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ଓଡ଼ିଶାରେ ତାହା ସଫଳ ହୋଇଛି । ଆତ୍ମସମର୍ପଣ କରିଥିବା ଏବଂ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଏଡିଜି ଅପରେସନ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।