ଜଳ ସଙ୍କଟରେ ୪୦୦ କୋଟି ଲୋକ; ଦିଲ୍ଲୀ, କୋଲକତା ସମେତ ୩୯ ସହରରେ ସ୍ଥିତି ସଙ୍ଗିନ

NEWS7
rashmi-desai-to-marry-second-time-after-divorce

ନୂଆଦିଲ୍ଲୀ ୨୫। ୦୧: ବିଶ୍ୱର ଅଧା ଲୋକ ଅର୍ଥାତ ପ୍ରାୟ ୪୦୦ କୋଟି ଲୋକ ଜଳ ସଙ୍କଟ ସହ ଲଢ଼ୁଛନ୍ତି । ୧୦୦ ପ୍ରମୁଖ ସହରର ଲୋକେ ଘୋର ଜଳାଭାବର ସାମ୍ନା କରୁଛନ୍ତି । ସେଥିମଧ୍ୟରୁ ୩୯ ସହରର ସ୍ଥିତି ଅଧିକ ସଙ୍ଗିନ ହୋଇପଡିଛି । ଏସବୁ ସହର ଭିତରେ ଦିଲ୍ଲୀ, ବେଜିଂ, ନ୍ୟୁୟର୍କ, ରିଓ ଡି ଜେନେରୋ ଆଦି ସାମିଲ ଅଛି । ରିପୋର୍ଟ ଅନୁସାରେ ସର୍ବାଧିକ ଜଳ ସଙ୍କଟର ସମ୍ମୁଖୀନ ହୋଇଥିବା ସହର ମଧ୍ୟରେ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ କୋଲକାତା ନବମରେ, ମୁମ୍ବାଇ ଦ୍ୱାଦଶରେ, ବେଙ୍ଗାଲୁରୁ ୨୪ତମ ଓ ଚେନ୍ନାଇ ୨୯ତମ ସ୍ଥାନରେ ରହିଛି ।

ଏହାବ୍ୟତୀତ ହାଇଦ୍ରାବାଦ, ଅହମ୍ମଦାବାଦ, ସୁରଟ ଓ ପୁନେ ଭଳି ସହର ମଧ୍ୟ ବହୁଦିନ ହେଲା ଜଳସଙ୍କଟର ସାମ୍ନା କରୁଛନ୍ତି । ଆଫଗାନିସ୍ତାନର ରାଜଧାନୀ କାବୁଲ ପ୍ରଥମ ଆଧୁନିକ ସହର ହେବାକୁ ଯାଉଛି ଯେଉଁଠାରେ ପାଣି ସମ୍ପୂର୍ଣ୍ଣ ଭାବେ ଶୁଖିଯିବାକୁ ବସିଛି । ମେକ୍ସିକୋ ସହରର ଭୂତଳ ଜଳସ୍ତର ପ୍ରତିବର୍ଷ ୨୦ ଇଞ୍ଚ ହାରରେ ଖସିବାରେ ଲାଗିଛି । କାରଣ ସେଠାରେ ଭୂତଳ ଜଳର ବହୁଳ ବ୍ୟବହାର କରାଯାଉଛି । ଆମେରିକାର ଦକ୍ଷିଣ-ପଶ୍ଚିମ ରାଜ୍ୟରେ କଲରାଡୋ ନଦୀର ପାଣିକୁ ନେଇ ବିବାଦ ଲାଗି ରହିଛି । ଅଧିକାଂଶ ସହରରେ ନଦୀ ଓ ଝରଣା ସଙ୍କୁଚିତ ହେବାରେ ଲାଗିଛି । ଅନ୍ୟ ବିଭିନ୍ନ ଜଳଉତ୍ସର ଜଳ ଶୁଖିଯାଉଥିଲା ବେଳେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଜଳର ଅଭାବ ଯୋଗୁ ଭୂ-ଭାଗ ଧସୁଛି, ସିଙ୍କହୋଲ୍ ସୃଷ୍ଟି ହେଉଛି ଏବଂ ମରୁଡି ପ୍ରଭାବିତ ଅଞ୍ଚଳ ପରିବ୍ୟାପ୍ତ ହେବାରେ ଲାଗିଛି ।

ବିଶ୍ୱରେ ପ୍ରାୟ ୪୦୦ କୋଟି ଲୋକ ବର୍ଷକୁ ଅତିକମ୍ରେ ୧ ମାସ ପର୍ଯ୍ୟନ୍ତ ଘୋର ଜଳାଭାବାର ସାମ୍ନା କରୁଛନ୍ତି । ଇରାନର ରାଜଧାନୀ ତେହେରାନକୁ ଲଗାତାର ଷଷ୍ଠ ବର୍ଷ ପାଇଁ ଶୁଷ୍କ ପରିବେଶର ସାମ୍ନା କରିବାକୁ ପଡିଛି । ଏହି ସହର ଡେ-ଜିରୋ ଅର୍ଥାତ ସମ୍ପୂର୍ଣ୍ଣ ଜଳଶୁଷ୍କ ହେବାକୁ ଆଉ ବେଶିଦିନ ନାହିଁ । ଚେନ୍ନାଇ ଓ କେପ୍ ଟାଉନ ସହର ମଧ୍ୟ ପୂର୍ବରୁ ଏଭଳି ସ୍ଥିତି ନିକଟରେ ପହଞ୍ଚି ସାରିଛି । ଜାତିସଂଘ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ୍ ଫର ୱାଟର, ଏନ୍ଭାର୍ଣ୍ଣମେଣ୍ଟ ଆଣ୍ଡ ହେଲ୍ଥ (ୟୁଏନ୍ୟୁ-ଆଇଏନ୍ଡବ୍ଲ୍ୟୁଇଏଚ୍) ନିର୍ଦ୍ଦେଶକ କାବେହ ମଦାନୀଙ୍କ କହିବାନୁଯାୟୀ ଏକ ନୂଆ ଓ ସୀମିତ ବାସ୍ତବିକତାର ସହ ଜୀବନ ଜିଇଁବାକୁ ପଡିବ । ଯଦି ଆମେ ଏହାକୁ କେବଳ ସଙ୍କଟ କହିବା ତେବେ ଆମକୁ ଲାଗିବ କି ଏହା ଅସ୍ଥାୟୀ । ଯାହାକୁ ଆମେ ପରବର୍ତ୍ତୀ ସମୟରେ ଟାଳି ପାରିବା ।

ଜଳ ମହାସଙ୍କଟର ଅର୍ଥ ହେଉଛି ଆମକୁ ଏକ ନୂଆ, ସୀମିତ ତଥା ବାସ୍ତବିକତାର ସହିତ ବଞ୍ଚିବାକୁ ପଡିବ । ୧୯୯୦ ପରେ ବିଶ୍ୱର ୫୦ ପ୍ରତିଶତ ହ୍ରଦରେ ପାଣି ହ୍ରାସ ପାଇଛି । ଭୂଗର୍ଭରେ ରହିଥିବା ଜଳସ୍ତର ମଧ୍ୟ ୭୦ ପ୍ରତିଶତ ହ୍ରାସ ପାଇସାରିଲାଣି । ଗତ ୫୦ ବର୍ଷ ଭିତରେ ୟୁରୋପରେ ଥିବା ଅନେକ ଆର୍ଦ୍ରଭୂମିର ଅନ୍ତ ଘଟିଲାଣି । ୧୯୭୦ ପରେ ହିମବାହର ଆକାର ମଧ୍ୟ ୩୦ ପ୍ରତିଶତ ହ୍ରାସ ପାଇଥିବା ଜାତିସଂଘ ତାର ରିପୋର୍ଟରେ ଉଲ୍ଲେଖ କରିଛି ।