୪ ହଜାର ଫୁଟ୍ ଉଚ୍ଚାରେ ଉଡ଼ୁଥିବା ବେଳେ ଶାଗୁଣା ସହ ଫିଟି ହୋଇ ଫାଟିଗଲା ଇଣ୍ଡିଗୋ ବିମାନ

Published By : Prameya-News7 Bureau | June 02, 2025 IST

internet

ନୂଆଦିଲ୍ଲୀ: ୪ ହଜାର ଫୁଟ୍ ଉଚ୍ଚାରେ ଉଡ଼ୁଥିବା ବେଳେ ଶାଗୁଣା ସହ ଫିଟି ହେଲା ଇଣ୍ଡିଗୋ ବିମାନ। ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନଟିକୁ ସୋମବାର ଜରୁରୀ ଅବତରଣ କରିବାକୁ ପଡ଼ିଛି। ରାଞ୍ଚି ଯାଉଥିବା ଏହି ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ। ବିମାନଟି ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। 

ଘଟଣା ସମ୍ପର୍କରେ ପିଟିଆଇକୁ ସୂଚନା ଦେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି “ରାଞ୍ଚି ନିକଟରେ ଏକ ଇଣ୍ଡିଗୋ ବିମାନ ସହ ଏକ ଶାଗୁଣା ଧକ୍କା ଦେଇଥିଲା। ଘଟଣା ଘଟିବା ସମୟରେ ବିମାନ ପ୍ରାୟ ୧୦ ରୁ ୧୨ ନଟିକାଲ ମାଇଲ ଦୂରରେ ବା ୩,୦୦୦ ରୁ ୪,୦୦୦ ଫୁଟ ଉଚ୍ଚତାରେ ଥିଲା।” ଇଣ୍ଡିଗୋ ବିମାନଟି ପାଟନାରୁ ରାଞ୍ଚି ଆସୁଥିଲା, ହେଲେ ଦୁର୍ଘଟଣା ପରେ ପାଇଲଟଙ୍କୁ ଏଠାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା ବୋଲି ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରର ନିର୍ଦ୍ଦେଶକ ଆର ଆର ମୌର୍ଯ୍ୟ ସମ୍ବାଦ ସଂସ୍ଥା ପିଟିଆଇକୁ କହିଛନ୍ତି।

ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, କିନ୍ତୁ "ଏକ ଶାଗୁଣା ସହ ଧକ୍କା ହେବା ପରେ ବିମାନଟି ଫାଟି ଯାଇଥିଲା। ଇଞ୍ଜିନିୟରମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି।  ଘଟଣାଟି ଅପରାହ୍ନ ୧.୧୪ ରେ ଘଟିଛି।” ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ରାଞ୍ଚି ଆସୁଥିବା ବିମାନଟି କୋଲକାତା ଯିବାର କାର୍ଯ୍ୟକ୍ରମ ଥିଲା। ହେଲେ ଦୁର୍ଘଟଣା ପରେ ବର୍ତ୍ତମାନ ଏହାର କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜାରି ରହିଛି।

ପ୍ରକୃତିର ବନ୍ଧୁ ଶାଗୁଣାଙ୍କର ଖାଦ୍ୟ ଶୃଙ୍ଖଳାରେ ବଡ଼ ଭୂମିକା ରହିଛି। ହେଲେ ବିଭିନ୍ନ କାରଣରୁ ଏବେ ଏହି ପ୍ରଜାତି ବିଲୁପ୍ତ ହେବା ସ୍ଥିତିରେ ପହଞ୍ଚିଲାଣି। ଅବଶ୍ୟ ଏମାନଙ୍କ ପ୍ରଜାତିକୁ ବିଲୁପ୍ତ ହେବାରୁ ବଞ୍ଚାଇବାକୁ ସରକାରୀ ସ୍ତରରେ ମଧ୍ୟ ଚେଷ୍ଟା ଜାରି ରହିଛି। ଏମାନଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ପଶୁଙ୍କ ଠାରେ ପେନ୍‌କିଲର ଭାବରେ ବ୍ୟବହାର କରାଯାଉଥିବା ଜଣାଣୁଣା ଔଷଧ ନିମେସୁଲାଇଡ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କାରଣ ଏହି ପେନକିଲର ଦିଆଯାଇଥିବା ପଶୁଙ୍କ ମୃତଦେହ ଶାଗୁଣା ଖାଇବା ଦ୍ୱାରା ସେମାନଙ୍କୁ କ୍ଷତି ପହଞ୍ଚାଇଥାଏ। ଶାଗୁଣାଙ୍କର କିଡ୍‌ନୀ ଡ୍ୟାମେଜ୍ ହୋଇଥାଏ। ତେଣୁ ଏହି ସରକାର ନିମେସୁଲାଇଡକୁ ବ୍ୟାନ କରିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.