ନୂଆଦିଲ୍ଲୀ: ପ୍ରକୃତିର ବନ୍ଧୁ ଶାଗୁଣା । ଖାଦ୍ୟ ଶୃଙ୍ଖଳାରେ ରହିଛି ଏହାର ବଡ଼ ଭୂମିକା । ହେଲେ ବିଭିନ୍ନ କାରଣରୁ ଏବେ ଏହି ପ୍ରଜାତି ବିଲୁପ୍ତ ହେବା ସ୍ଥିତିରେ ପହଞ୍ଚିଲାଣି । ଅବଶ୍ୟ ଏମାନଙ୍କ ପ୍ରଜାତିକୁ ବିଲୁପ୍ତ ହେବାରୁ ବଞ୍ଚାଇବାକୁ ସରକାରୀ ସ୍ତରରେ ମଧ୍ୟ ଚେଷ୍ଟା ଜାରି ରହିଛି । ଆଉ ଏହି କ୍ରମରେ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । କେନ୍ଦ୍ର ସରକାର ପଶୁଙ୍କ ଠାରେ ପେନ୍କିଲର ଭାବରେ ବ୍ୟବହାର କରାଯାଉଥିବା ଜଣାଣୁଣା ଔଷଧ ନିମେସୁଲାଇଡ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ପ୍ରକୃତରେ ଏହି ପେନକିଲର ଦିଆଯାଇଥିବା ପଶୁଙ୍କ ମୃତଦେହ ଖାଇବା ଶାଗୁଣାଙ୍କ ପାଇଁ କ୍ଷତିକାରକ ହୋଇଥାଏ ।ତେଣୁ ଏହି ସରକାର ନିମେସୁଲାଇଡକୁ ବ୍ୟାନ କରିଛନ୍ତି । ଏଣିକି ଆଉ ଏହାର ଉତ୍ପାଦନ, ବିକ୍ରି ତଥା ବିତରଣ କରାଯାଇପାରିବ ନାହିଁ।
ପ୍ରକୃତିର ବନ୍ଧୁ ଓ ପୃଥିବୀର ସଫେଇ କର୍ମୀ କୁହାଯାଉଥିବା ଶାଗୁଣାଙ୍କ ସଂଖ୍ୟା କମିଯିବାରୁ ଜୈବ ବିବିଧତା ଓ ମାନବ ସମାଜ ଉପରେ ଭୟଙ୍କର ପ୍ରଭାବ ପଡ଼ୁଛି। ନିକଟରେ ଆମେରିକାର ଇକୋନୋମିକ ଆସୋସିଏସନ ଇକୋନୋମିକ ରିଭ୍ୟୁ ସର୍ଭେରେ ମଧ୍ୟ ଜଣାପଡ଼ିଥିଲା ଯେ, ଶାଗୁଣା ସଂଖ୍ୟା କମିବାରୁ ଭାରତରେ ୨୦୦୦ରୁ ୨୦୦୫ ମଧ୍ୟରେ ୫ ଲକ୍ଷ ଅକାଳ ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ, ଶାଗୁଣା ନଥିବା ଯୋଗୁ ଯେଉଁ ସ୍ୱାସ୍ଥ୍ୟ ସଂକଟ ଦେଖା ଦେଉଛି ତାର ବାର୍ଷିକ ଆର୍ଥିକ ଖର୍ଚ୍ଚ ଚାପ ପାଖାପାଖି ୭୦ ବିଲିଅନ ଆମେରିକାଲ ଡଲାର ବୋଲି ଗବେଷଣାରେ କୁହାଯାଇଥିଲା ।
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସରକାର ଏହି ପେନକିଲର ଶାଗୁଣାଙ୍କ ପାଇଁ କ୍ଷତିକାରକ ହେଉଥିବା ଦର୍ଶାଇ ପ୍ରତିବନ୍ଧକ ଲଗାଇଛନ୍ତି । ବରେଲୀ ଇଜତନଗର ସ୍ଥିତ ଇଣ୍ଡିଆନ ଭେଟନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (IVRI)ର ଗବେଷକ ଏହି ପ୍ରଜାତିଙ୍କ ଉପରେ ଔଷଧର କ୍ଷତିକାରକ ପ୍ରଭାବର ପରୀକ୍ଷଣ କରିଥିଲେ। ହରିୟାଣାରେ ଗବେଷକ ଦୁଇଟି ଗ୍ରିଫିନ ଶାଗୁଣାଙ୍କ ଉପରେ ନିମେସୁଲାଇଡର ପରୀକ୍ଷଣ କରିଥିଲେ। ରିପୋର୍ଟ ଅନୁଯାୟୀ, ଯେଉଁ ଶାଗୁଣାଙ୍କୁ ନିମେସୁଲାଇଡ ଦିଆଯାଇଥିଲା ସେମାନଙ୍କ ଶରୀରରେ ୟୁରିକ୍ ଏସିଡ୍ର ସ୍ତର ବଢ଼ିଥିଲା। ଯାହା କିଡନୀ ଖରାପ କରିବା ସହ ମାତ୍ର ଦୁଇ ଦିନ ଭିତରେ ସେମାନଙ୍କର ମୃତ୍ୟୁ ହୋଇଥାଏ। ଏଥିରୁ ହିଁ ସ୍ପଷ୍ଟ ହୋଇଥିଲା ନିମେସୁଲାଇଡ ଶାଗୁଣାଙ୍କ ପାଇଁ ବିଷାକ୍ତ।
ଅଧ୍ୟୟନ କରୁଥିବା ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ନିମେସୁଲାଇଡର ପ୍ରଭାବ ଅନ୍ୟ ଅଣ-ଷ୍ଟୋରେଏଡ ଯୁକ୍ତ ଆଣ୍ଟି ଇନଫ୍ଲେମେଟୋରୀ ଔଷଧ (NSAIDs) ଯେମିତିକି ଡାଇକ୍ଲୋଫେନାକ ଏବଂ କିଟୋପ୍ରୋଫେନ କାରଣରୁ ହେଉଥିବା ବିଷାକ୍ତ ପ୍ରଭାବ ସହ ସମାନ। ୨୦୨୩-୨୪ରେ ଗବେଷଣାର ନେତୃତ୍ବ କରୁଥିବା ଡା. ଅଭିଜିତ ପାଓ୍ବଡ଼େ କହିଛନ୍ତି ‘‘ଏଭଳି ବିଷାକ୍ତ ଔଷଧ ଉପରେ ପ୍ରତିବନ୍ଧକ ଲଗାଇବାର ସମୟ ଆସିଯାଇଛି, ଯାହାଦ୍ବାରା ଏହି ପ୍ରଜାତିକୁ ବିଲୁପ୍ତ ହେବାରୁ ରକ୍ଷା କରାଯାଇପାରିବ। ଆମ ଗବେଷଣାରୁ ଜଣାପଡ଼ିଛି ଯେ, ନିମେସୁଲାଇଡ ଦିଆଯାଇଥିବା ପଶୁଜନ୍ତୁଙ୍କ ଶବ ଖାଇବା ଶାଗୁଣା ପାଇଁ ଖୁବ୍ କ୍ଷତିକାରକ।’
ତେବେ ଏହି ଔଷଧ ଉପରେ କେନ୍ଦ୍ର ଔଷଧ ମାନକ ନିୟାମକ ସଂଗଠନ ସୋମବାର ପ୍ରତିବନ୍ଧକ ଲଗାଇଥିଲେବି ଏହା ଏବେବି କିଛି ଗ୍ରାମୀଣ କ୍ଷେତ୍ରରେ ଉପଲବ୍ଧ ଥିବା ଟାଇମ୍ସ ଅଫ୍ ରିପୋର୍ଟରେ କୁହାଯାଇଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ପଶୁ ଚିକିତ୍ସା ବିଶେଷଜ୍ଞ ନିୟମର ପାଳନ ପାଇଁ କଡ଼ା ଯାଞ୍ଚ ଦାବି କରିଛନ୍ତି।
ସୂଚନାଥାଉକି, ନିମେସୁଲାଇଡ ଅନେକ ସମୟରୁ ପଶୁଜନ୍ତୁ ଯେମିତିକି ଗୋରୁ, ଘୁଷୁରୀ ଏବଂ ଘୋଡ଼ାଙ୍କ ଠାରେ ପେନକିଲର ଭାବରେ ବ୍ୟବହାର ହୋଇଆସୁଛି। ଏହି ପେନକିଲର ମଣିଷଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର ହୋଇଥାଏ। ଅବଶ୍ୟ ମଣିଷଙ୍କ ଠାରେ ବ୍ୟବହାର ହେଉଥିବା ପେନକିଲରର ଫର୍ମୂଲେସନ ଅଲଗା। ନିମେସୁଲାଇଡକୁ ପୂର୍ବରୁ ଅନେକ ଦେଶରେ ସୁରକ୍ଷା କାରଣରୁ ପିଲାଙ୍କ ପାଇଁ ବ୍ୟାନ ମଧ୍ୟ କରାଯାଇସାରିଛି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ କୁହାଯାଇଛି ଯେ, ବିଶେଷଜ୍ଞମାନେ ନିମେସୁଲାଇଡ ବଦଳରେ ମେଲୋକ୍ସିକେମ ଏବଂ ଟୋଲଫେନାମିକ ଏସିଡ ଭଳି ସୁରକ୍ଷିତ ବିକଳ୍ପ ବାଛିବାକୁ କହିଛନ୍ତି। ଯାହା ପ୍ରଭାବି ଏବଂ ସୁଲଭ ମଧ୍ୟ। ଅଧ୍ୟୟନରେ ସାମିଲ ଅନ୍ୟ ଜଣେ ଗବେଷକ କହିଛନ୍ତି ଯେତେବେଳେ ଆମ ପାଖରେ ସୁରକ୍ଷିତ ବିକଳ୍ପ ରହିଛି, ତା’ହେଲେ ନିମେସୁଲାଇଡ ଭଳି ଅତ୍ୟଧିକ ବିଷାକ୍ତ ଔଷଧକୁ ସଂପୂର୍ଣ୍ଣ ଭାବରେ ବ୍ୟାନ କରିବା ଉଚିତ୍।