ଭୁବନେଶ୍ୱର ୦୯/୦୮: ଶନିବାର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସିବ ଭଉଣୀ । ସବୁ ଦିନ ପାଇଁ ଭାଇ ପାଖରୁ ସୁରକ୍ଷା ଲୋଡ଼ିବ । ରାଖୀରେ ପ୍ରତ୍ୟେକ ଭଉଣୀର ମନ ଉପହାରରେ ଥାଏ । ଭାଇକୁ କ’ଣ ମାଗିବି ବୋଲି ଆଗୁଆ କରିସାରିଥାଏ ଯୋଜନା । ସେହିକଥାକୁ ଧ୍ୟାନରେ ରଖି ଭାଇମାନେ ମଧ୍ୟ ପ୍ରିୟ ଭଉଣୀ ପାଇଁ କିଣିଛନ୍ତି ଭଳିକି ଭଳି ଉପହାର ।
ସେଥିପାଇଁ ଉପହାର ଦୋକାନ, ଝିଅଙ୍କ ପୋଷାକ ଦୋକାନ, ଅଳଙ୍କାର ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି । ନିଜର ସାମର୍ଥ୍ୟ ଅନୁଯାୟୀ ଭାଇମାନେ ଭଉଣୀ ପାଇଁ ଉପହାର କିଣୁଛନ୍ତି । ଦୂରରେ ଥିବା ଭାଇମାନେ ଭଉଣୀ ପାଇଁ ଅନ୍ଲାଇନ୍ କିମ୍ବା ସପିଙ୍ଗ୍ ଆପ୍ ମାଧ୍ୟମରେ ଆଗୁଆ ଉପହାର ଦେଇସାରିଲେଣି ।
ଧାର୍ମିକ ପରମ୍ପରା ଓ ରୀତିନୀତିରେ ଏହି ରକ୍ଷା ବନ୍ଧନ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି । ଯଦିଓ ରାଖିବନ୍ଧା ସଂସ୍କୃତି ଓଡ଼ିଆଙ୍କର ମୌଳିକ ପରମ୍ପରା ନୁହେଁ କିନ୍ତୁ ସମୟକ୍ରମେ ଉତ୍ତର ଭାରତରୁ ଆସିଥିବା ଏହି ପର୍ବକୁ ଆମେ ସାଦରେ ଆପଣାଇ ନେଇଛେ । ଆଉ ରାଖିପୂର୍ଣ୍ଣିମାରେ ଭଉଣୀମାନେ ସବୁଠାରୁ ସୁନ୍ଦର, ରୁଚିପୂର୍ଣ୍ଣ ଓ ଆକର୍ଷଣୀୟ ରାଖୀଟିଏ ନିଜ ଭାଇ ହାତରେ ବାନ୍ଧି ଦେବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି ।
ସେହିପରି ଶ୍ରୀମନ୍ଦିରରେ ମଧ୍ୟ ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହେବ । ସକାଳୁ ପ୍ରଭୁଙ୍କର ଦ୍ବାରଫିଟା, ମଙ୍ଗଳ ଆଳତି, ଅବକାଶ ନୀତି, ଭୋଗମଣ୍ଡପ, ସର୍ବାଙ୍ଗ ନୀତି ପରେ ରାଖି ଲାଗି ହେବ । ସେହିପରି ସନ୍ଧ୍ୟାଧୁପ ପରେ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହେବ ।