ନୂଆଦିଲ୍ଲୀ ୨୫।୭: ଜଗଦୀପ ଧନଖଡ଼ ଗତ ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଯୋଗୁ ରିକ୍ତ ହୋଇଥିବା ରାଷ୍ଟ୍ରପତି ପଦବୀ ନିମନ୍ତେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ଆୟୋଗ ରାଜ୍ୟସଭା ମହାସଚିବ ପି.ସି ମୋଦିଙ୍କୁ ଶୁକ୍ରବାର ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛନ୍ତି। ଏ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଛି।
ବୟାନ ଅନୁସାରେ ଆଇନ ଓ ନ୍ୟାୟ ମନ୍ତ୍ରାଳୟଙ୍କ ପରାମର୍ଶ ଅନୁଯାୟୀ ତଥା ରାଜ୍ୟସଭା ଉପସଭାପତିଙ୍କ ସହମତି ପରେ ୨୦୨୫ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପି.ସି. ମୋଦିଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛନ୍ତି। ସେହିପରି ରାଜ୍ୟସଭା ସଚିବାଳୟ ଯୁଗ୍ମ ସଚିବ ଗାରିମା ଜୈନ ଓ ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକ ବିଜୟ କୁମାରଙ୍କୁ ସହାୟକ ଅଧିକାରୀ ନିଯୁକ୍ତ କରାଯାଇଛି। ଏଥିରୁ ଏବେ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସ୍ପଷ୍ଟ ହୋଇଛି।
ସେପଟେ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ପ୍ରାର୍ଥୀଙ୍କ ସମ୍ଭାବିତ ନାମର ଅଙ୍କ କଷା ଆରମ୍ଭ ହୋଇଯାଇଛି। ଏ ସବୁ ମଧ୍ୟରେ ଛତିଶଗଡ଼ ପିସିସି ମୁଖ୍ୟ ଦୀପକ ବେଜ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଓ ୭ ଥରର ସାଂସଦ ରମେଶ ବ୍ୟାସଙ୍କୁ ଉପରାଷ୍ଚ୍ରପତି ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି। ଏ ନେଇ ଦୀପକ ବେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ୧୫ ବର୍ଷ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନରେ ଜନତାଙ୍କ ଅପାର ସହଯୋଗ ମିଳିବା ସତ୍ତ୍ୱେ ଛତିଶଗଡ଼କୁ ଅପେକ୍ଷାକୃତ ପ୍ରତିନିଧିତ୍ୱ ମିଳି ନାହିଁ। ଏଣୁ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ରମେଶ ବ୍ୟାସ୍ ଏହି ପଦ ପାଇଁ ଉପଯୁକ୍ତ ବୋଲି ସେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନାମ ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଏହା ଛଡା ଜମ୍ମୁ-କାଶ୍ମୀର ଏଲଜି ମନୋଜ ସିହ୍ନା, ବିଜେପି ନେତା ରବିଶଙ୍କର ପ୍ରସାଦଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ତେବେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦୃଷ୍ଟିରୁ ବିଜେପି ପକ୍ଷରୁ ଜେଡିୟୁକୁ ଏହି ଅଫର ଦିଆଯାଇ ପାରେ। ହେଲେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ବିଜେପି ଏହି ପଦବୀରେ ନିଜ ପାର୍ଟିର କୌଣସି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିବ।