ଭାରତରେ ନିର୍ମାଣ ହେବ ପଞ୍ଚମ ପିଢିର ଯୁଦ୍ଧ ବିମାନ, AMCAକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଞ୍ଜୁରି

Published By : Prameya-News7 Bureau | May 27, 2025 IST

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ରୂପେ ବିକଶିତ ଆଡଭାନ୍ସଡ୍ ମିଡିୟମ୍ କମ୍ୱାଟ୍ ଏୟାରକ୍ରାଫ୍ଟ (AMCA) ଯୋଜନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରି ଦେଇଛନ୍ତି । ଏୟରୋନଟିକଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ଏଥିପାଇଁ ଘରୋଇ କମ୍ପାନିଙ୍କ ସହ ମିଶି ମିଳିତ ଭାବେ ଏହାକୁ ବିକଶିତ କରିବ । ସରକାରଙ୍କ ମଞ୍ଜୁରି AMCA ପ୍ରୋଟୋଟାଇପ୍ ବିକଶିତ କରିବା ଦିଗରେ ପ୍ରଥମ ପଦକ୍ଷେପ ଅଟେ ।

ପ୍ରତିରକ୍ଷା ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ଯେ ଏହି ପ୍ରୋଗ୍ରାମରେ ଘରୋଇ ଓ ସରକାରୀ ଉଭୟ ସେକ୍ଟରକୁ ପ୍ରତିଯୋଗିତା ଆଧାରରେ ସମାନ ସୁଯୋଗ ପ୍ରଦାନ କରାଯିବ । ଏହି ପ୍ରୋଗ୍ରାମ ପାଇଁ ପ୍ରାଇଭେଟ୍ ଓ ପବ୍ଲିକ୍ ଉଭୟ ସେକ୍ଟରର କମ୍ପାନି ସ୍ୱତନ୍ତ୍ର ଭାବେ କିମ୍ୱା ଜଏଣ୍ଟ ଭେଞ୍ଚର ଭାବେ ବିଡ୍ ଦାଖଲ କରିପାରିବେ । ତେବେ ଆବେଦନକାରୀ ଜେଭି ବା କମ୍ପାନି ଦେଶର ଆଇନ ଓ ନିୟମ ପାଳନ କରୁଥିବା ଭାରତୀୟ କମ୍ପାନି ହେବା ଦରକାର । ସରକାରଙ୍କ ଏହି ପଦକ୍ଷେପ AMCA ପ୍ରୋଟୋଟାଇପ୍ ବିକଶିତ କରିବା ପାଇଁ ସ୍ୱଦେଶୀ ଜ୍ଞାନ ଓ କ୍ଷମତାକୁ ବଢାଇବା ଦିଗରେ ଏକ ବଡ଼ ପଦକ୍ଷେପ ।

ଉଲ୍ଲେଖଯୋଗ୍ୟ ଯେ AMCA ପଞ୍ଚମ ପିଢିର ଷ୍ଟେଲ୍ଥ ଓ ମଲ୍ଟି ରୋଲ୍ ଯୁଦ୍ଧ ବିମାନ । ଏହାକୁ ଭାରତୀୟ ସେନା ଓ ନୌସେନା ପାଇଁ ଭାରତରେ ବିକଶିତ କରାଯିବ । ୨୦୨୪ ମାର୍ଚ୍ଚରେ ସୁରକ୍ଷା ସମ୍ୱନ୍ଧିତ କ୍ୟାବିନେଟ୍ କମିଟି ୧୫ ହଜାର କୋଟିରୁ ଅଧିକ ଟଙ୍କାର ଆନୁମାନିକ ମୂଲ୍ୟର AMCA ପ୍ରୋଟୋଟାଇପ୍ ବିକଶିତ ପାଇଁ ମଞ୍ଜୁରି ଦେଇଥିଲା । ରିପୋର୍ଟ ଅନୁସାରେ ଆଗାମୀ ୫ ବର୍ଷ ଭିତରେ ଏଥିପାଇଁ ପାଞ୍ଚଟି ପ୍ରୋଟୋଟାଇପ୍ ନିର୍ମାଣ କରାଯିବ । ଏହି ପ୍ରୋଟୋଟାଇପର ଉତ୍ପାଦନ ସରକାରୀ ପ୍ରତିରକ୍ଷାଙ୍କ କମ୍ପାନି ହିନ୍ଦୁସ୍ତାନ ଏୟରୋନଟିକ୍ସ ଲିମିଟେଡ୍ (ଏଚଏଏଲ୍) ଅନ୍ୟମାନଙ୍କ ଦ୍ୱାରା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.