ବିଶ୍ୱର ପ୍ରଥମ ‘ଥ୍ରୀ-ୱେ’ ମରୁଡ଼ିରୋଧୀ ବାଜରା, କମ୍ ବର୍ଷାରେ ବି ହେବ ୨୮% ଅଧିକ ଫସଲ

NEWS7
rajiv-gandhi-khel-ratna-bcci-to-recommend-r-ashwin-mithali-raj

ନୂଆଦିଲ୍ଲୀ ୨୧।୦୧; ଦେଶର ଶୁଷ୍କ ଅଞ୍ଚଳର ଚାଷୀଙ୍କ ପାଇଁ ଖୁସି ଖବର । କୃଷି ବୈଜ୍ଞାନିକମାନେ କମ୍ ପାଣିରେ ଚାଷ ହେଉଥିବା ବାଜରାର ନୂଆ କିସମ ବିକଶିତ କରିଛନ୍ତି । ରାଜସ୍ଥାନ କୃଷି ଅନୁସନ୍ଧାନ ସଂସ୍ଥା ଦୁର୍ଗାପୁରା ଅନ୍ତର୍ଜାତୀୟ ସଂସ୍ଥାନ ଆଇସିଆର୍ ଆଇଏସ୍‌ଏଟି ସହ ମିଶି ବିଶ୍ୱର ପ୍ରଥମ ‘ଥ୍ରୀ-ୱେ’ ଶଙ୍କର ବାଜରା ‘ଆର୍ ଏଚ୍‌ବି ୨୭୩’ ବିକଶିତ କରିଛନ୍ତି । ଏହି କିସମ କେବଳ ମରୁଡ଼ି ମୁକାବିଲାରେ ସକ୍ଷମ ନୁହେଁ, ବରଂ ଅମଳ ଓ ପୋଷକ ତତ୍ତ୍ୱ ମାମଲାରେ ମଧ୍ୟ ପୁରୁଣା କିସମଗୁଡ଼ିକଠୁ ଅନେକ ଗୁଣ ଭଲ ।

ନିକଟରେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଦେଶ ପାଇଁ ୨୫ ଫସଲର ୧୮୪ ଉନ୍ନତ କିସମ ଜାରି କରିଛନ୍ତି । ଏଥିରେ ଆର୍‌ ଏଚ୍‌ବି ୨୭୩ ବାଜରାକୁ ରାଜସ୍ଥାନ, ଗୁଜରାଟ ଓ ହରିୟାଣାର ଶୁଷ୍କ କ୍ଷେତ୍ରଗୁଡ଼ିକ ପାଇଁ ଅଧିସୂଚିତ କରାଯାଇଛି, ଯେଉଁଠି ବର୍ଷକୁ ୪୦୦ ମିଲିମିଟରରୁ ମଧ୍ୟ କମ୍ ବର୍ଷା ହୁଏ । ଏହି କିସମ ପାରମ୍ପରିକ ବାଜରା ତୁଳନାରେ ଅନେକ ଦୃଷ୍ଟିରୁ ଅଧିକ ଲାଭପ୍ରଦ । ନୂଆ ବାଜରା କିସମ ୩ ବର୍ଷର ପରୀକ୍ଷଣରେ ହେକ୍ଟର ପ୍ରତି ୨୨-୨୫ କ୍ୱିଣ୍ଟାଲ ଶସ୍ୟ ଦେଇଛି, ଯାହା ବର୍ତ୍ତମାନ ଉପଲବ୍ଧ କିସମ ତୁଳନାରେ ୧୩ରୁ ୨୮ ପ୍ରତିଶତ ଅଧିକ । ଏହି କିସମ ମାତ୍ର ୭୫-୭୬ ଦିନରେ ଅମଳକ୍ଷମ ହେବ, ଯାହା ଦ୍ୱାରା ଚାଷୀଙ୍କ ସମୟ ବଞ୍ଚିବ ।

 ଏହା ଏକ ହାଇବ୍ରିଡ୍ କିସମ, ଯାହା ହେକ୍ଟର ପ୍ରତି ୪୮ରୁ ୫୦ କ୍ୱିଣ୍ଟାଲ ଗୁଣବତ୍ତାସମ୍ପନ୍ନ ନଡ଼ା ମଧ୍ୟ ଦେବ । କୃଷି ବୈଜ୍ଞାନିକ ଡା. ଏସ୍‌କେ ଜୈନ କହିଛନ୍ତି, ବାଜରାର ପ୍ରମୁଖ ରୋଗ ‘ଡାଉନି ମିଲ୍‌ଡ୍ୟୁ’ ଓ ‘ବ୍ଲାଷ୍ଟ୍’ ପ୍ରତି ଏହା ଅଧିକ ପ୍ରତିରୋଧୀ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଲାଭପ୍ରଦ । ଏଥିରେ ୧୦.୫ ପ୍ରତିଶତ ପ୍ରୋଟିନ୍, ୪୪ ପିପିଏମ୍ ଆଇରନ୍ ଓ ୩୭ ପିପିଏମ୍ ଜିଙ୍କ୍ ରହିଛି, ଯାହା କୁପୋଷଣ ସହ ମୁକାବିଲାରେ ସହାୟକ ହେବ । ଏହାର ଉତ୍ପାଦନ ଖର୍ଚ୍ଚ ବି କମ୍ ।