ପୁରୀ ୦୫।୦୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ସଂଧ୍ୟା ଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ। ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯାଇଥାଏ। ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ। ତାପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସରି ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ, ଛତା, କାହାଳୀ ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ।
ସେହିପରି ଶୁକ୍ରବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ। ଏଣୁ ସମସ୍ତ ନୀତି କାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେବାକୁ ଥିବାରୁ ଜିଲ୍ଳା ଓ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି।