ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ମଧ୍ୟରେ ରାଜସ୍ଥାନର ଜଣେ ଯୁବ ଛାତ୍ର ନିଜର ନିଆରା ରାଜନୈତିକ ଇଚ୍ଛା ପ୍ରକାଶ କରିଛନ୍ତି, ଯାହାକି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି। ଜୈସଲମେର ନିବାସୀ ଏହି ୩୮ ବର୍ଷିୟ ଜଲାଲୁଦ୍ଦିନ ସୋମବାର ରାଜ୍ୟସଭାରେ ପହଞ୍ଚି ୧୫ ହଜାର ଟଙ୍କାର ଡିପୋଜିଟ୍ ରାଶି ସହ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଜଲାଲୁଦ୍ଦିନଙ୍କର ରାଜନୀତି ପ୍ରତି ସ୍ପୃହା ନୂଆ ନୁହେଁ । ଏହା ପୂର୍ବରୁ ସେ ୨୦୦୯ ରେ ଜୈସଲମୈର ଜିଲ୍ଲାର ଆସୁତାର ବାନ୍ଧା ପଞ୍ଚାୟତରୁ ୱାର୍ଡ ପଞ୍ଚର ନିର୍ବାଚନ ଲଢି ସାରିଛନ୍ତି, ଯେଉଁଥିରେ ତାଙ୍କୁ କେବଳ ଗୋଟିଏ ଭୋଟରେ ହିଁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ମଧ୍ୟ ତାଙ୍କର ଉତ୍ସାହ କମି ନଥିଲା। ସେ ୨୦୧୩ରେ ଜୈସଲମେର ବିଧାନସଭା ସିଟ୍ରୁ ଏବଂ ୨୦୧୪ରେ ବାଡମେର-ଜେସଲମେର ଲୋକସଭା ସିଟ୍ରୁ ନାମାଙ୍କନ ଦାଖଲ କରିଥିଲେ, ହେଲେ ଉଭୟ ଥର ସେ ତାଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ।
ଏବେ ଯେତେବେଳେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ,ସେପ୍ଟେମ୍ୱର ୯ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି , ଜଲାଲୁଦ୍ଦିନ ମଧ୍ୟ ଏଥିରେ ଭାଗ ନେବାରୁ ଇଚ୍ଛା କଲେ। ସେ ୧୧ ଅଗଷ୍ଟରେ ନିର୍ବାଚନ କମିଶନଙ୍କ ପାଖେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଜଲାଲୁଦ୍ଦିନ କୁହନ୍ତି , ମୋତେ ନିର୍ବାଚନ ଲଢିବାକୁ ଖୁବ୍ ପସନ୍ଦ। ମୁଁ ଜାଣିଛି ଯେ, ମୋର ନାମାଙ୍କନ ବାତିଲ ହୋଇଯିବ, ହେଲେ ବି ମଁ ନାମାଙ୍କନ ଦାଖଲ କରିଛି। ସେ କହିଛନ୍ତି ଯେ,ସେ ବିଶ୍ୱବିଦ୍ୟାଳୟରେ ଛାତ୍ରସଂଘ ନିର୍ବାଚନରେ ମଧ୍ୟ ଭାଗ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୟସାଧିକ କାରଣରୁ ତାଙ୍କର ନାମାଙ୍କନ ସ୍ୱୀକାର କରାଯାଇ ନଥିଲା।
ହେଲେ , ଜଲାଲୁଦ୍ଦିନଙ୍କ ଉପରାଷ୍ଟ୍ରପତି ପଦ ପାଇଁ ଦାଖଲ କରାଯାଇ ଥିବା ନାମାଙ୍କ ମଧ୍ୟ ବୈଷୟିକ ତ୍ରୁଟି କାରଣରୁ ଖାରଜ କରାଯାଇ ପାରେ। ନିର୍ବାଚନ କମିଶନଙ୍କ ଦ୍ୱାରା କାଗଜପତ୍ରର ଯାଞ୍ଚ ବେଳେ ଏହା ଜଣାପଡ଼ିଛି ଯେ, ଜଲାଲୁଦ୍ଦିନଙ୍କ ଦ୍ୱାରା ଦିଆଯାଇ ଥିବା ଭୋଟର ତାଲିକାର ପ୍ରାମାଣିତ କପି ପୁରୁଣା ତାରିଖର ଥିଲା। ନିର୍ବାଚନ କମିଶନଙ୍କ ନିୟାନୁସାରେ, ଏପରି ଭୁଲ ଯୋଗୁଁ ନାମାଙ୍କନ ସ୍ୱୟଂଚାଳିତ ଭାବେ ଖାରଜ ହୋଇଯାଏ।