ଭୁବନେଶ୍ଵର: ୱାକଫ ବିଲ୍ ବିବାଦ ପରଠାରୁ ବିଜେଡିର ବିବାଦ ଲମ୍ବି ଲମ୍ବି ଚାଲିଥିବା ବେଳେ ଜଣଙ୍କ ପରେ ଜଣେ ନେତା ନିଜର ମୁକ୍ତ ମତ ପ୍ରକାଶ କରିବାରେ ଲାଗିଛନ୍ତି। ଏହି କ୍ରମରେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ରାଜା ସ୍ବାଇଁ। ଆଉ ଏଥିରେ ସେ ଲେଖିଛନ୍ତି ଯେ ଦଳକୁ ହାଇଜାକ କରିବାକୁ ଉଦ୍ୟମ ନ ହେଉ। ରାଜା ସ୍ବାଇଁ କେଉଁ ପରିପ୍ରେକ୍ଷିରେ ଏହା କହିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାର ଜବାବ ଦେଇଛନ୍ତି ଦେବୀ ମିଶ୍ର। ଆଉ ସେପଟେ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ଦଳର କିଛି କନିଷ୍ଠ ସଦସ୍ୟ ଶୃଙ୍ଖଳା ଭାଙ୍କୁଛନ୍ତି।
Also read: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଦଳ ବଡ, ସହର ବଡ ନୁହେଁ : ସୁଲୋଚନା ଦାସ
କିଏ ବିଜେଡିକୁ ହାଇଜାକ କରିବାକୁ ଚେଷ୍ଟା କରୁଛି? କିଏ ଭାଙ୍ଗୁଛି ଦଳର ଶୃଙ୍ଖଳା। କିଏ ବରିଷ୍ଠ କିଏ କନିଷ୍ଠ। ଆଜି ବିଜେଡିର ଦୁଇ ନେତାଙ୍କ ଅଭିବ୍ୟକ୍ତିରୁ ଏମିତି କିଛି ପ୍ରଶ୍ନ ଉଙ୍କି ମାରିଛି। ଦଳକୁ ହାଇଜାର କରାନଯାଉ, ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବା ରାଜା ସ୍ବାଇଁ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଲେଖିଛନ୍ତି ଦଳର ସଙ୍ଗଠନକୁ ହାଇଜାକ କରିବାକୁ ଦିଆନଯାଉ। ସଂରକ୍ଷଣ ଅଧାରରେ ସଙ୍ଗଠନ ହେଉ। ଦଳୀୟ ସଙ୍ଗଠନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ। ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢୁ । ୱାକଫ ବିଲ୍ ବିବାଦ ଦଳର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇଛି।
ରାଜା ସ୍ବାଇଁଙ୍କ ଏହି ଚିଠି ସାମ୍ନାକୁ ଆସିବା ପରେ ଅନେକ ଚର୍ଚ୍ଚା ଲମ୍ବିବାରେ ଲାଗିଛି। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ଆଞ୍ଚଳିକ ଦଳ ଭାବେ ସଂଗଠନରେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ରହୁଛନ୍ତି । ହାଇଜାକ କଥା ସେ ଜାଣିଥିବେ, ସେ ହିଁ ବୁଝାଇ ପାରିବେ। ତାଙ୍କର ସେ ବିଷୟରେ ଉପଲବ୍ଧି ଥିବ। ନଈ ନଦେଖି ନଙ୍ଗଳା ନହେବାକୁ ପରାମର୍ଶ ଦେଇଛନ୍ତି ଦେବୀ ମିଶ୍ର। ଅବଶ୍ୟ ଚିଠି ଏବଂ ଦେବୀ ମିଶ୍ରଙ୍କ ବାବଦରେ ରାଜା ସ୍ବାଇଁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ।
ଏପଟେ ଆଜି ମୁହଁ ଖୋଲି ସାଂସଦ ଦେବାଶିଷ ସାମନ୍ତରାୟ । ଦଳର କିଛି ନେତାଙ୍କ ଶୃଙ୍ଖଳା ଜ୍ଞାନ ଉପରେ ଉଠାଇଛନ୍ତି ପ୍ରଶ୍ନ । କନିଷ୍ଠ ସଭ୍ୟ ଯଦି ଶୃଙ୍ଖଳା ଭଙ୍ଗ କରୁଛନ୍ତି ତେବେ ଏ ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି ସେ ଆଶା ପ୍ରକାଶ କରିଠଛନ୍ତି। ତେବେ ନବୀନ ପଟ୍ଟନାୟକ ଆମର ସର୍ବୋଚ୍ଚ ନେତା। ଦଳରେ ଶୃଙ୍ଖଳା ଓ ଏକତା ରଖିବାକୁ ସେ ପରାମର୍ଶ ଦେଇଛନ୍ତି,ତେଣୁ ମିଡିଆରେ ଆଉ କେହି ପ୍ରତିକ୍ରିୟା ରଖିଵା ସମୀଚିନ ନୁହେଁ ବୋଲି ଦେବାଶିଷ କହିଛନ୍ତି।