ଆମେ ତାଙ୍କୁ ଉଚିତ ଶିକ୍ଷା ଦେବୁ...ନୀତୀଶ କୁମାରଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ଇଲ୍‌ତିଜା ମୁଫ୍ତି

NEWS7
rain-occurs-next-24-hours-in-odisha

Hijab Row: ହିଜାବ ବିବାଦକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପାଟନାରୁ ଆରମ୍ଭ ହୋଇଥିବା ବିବାଦକୁ ନେଇ ଏବେ ଦେଶବ୍ୟାପୀ ଆକ୍ରୋଶ । ନିଯୁକ୍ତି ପତ୍ର ବାଣ୍ଟୁଥିବା ବେଳେ ନୀତୀଶ କୁମାର ଜଣେ ମୁସଲିମ ମହିଳା ଡାକ୍ତରଙ୍କ ମୁହଁରୁ ହିଜାବ ଟାଣି ଦେଇଥିଲେ । ଏନେଇ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ, ନୀତୀଶ କୁମାର ସମାଲୋଚିତ ହୋଇଛନ୍ତି । ଏପରିକି ତାଙ୍କ ବିରୋଧରେ ଜାମ୍ମୁକାଶ୍ମୀରରେ ଆକ୍ରୋଶ ବଢ଼ିଛି। ଜାମ୍ମୁକାଶ୍ମୀରର ବିରୋଧୀ ଦଳ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି (ପିଡିପି) ନେତ୍ରୀ ଇଲ୍ତିଜା ମୁଫ୍ତି ବିହାର ମୁଖ୍ୟମନ୍ତ୍ରୀ ବିରୋଧରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ନୀତୀଶଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ମେହବୁବା ମୁଫ୍ତିଙ୍କ ଝିଅ ଇଲତିଜା ।

ଆମେ ତାଙ୍କୁ ଉଚିତ ଶିକ୍ଷା ଦେବକୁ, ଯେମିତି ଭବିଷ୍ୟତରେ ଏଭଳି କରିବାକୁ କେହି ସାହସ କରିବେ ନାହିଁ ବୋଲି ଇଲତିଜା କହିଛନ୍ତି । ଏପରିକି ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳାଙ୍କୁ ନୀରବତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ପାଟନାରେ ଘଟିଥିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ଏହା ମହିଳାଙ୍କ ପ୍ରତି ଅସଦାଚରଣ ଏବଂ ଯୌନ ଶୋଷଣ ସହିତ ସମାନ ବୋଲି ପିଡିପି ନେତ୍ରୀ ଅଭିଯୋଗ କରିଛନ୍ତି ।

ଅନ୍ୟ କେତେ ଜଣ ମହିଳା ସମର୍ଥକଙ୍କ ସହ ନୀତୀଶ କୁମାରଙ୍କ ବିରୋଧରେ ରାଲି କରିଥିଲେ ଇଲତିଜା । ରାଲିରେ ସେ, ‘ନୀତୀଶ ହୋସ୍ ମେଁ ଆଉ, ହିଜାବ ହମାରୀ ଶାନ ହୈ’ ନାରା ଦେଇଥିଲେ । ନୀତୀଶ କୁମାରଙ୍କ କାର୍ଯ୍ୟ ମହିଳା ସମ୍ମାନ ବିରୋଧୀ ବୋଲି କହିଛନ୍ତି ଇଲତିଜା । ଶ୍ରୀନଗରରେ ଥିବା ପିଡିପି ମୁଖ୍ୟାଳୟ ବାହାରେ ଇଲତିଜାଙ୍କ ନେତୃତ୍ବରେ ମହିଳାମାନେ ବିରୋଧ ପ୍ରଦର୍ଶନ କରିଥିଲେ । ମହିଳାଙ୍କ ଧାର୍ମିକ ପୋଷାକ ଖୋଲିବାକୁ କୌଣସି ନେତାଙ୍କ ପାଖରେ ଅଧିକାର ନାହିଁ ବୋଲି ପ୍ରତିବାଦକାରୀ କହିଛନ୍ତି ।

 

ବିରୋଧ ପ୍ରଦର୍ଶନ କରିବା ସହ ମୁଫ୍ତି କୋଠିବାଗ ଥାନାରେ ନୀତୀଶ କୁମାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ କରିବା ସହ ଉପଯୁକ୍ତ ଆଇନ ଆଧାରରେ ନୀତୀଶଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ପୋଲିସକୁ ଅପିଲ କରିଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୧୫ରେ ନୀତୀଶ କୁମାରଙ୍କ ଏକ ଭିଡିଓ ଭାଇରାଲ୍ ହେବା ପରେ ବିବାଦ ବଢ଼ିଛି। ପାଟନାରେ ନିଯୁକ୍ତି ପତ୍ର ବାଣ୍ଟୁଥିବା ବେଳେ ନୀତୀଶ କୁମାର ଜଣେ ମୁସଲିମ ମହିଳା ଡାକ୍ତରଙ୍କ ମୁହଁରୁ ହିଜାବ ଟାଣି ଦେଇଥିଲେ । ଏହାକୁ ନେଇ ନୀତୀଶ କୁମାରଙ୍କୁ ସବୁଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।